ପୋଖରୀ ବନ୍ଧ ଭାଙ୍ଗି ଭାସିଗଲା କ୍ୱିଣ୍ଟାଲ୍ କ୍ୱିଣ୍ଟାଲ ମାଛ, ରାସ୍ତା ଉପରେ ମାଛ ଧରିଲେ ଲୋକ

By

Published : Aug 2, 2023, 8:25 PM IST

thumbnail

ବୌଦ୍ଧ: ଜାତୀୟ ରାଜପଥ ଉପରେ ମାଛ ଧରିଲେ ଲୋକେ । ସରକାରୀ ମତ୍ସ୍ୟ ବିଭାଗର ପୋଖରୀରେ ପ୍ରବଳ ବର୍ଷା ଯୋଗୁଁ ଘାଇ ସୃଷ୍ଟି ହୋଇ ପ୍ରାୟ 20 କ୍ଵିଣ୍ଟାଲ ବିହନ ମାଛ ଭାସି ଯାଇଥିଲା । ଫଳରେ ଜାତୀୟ ରାଜପଥ ଉପରେ ଲୋକମାନେ ମାଛ ଧରୁଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ହଠାତ ପୋଖରୀରେ ଘାଇ ସୃଷ୍ଟି ହେବାରୁ ବର୍ଷା ପାଣି ସହିତ  ଲକ୍ଷାଧିକ ମାଛ ଭାସି ଆସିଥିଲେ। ଆଉ ମାଛ ଧରିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଫଳରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥରେ ଗାଡିମଟର ଜାମ ହୋଇଯାଇଥିଲା । ଶେଷରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଘଉଡ଼ାଇଥିଲା।


ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ 24ଘଣ୍ଟା ମଧ୍ୟରେ ୩୯୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବାବେଳେ ବର୍ତ୍ତମାନ ମହାନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ସୂଚନା ମିଳିଛି । ଅନେକ ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବା ସହିତ ବିଦ୍ୟୁତ ସେବା ମଧ୍ୟ ଅନେକ ସ୍ଥାନରେ ବନ୍ଦ ହୋଇଛି  । ତେବେ ଏହି ଲଗାଣ ବର୍ଷା ସମୟରେ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ । ଜାତୀୟ ରାଜପଥରେ ଶହ ଶହ ଲୋକ ବଡ଼ ବଡ଼ ମାଛ ଧରୁଥିବା ଦେଖିବାକୁ ମିଳିଛି । 

ସୂଚନା ଅନୁସାରେ, ମତ୍ସ ବିଭାଗର କାର୍ଯ୍ୟାଳୟ ପରିସରରେ ଥିବା ମାଛ ଉତ୍ପାଦନ ପୋଖରୀରେ ବର୍ଷା ପାଣି ପଶିଯାଇଥିଲା । ବୁଧବାର ଫଳରେ ପୋଖରୀରେ ଘାଇ ସୃଷ୍ଟି ହୋଇ ପାଣି ସବୁ ଜାତୀୟ ରାଜପଥ ଦେଇ ପ୍ରବାହିତ ହେବା ଆରମ୍ଭ ହେଲା । ଏପରିକି ପୋଖରୀରେ ଥିବା ପ୍ରାୟ କୋଡିଏ କ୍ଵିଣ୍ଟାଲ ବିହନ ମାଛ ଭାସି ଯାଇଥିଲେ । ଆଉ ସେହି ମାଛ ସଂଗ୍ରହ କରିବାକୁ ଲୋକଙ୍କ ପ୍ରବଳ ଭିଡ଼ ଯୋଗୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। 

ଏହା ବି ପଢନ୍ତୁ...Heavy Rain Hits Odisha: କାଲି ଯାଏଁ ଜାରି ରହିବ ବର୍ଷା, 10 ଜିଲ୍ଲାକୁ ରେଡ ୱାର୍ଣ୍ଣିଂ


ଛୋଟ ବଡ଼ ମାଛ ଯିଏ ଯାହା ପାଇଲା ରାସ୍ତା ଉପରୁ ଗୋଟାଇ ନେଇଥିଲେ । ଆଉ କିଛି ଲୋକ ଜାଲ ଓ ଅନ୍ୟ ସାମଗ୍ରୀ ଦ୍ବାରା ଗୁରୁବାର ଦିନ ତମାମ ମାଛ ଧରୁଥିବା ଦେଖିବାକୁ ମିଳିଥିଲା । ଜାତୀୟ ରାଜପଥରେ ମାଛ ଧରା ଯୋଗୁଁ ରାସ୍ତାରେ ଗାଡ଼ିମଟର ଅନେକ ସମୟ ଧରି ଅଟକି ରହିଥିଲା । ଶେଷରେ ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିଥିଲା । ତେବେବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଜିଲ୍ଲା ସଦର ମହକୁମାଠାରେ ଥିବା ଆଦର୍ଶ କୃଷି ବଜାର ନିକଟରେ ବନ୍ୟା ପାଣିରେ ସୁରକ୍ଷା ବାଡ଼ ଭୁଶୁଡି ପଡ଼ିଛି। ସେହିପରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆଦିବାସୀ ବସ୍ତିରେ ମାଟି ଘର ଭୁଶୁଡି ପଡିବାରୁ 4 ଜଣ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.