କେନ୍ଦ୍ରାପଡାରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଅଗ୍ନିଶମ ଗାଡିକୁ ଠେଲିଦେଲା ପଶ୍ଚିମା ଝଡ
🎬 Watch Now: Feature Video
କେନ୍ଦ୍ରାପଡା: କେନ୍ଦ୍ରାପଡାରେ ପଶ୍ଚିମା ଝଡ ପ୍ରଭାବ । ମାତ୍ର କିଛି ସମୟ ମଧ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା । ମଙ୍ଗଳବାର ମଧ୍ୟାହ୍ନ ଠାରୁ ରାତି ପର୍ଯ୍ୟନ୍ତ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ କାଳବୈଶାଖୀ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ମାତ୍ର କେଇ ମିନିଟ ପାଇଁ ତାଣ୍ଡବ ରଚିଥିଲା କାଳ ବୈଶାଖୀ । ପ୍ରବଳ ବର୍ଷା ଓ ପବନ ସାଙ୍ଗକୁ ଘଡଘଡି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିଲା । ମାର୍ଶାଘାଇ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ଦୀର୍ଘଦିନର ଏକ ବିରାଟ ଆମ୍ବ ଗଛ କାଳବୈଶାଖୀ ଓ ପବନ ଯୋଗୁଁ ଭାଙ୍ଗି ପଡିବା ଦ୍ବାରା ଗଛ ତଳେ ଷ୍ଟାଫ ମଟରସାଇକେଲ ଷ୍ଟାଣ୍ଡରେ ଥିବା ୩ରୁ ଊର୍ଦ୍ଧ୍ବ ମଟର ସାଇକେଲ ଚାପି ହୋଇ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା ।
ତେବେ ଏନେଇ ଖବର ପାଇ ମାର୍ଶାଘାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ମଟର ସାଇକେଲ ବାହାର କରିଥିଲେ । ଅନ୍ୟପଟେ ଅନ୍ୟକୁ ଉଦ୍ଧାର କରିବା ପାଇଁ ଯାଇଥିବା ମାର୍ଶାଘାଇ ଦମକଳ ବିଭାଗର ଗାଡି ରଖାଯାଉଥିବା ଗ୍ୟାରେଜରୁ ପ୍ରାୟ ୧୦୦ ମିଟର ଦୂରତା ପର୍ଯ୍ୟନ୍ତ ଦମକଳ ଗାଡିକୁ ଏହି ଦ୍ରୁତ ପବନ ଠେଲି ନେଇ ଯାଇଥିବା ଦେଖିବାକୁ ମିଳିଥିଲା । ବେଶ କିଛି ସମୟ ପାଇଁ ତାଣ୍ଡବ ରଚିଥିଲା କାଳ ବୈଶାଖୀ ସାଙ୍ଗକୁ କୁଆ ପଥର ବର୍ଷା । ସେହିପରି ଅନ୍ୟପଟେ ପବନ ଠେଲି ନେଇଥିବା ଅଗ୍ନିଶମ ବିଭାଗ ଗାଡିକୁ ଏକ ଟ୍ରାକ୍ଟର ସାହାଯ୍ୟରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଗତ ଦୁଇଦିନ ଧରି ଜିଲ୍ଲାରେ ଏଭଳି କାଳବୈଶାଖୀ ଜନିତ ବର୍ଷା ଓ ପବନ ତୁହାକୁ ତୁହା ହେଉଥିବା ବେଳେ ଏଥିରୁ କେବେ ତ୍ରାହି ମିଳିବ ସେନେଇ ଚିନ୍ତାରେ ଜିଲ୍ଲାବାସୀ ।
ଇଟିଭି ଭାରତ, କେନ୍ଦ୍ରାପଡା