ଆକାଶରେ ଉଡ଼ିବ ସୁନାର ଗୁଡ଼ି, ଲାଗିଛି ସୂନାର ସୂତା - ସୁନାରେ ଗୁଡ଼ି ପ୍ରସ୍ତୁତ
🎬 Watch Now: Feature Video
ଲକ୍ଷ୍ନୌ: ଚଳିତବର୍ଷ ଗୋଟିଏ ଦିନରେ ପଡ଼ୁଛି ଗଣତନ୍ତ୍ର ଦିବସ ଓ ବସନ୍ତ ପଞ୍ଚମୀ । ଏନେଇ ସ୍ବର୍ଣ୍ଣ ଅଳଙ୍କାର ପ୍ରସ୍ତୁତ କରୁଥିବା ବ୍ୟବସାୟୀ ମଧ୍ୟ ନିଜକୁ ଗୁଡ଼ି, ମାଞ୍ଜା ଓ ନଟେଇରୁ ଦୂରରେ ରଖି ପାରିନାହାନ୍ତି । ସୁନାରେ ନୂଆ ନୂଆ ପ୍ରକାରର ଅଳଙ୍କାର ପ୍ରସ୍ତୁତ ହେଉଥିବାରୁ ଦେଶର ସ୍ବର୍ଣ୍ଣ ନଗରୀ ଭାବେ ପରିଚିତ ଉତ୍ତରପ୍ରଦେଶର ମିରଟରେ ଜଣେ ସୁନା ବ୍ୟବସାୟୀ ସୁନାରେ ଗୁଡ଼ି ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ଗୁଡ଼ି ଦୁନିଆର ସବୁଠାରୁ ଦାମୀ ଗୁଡ଼ି ବୋଲି ସେ ଦାବି କରିଛନ୍ତି । ତେବେ ସୁନାରେ ପ୍ରସ୍ତୁତ ହୋଇଥିବା ଏହି ଗୁଡ଼ି ସହିତ ଏହାର ମାଞ୍ଜା ସୂତା ଓ ନଟେଇ ମଧ୍ୟ ସୁନାରେ ତିଆରି ହୋଇଛି ।
ସୂଚନା ଅନୁସାରେ ଉତ୍ତରପ୍ରଦେଶର ମିରଟର ଅଙ୍କୁର ଜୈନ ନାମକ ଜଣେ ସୁନା ବ୍ୟବସାୟୀ ୨୫ ଲକ୍ଷ ଟଙ୍କା ବ୍ୟୟରେ କେବଳ ସୁନାରେ ଏହି ଗୁଡ଼ି ପ୍ରସ୍ତୁତ କରିଛନ୍ତି । ଏହି ବ୍ୟବସାୟୀଙ୍କ କହିବା ଅନୁସାରେ ମିରଟର ୭ ଜଣ କାରିଗର ଦୀର୍ଘ ୧୬ ଦିନ ଲାଗି ଏହି ଗୁଡ଼ି ପ୍ରସ୍ତୁତ କରିଛନ୍ତି । ଅଙ୍କୁର ଜୈନ କହିଛନ୍ତି ତାଙ୍କୁ ଗୁଡ଼ି ଉଡ଼ାଇବାକୁ ଓ ପ୍ରସ୍ତୁତ କରିବାକୁ ବହୁତ ଭଲ ଲାଗେ । ତେବେ କିଛି ନୂଆ କରିବା ପାଇଁ ବହୁତ ଭାବିବା ପରେ ସେ ଏହି ସୁନାର ଗୁଡ଼ି ପ୍ରସ୍ତୁତ କରିଛନ୍ତି ।
ଏହି ସୁନାରେ ତିଆରି ଗୁଡ଼ିର ଓଜନ ପ୍ରାୟ ୪୦୦ ଗ୍ରାମରୁ ଅଧିକା ହୋବ ବୋଲି ସେ କହିଛନ୍ତି । ଏହି ଗୁଡ଼ି ସହ ସେ ସୁନାରେ ୨୦ ମିଟର ବିଶିଷ୍ଟ ମାଞ୍ଜା ସୂତା ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହାସହ ସୁନାରେ ନଟେଇ ପ୍ରସ୍ତୁତ କରିବାକୁ ମଧ୍ୟ କାରିଗରଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିବା ସେ କହିଛନ୍ତି । ତେବେ ଏଭଳି ସୁନାରେ ନିର୍ମିତ ଗୁଡ଼ିକୁ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡ ସମେତ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ଦେବା ପାଇଁ ସେ ଆଗକୁ ବଢ଼ୁଥିବା ପ୍ରକାଶ କରିଛନ୍ତି । ଏଭଳି ହେଲେ ମିରଟକୁ ମଧ୍ୟ ଏହି ସୁନାର ଗୁଡ଼ି ଏକ ନୂଆ ପରିଚୟ ଦେଇପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ