ଟାଟା ବିଦ୍ୟୁତ୍ ମ୍ୟାନେଜମେଣ୍ଟକୁ ବିରୋଧ, ବିଦ୍ୟୁତ୍ କର୍ମଚାରୀ ମହାସଂଘର ବିକ୍ଷୋଭ ପ୍ରଦର୍ଶନ - Electricity Workers Union Rayagada
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 5, 2023, 7:13 AM IST
ରାୟଗଡା: ଟାଟା ବିଦ୍ୟୁତ୍ ମ୍ୟାନେଜମେଣ୍ଟ ବିରୋଧରେ ବିଦ୍ୟୁତ୍ କର୍ମଚାରୀ ମହାସଂଘ ବିକ୍ଷୋଭ । ପ୍ରତିବର୍ଷ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରାଯିବାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ମହାସଂଘ । ଜିଲ୍ଲାର 280 ଜଣ ଟାଟା ବିଦ୍ୟୁତ୍ ଯୋଗାଣ ସଂସ୍ଥା କର୍ମଚାରୀ ଓ ଶ୍ରମିକମାନେ ଓ ଆଉଟସୋର୍ସିଂ କର୍ମଚାରୀମାନେ ଟାଟା ବିଦ୍ୟୁତ୍ କମ୍ପାନୀ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହ ଜିଲ୍ଳା ଅତିରିକ୍ତ ଶ୍ରମ ଅଧିକାରୀଙ୍କୁ 7 ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।
ସୂଚନା ମୁତାବକ ଜିଲ୍ଲାର 280 ଜଣ ଟାଟା ବିଦ୍ୟୁତ୍ କର୍ମଚାରୀ ରାୟଗଡ଼ା ସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଅତିରିକ୍ତ ଶ୍ରମ ଅଧିକାରୀ ନିରଞ୍ଜନ ଭୂୟାଁଙ୍କୁ 7 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । କର୍ମଚାରୀମାନେ ଏକ ଶୋଭାଯାତ୍ରାରେ ବାହାରି ଟାଟା ବିଦ୍ୟୁତ୍ ଯୋଗାଣ ସଂସ୍ଥାର ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ...ବୋନସ ଦାବି ନେଇ ଭାରତୀୟ ମଜଦୂର ସଙ୍ଘର ବିକ୍ଷୋଭ ପ୍ରଦର୍ଶନ
ଶ୍ରମ ଅଧିକାରୀଙ୍କୁ ଦିଆଯାଇଥିବା ଦାବିପତ୍ରରେ କମ୍ପାନି ତରଫରୁ ପ୍ରତିବର୍ଷ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରାଯାଉଥିବାରୁ ଏହାକୁ ମହାସଂଘ ନିନ୍ଦା କରିବା ସହ ଆଗାମୀ ଦିନରେ କର୍ମଚାରୀଙ୍କ ଚାକିରି ଯେଭଳି ସୁରକ୍ଷିତ ରହିବ, ୮ ଘଣ୍ଟା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ନିଜର କର୍ତ୍ତବ୍ୟ କରୁଥିବା ବେଳେ ଯଦି ଏହି ସମୟଠାରୁ ଅଧିକ ସମୟ କାର୍ଯ୍ୟ କଲେ ଓଭରଟାଇମ୍ ଭାବେ ହିସାବ ନେବା, ପ୍ରତିବର୍ଷ ଦରମା ବର୍ଦ୍ଧିତ କରିବା, ପ୍ରତିମାସରେ ଜୋତା ଧୋଇବା ଏବଂ ପଲିସ୍ କରିବା ପାଇଁ ୫୦୦ ଟଙ୍କା ଲେଖାଏଁ ଦେବା, ପ୍ରତି ମାସର ୫ ତାରିଖ ସୁଦ୍ଧା ଦରମା ପ୍ରଦାନ କରିବା, ପ୍ରତି ମାସରେ ପେଟ୍ରୋଲ୍ ବାବଦକୁ ୨୫ଶହ ଟଙ୍କା ଟଙ୍କା ପ୍ରଦାନ କରିବା ଭଳି ଦାବି ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ।
ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହା ସଂଘ ରାୟଗଡ଼ା ଶାଖାର ସମ୍ପାଦକ ବସନ୍ତ କୁମାର ସେନାପତି କହିଛନ୍ତି, "ଯଦି ଟାଟା କମ୍ପାନୀ କତୃପକ୍ଷ ୧ ମାସ ମଧ୍ୟରେ ଦାବି ପୂରଣ ନକରନ୍ତି ତେବେ ଆଗକୁ ଅନିର୍ଦ୍ଦଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ । ଆଗାମୀ ଦିନରେ ବିଦ୍ୟୁତ ବିଲ ସଂଗ୍ରହ କରିବାରେ ନିୟୋଜିତ ଠିକା କର୍ମଚାରୀ ମଧ୍ୟ ସାମିଲ ହେବେ ।"
ଇଟିଭି ଭାରତ,ରାୟଗଡା