କରଞ୍ଜିଆ ବନଖଣ୍ଡରେ ବୁଲୁଛନ୍ତି ହାତୀପଲ, ଆକ୍ରମଣରେ ଜଣେ ଆହତ - elephant terror in mayurbhanj
🎬 Watch Now: Feature Video
Published : Oct 1, 2023, 5:20 PM IST
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି । ହାତୀପଲକୁ ଘଉଡ଼ାଇବାକୁ ଯାଇଥିବାବେଳେ ସେ ଆକ୍ରମଣର ଶିକାର ହୋଇଛନ୍ତି । ସୂଚନା ଅନୁସାରେ, ଚମକପୁର ଗାଁର ସାଧୁ ଚରଣ ଲୁଗୁନ ନାମକ ଜଣେ ଧାନବିଲରୁ ହାତୀପଲକୁ ଘଉଡାଇବା ଯାଇଥିଲେ । ସେହି ସମୟରେ ଏକ ହାତୀ ସାଧୁ ଚରଣଙ୍କୁ ଗୋଇଠା ମାରିବାରୁ ତାଙ୍କ ବାମ ଗୋଡରେ ଆଘାତ ଲାଗିଛି ।
ଏହି ଅଞ୍ଚଳକୁ ୧୮ ଟିକିଆ ହାତୀପଲ ପଶି ଆସିଥିବାବେଳେ ହାତୀ ଉପଦ୍ରବ ଯୋଗୁଁ ଅତିଷ୍ଠ ହୋଇ ପଡିଛନ୍ତି ଅଞ୍ଚଳବାସୀ । ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ବାଲିପୋଷିର ଜଳଲଢିପା ନିକଟରେ ଶନିବାର ରାତିରେ ହାତୀ ଘଉଡାଇବା ସମୟରେ ଜଣେ ଯୁବକ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି । ରାତିରେ ତାଙ୍କୁ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି ।
ଏହା ବି ପଢନ୍ତୁ...ବିରମିତ୍ରପୁର ଝାଡ଼ଖଣ୍ଡି ହାତୀ: ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
ଠାକୁରମୁଣ୍ଡା ରେଞ୍ଜର ଖଣ୍ଡବନ୍ଧ, ପଡିଆବେଡା ଓ ତାଳପଦା ଆଦି 3ଟି ଗ୍ରାମ ପଞ୍ଚାୟତରେ ହାତୀ ଉପଦ୍ରବ ଜାରି ରହିଛି । ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ସେମାନଙ୍କୁ ଜଙ୍ଗଲ ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି । ଅନ୍ୟପଟେ ହାତୀ ଘଉଡାଇବା ପାଇଁ ବନବିଭାଗ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଥିଲେ ସୁଦ୍ଧା ବିଫଳ ରହିଛି । ସେପଟେ ହାତୀ ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ରାଇରଙ୍ଗପୁର