ଜମୁଛି ଜଟଣୀ ଗଣେଶ ପୂଜା, ପ୍ରତିଦିନ ହେଉଛି ହଜାର ହଜାର ଲୋକଙ୍କ ସମାଗମ - ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା ମହୋତ୍ସବ
🎬 Watch Now: Feature Video
Published : Sep 28, 2023, 2:29 PM IST
ଖୋର୍ଦ୍ଧା: ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା ମହୋତ୍ସବ ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହୋଇଛି । ମୁମ୍ବାଇ ପରେ ରାଜ୍ୟରେ ଗଣେଶ ପୂଜା ପାଇଁ ଜଟଣୀ ପ୍ରସିଦ୍ଧି ଲାଭ କରିଛି । ଲୋକ କଥା ଅନୁସାରେ ଜଟଣୀ ସହରରେ ଗଣେଶ ପୂଜା 100 ବର୍ଷର ପୁରୁଣା । ପୂଜା ପେଣ୍ଡାଲରେ ଗଣେଶ, ଲକ୍ଷ୍ମୀ ଓ ସରସ୍ଵତୀ ତିନି ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯିବା ବିଧି ରହିଛି । ଗଣେଶ ଚତୁର୍ଥୀଠାରୁ ଆରମ୍ଭ ହୋଇଥିବା ଗଣେଶ ପୂଜା 11 ଦିନ ଧରି ଚାଲିବ ବୋଲି ସମସ୍ତ କମିଟି ପକ୍ଷରୁ ଧାର୍ଯ୍ୟ କରାଯାଇଛି । ସେହିପରି ଆସନ୍ତା ପୂର୍ଣ୍ଣମୀ ସନ୍ଧ୍ୟାରେ ସମସ୍ତ ମେଢ଼ ବିସର୍ଜନ କରାଯିବା ପରମ୍ପରା ରହିଛି । ଚଳିତ ବର୍ଷ ଜଟଣୀ ସହର ଓ ଗ୍ରାମାଞ୍ଚଳରେ 200ରୁ ଊର୍ଦ୍ଧ୍ୱ ପୂଜା ପେଣ୍ଡାଲରେ ଅଗ୍ରପୂଜ୍ୟ ଗଣେଶ ପୂଜା ପାଉଛନ୍ତି । ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ପୂଜା ପେଣ୍ଡାଲ, ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସାଇବା ଭଳି ଲାଇଟ୍ ଗେଟ୍ ପ୍ରସ୍ତୁତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ଦୀପରୁ ନିଆଁ ଲାଗି ଜଳିଲା ତୋରଣ
ବଜାର ରଙ୍ଗୀନ ଆଲୋକ ମାଳାରେ ଝଲସୁଥିବା ବେଳେ ଗଣେଶ ପୂଜା ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜଟଣୀ ସହରରେ ବିଶ୍ବ ରଙ୍ଗ ମହଲ , ବିଶ୍ଵ ଦରବାର , ପାର୍ବତୀ , ଇନ୍ଦ୍ରଭୁବନ ଏବଂ ବାଘାଯତୀନ ଭଳି 5ଟି ଅପେରା ପରିବେଷଣ କରୁଥିବା ବେଳେ ଲୋକଙ୍କ ଗହଳି ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ଜଟଣୀ ପ୍ରସିଦ୍ଧ ଗଣେଶ ପୂଜାତ୍ସୋବର ବୁଧବାର ଥିଲା ନବମ ଦିବସ । ପାଗ ଅନୁକୂଳ ଥିବାରୁ ଗାଁ ଏବଂ ସହରରୁ ଗଣେଶ ପୂଜୋତ୍ସବ ଦେଖିବା ଲାଗି ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଏଠାରେ ଭଗବାନଙ୍କ ଦଶାବତାର ଓ ଜଗନ୍ନାଥଙ୍କ ବିଭିନ୍ନ ବେଶକୁ ପୂଜା କମିଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବେଳେ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଖୋର୍ଦ୍ଧା