କୁକୁଡ଼ାର ଦାମ ୩୦ ହଜାର ଟଙ୍କା, ଆଶ୍ଚର୍ଯ୍ୟ ହେଲେ ବି ସତ

By ETV Bharat Odisha Team

Published : Dec 12, 2023, 10:09 PM IST

thumbnail

ବାଲେଶ୍ବର: ଗୋଟିଏ କୁକୁଡ଼ାର ଦାମ ୩୦ ହଜାର ଟଙ୍କା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏହି କୁକୁଡ଼ା ୩୦ ହଜାର ଟଙ୍କାର ବିକ୍ରି ପାଇଁ ମୁଲଚାଲ ହୋଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଅନନ୍ତପୁର ଅଞ୍ଚଳରେ । ଅନନ୍ତପୁର ଅଞ୍ଚଳର ଭବାନୀ ବିଶ୍ୱାଳ ନାମକ ଯୁବକ ଘରେ କୁକୁଡ଼ା ରଖି ବ୍ୟବସାୟ କରନ୍ତି । ଆଗକୁ ମକର ସଂକ୍ରାନ୍ତି ଆସୁଥିବା ବେଳେ ଏହି ମକର ସଂକ୍ରାନ୍ତି ମୟୂରଭଞ୍ଜରେ ଧୁମଧାମରେ ପାଳନ କରାଯାଏ । ମୟୂରଭଞ୍ଜର ଲୋକମାନେ ଖୁବ ଆନନ୍ଦ ଉଲ୍ଲାସର ସହ ମକର ସଂକ୍ରାନ୍ତି ପାଳନ କରନ୍ତି । ମକର ସଂକ୍ରାନ୍ତିରେ ଅଧିକାଂଶ ସ୍ଥାନରେ କୁକୁଡ଼ା ଲଢେଇ ଆୟୋଜନ କରାଯାଇଥାଏ । ଯେଉଁଥିପାଇଁ ଫାଇଟର କୁକୁଡ଼ାମାନଙ୍କ ଆଵଶ୍ୟକତା ପଡ଼ିଥାଏ । ଏହି ଫାଇଟର କୁକୁଡ଼ାଗୁଡିକ ଲଢେଇରେ ଭଲ ପ୍ରଦର୍ଶନ କରୁଥିବା ଯୋଗୁଁ ଏହାକୁ କିଣିବା ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରିଥାନ୍ତି । 

ଏହା ବି ପଢନ୍ତୁ- Betting Chicken: ଭାରତରୁ 3 ଲକ୍ଷ ଟଙ୍କାରେ ଲଢୁଆ କୁକୁଡ଼ା କିଣିଲେ ଥାଇଲାଣ୍ଡ ନାଗରିକ

ଗଞ୍ଜା ଲଢେଇରେ ଅନେକ ସମୟରେ ଲକ୍ଷ ଲକ୍ଷ ଟଙ୍କା ବାଜି ଲାଗିଥାଏ । ଏଥିପାଇଁ ନିଜ ଗଞ୍ଜାକୁ ଜିତାଇବା ପାଇଁ ମାଲିକ ଏକ ଦମଦାର ଓ ଫାଇଟର ଗଞ୍ଜା ଲେଢେଇର ମଇଦାନରେ ଓହ୍ଲାଇଥାଏ । ଏଥିପାଇଁ ମକର ସଂକ୍ରାନ୍ତିରେ ଲଢେଇ କରିବା ଉଦ୍ଦେଶ୍ୟରେ ମୟୂରଭଞ୍ଜ ବୈଶିଙ୍ଗାରୁ କିଛି ବ୍ୟକ୍ତି ସୋର ଅନନ୍ତପୁର ଭବାନୀ ବିଶ୍ୱାଳଙ୍କ ନିକଟକୁ ଆସିଥିଲେ ଏବଂ ଏହି ଗଞ୍ଜାକୁ ନେବାକୁ ଇଚ୍ଛା କରିଥିଲେ । ଏହି ଗଞ୍ଜାର ମୂଲ୍ୟ ୩୦ ହଜାର ଟଙ୍କା ଶୁଣି ସେମାନେ ଏହାକୁ ୩୦ ହଜାରରୁ କମରେ ନେବାକୁ ଚାହିଁଥିଲେ କିନ୍ତୁ ବ୍ୟବସାୟୀ ଜଣକ ଏହି କୁକୁଡ଼ା ବା ଗଞ୍ଜାକୁ ୩୦ ହଜାର ଟଙ୍କାରେ ହିଁ ବିକ୍ରି କରିବେ ବୋଲି କହିଥିଲେ । ତେଣୁ ଗ୍ରାହକମାନେ ଅର୍ଥ ଯୋଗାଡ଼ କରି ପୁଣି ଆସିବେ କହି ଉକ୍ତ ଦିନ କ୍ରୟ କରିନପାରି ଫେରି ଯାଇଥିଲେ । ଭବାନୀଙ୍କ କହିବା ଅନୁସାରେ ଏହି କୁକୁଡ଼ା କେବେ ହାରିବ ନାହିଁ । ସୁସ୍ଥ ଥିବା ପର୍ଯ୍ୟନ୍ତ ଅନେକ କୁକୁଡ଼ାକୁ ହରାଇ ପାରିବ । ଏଥିପାଇଁ ଏହାର ମୂଲ୍ୟ ଏତେ ଅଧିକ ବୋଲି ଜଣାପଡ଼ିଛି । ଏହି ଘଟଣାଟି ସୋର ଅଞ୍ଚଳରେ ପ୍ରଚାର ହେବା ପରେ କୁକୁଡ଼ାଟିକୁ ଦେଖିବାକୁ ଭବାନୀ ବିଶ୍ୱାଳଙ୍କ ଘରେ ଲୋକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.