କୃଷି ଯନ୍ତ୍ରପାତି ମେଳା ଉଦଘାଟିତ, କୃଷିମନ୍ତ୍ରୀ କହିଲେ କୃଷି ଓ କୃଷକର ଅଭିବୃଦ୍ଧି ପଛରେ ନବୀନଙ୍କ ଅବଦାନ - କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/05-12-2023/640-480-20188038-thumbnail-16x9-f.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 5, 2023, 11:22 AM IST
ଖୋର୍ଦ୍ଧା: ଜିଲ୍ଲାର ହାବେଳି ପଡ଼ିଆରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସୋମବାର ସନ୍ଧ୍ୟାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲା କୃଷି ମୁଖ୍ୟ ଅଧିକାରୀ ଶରତ ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମକୁ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଦଘାଟନ କରିଛନ୍ତି । ଏହି ଅବସରରେ ମହାବାତ୍ୟା ସମୟରେ ରାଜ୍ୟର ସ୍ଥିତି ଓ ବର୍ତ୍ତମାନ ଏଥିରେ ହୋଇଥିବା ପରିବର୍ତ୍ତନ ବିଷୟରେ ଅଭିଭାଷଣ ରଖିଥିଲେ କୃଷି ମନ୍ତ୍ରୀ ।
କୃଷି ମେଳା ଉଦଘାଟନ ଅବସରରେ କୃଷିମନ୍ତ୍ରୀ କହିଛନ୍ତି, "ମହାବାତ୍ୟା ସମୟରେ ଆମ ଓଡ଼ିଶା ନିଅଣ୍ଟିଆ ରାଜ୍ୟ ଭାବେ ପରିଗଣିତ ହୋଇଥିଲା । ଉକ୍ତ ସମୟରେ ଅନ୍ୟ ରାଜ୍ୟରୁ ଚାଉଳ ଆସିଲେ ଦୁଇ ଓଳା ଖାଇବାକୁ ମିଳୁଥିଲା । ମାତ୍ର ବର୍ତ୍ତମାନ ଆମେ ଚାଉଳ ଉତ୍ପାଦନରେ ବଳକା ରାଜ୍ୟରେ ପରିଣତ ହେଉଛି । ପ୍ରତିବର୍ଷ ୨୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ୧୬ଟି ରାଜ୍ୟକୁ ରପ୍ତାନି ହେଉଛି । ଦିନ ଥିଲା ଓଡ଼ିଶା ଭୋକର ଭୂଗୋଳ ଭାବେ ପରିଚିତ ଥିଲା । କିନ୍ତୁ ସେଇ ପାଣି, ପବନ, ଜଙ୍ଗଲ, ମୃର୍ତ୍ତିକା ଏବଂ ଅଫିସର ଥିବା ସତ୍ତ୍ଵେ ଉତ୍ପାଦନ ବୃଦ୍ଧି ପାଇଛି । ରାଜ୍ୟରେ କୃଷି ଓ କୃଷକର ଅଭିବୃଦ୍ଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହୋଇଛି । ଇତିହାସ ପୃଷ୍ଠାରୁ ଭୋକର ଭୂଗୋଳ ହଜିବା ପଛରେ ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଏବଂ ଚାଷୀଭାଇଙ୍କର କଠିନ ପରିଶ୍ରମ ରହିଛି ।"
ଏହାମଧ୍ୟ ପଢନ୍ତୁ.. ଓଡିଶା ମିଲେଟସ ମିଶନକୁ ଗ୍ଲୋବାଲ ମଡେଲ ପୁରସ୍କାର
ଅନ୍ୟପଟେ ଏହି ମେଳାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନାରେ ଚାଷୀମାନେ ବେଶ ଲାଭବାନ ହେଉଛନ୍ତି । ଶସ୍ୟ, ପନିପରିବା, ଡାଲି ଜାତୀୟ ଫସଲ ଅମଳ କ୍ଷେତ୍ରରେ ଆଧୁନିକ କୃଷି ଯନ୍ତ୍ରପାତି ବେଶ ସହାୟକ ହେବ । ସରକାର ଚାଷୀଙ୍କୁ କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ ଯୋଗାଉଥିବାରୁ ଉଭୟ କୃଷି ଓ କୃଷକଙ୍କ ଆର୍ଥିକ ଅଭିବୃଦ୍ଧି ହେଉଛି ।"
ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ, ଗୁମାନସିଂହ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଏବଂ ଅତିରିକ୍ତ ଜିଲ୍ଲାପାଳ ପ୍ରତାପଚନ୍ଦ୍ର ବେଉରା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ 40ଟି କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଷ୍ଟଲ୍ ଏବଂ 20ଟି ମିଶନ ଶକ୍ତିଙ୍କର ପ୍ରଦର୍ଶନୀ ଷ୍ଟଲ ଖୋଲିଥିବା ଦେଖାଯାଇଛି । ବର୍ତ୍ତମାନ ସମୟରେ କୃଷି କାର୍ଯ୍ୟ ପାଇଁ ଶ୍ରମିକ ମିଳୁନଥିବାରୁ ଆଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହୋଇଥିବା ମେସିନ ଦ୍ୱାରା କୃଷିକାର୍ଯ୍ୟ ସହଜ କରିବା ଉଦେଶ୍ୟରେ ଏହି ମେଳାର ଆୟୋଜନ କରାଯାଇଛି । ସେହିପରି ବିଭିନ୍ନ କୃଷି ଯନ୍ତ୍ରପାତି ରିହାତି ଦରରେ ଚାଷୀଙ୍କୁ ଯୋଗାଇ ଦିଆଯାଉଛି ।
ଇଟିଭି ଭାରତ, ଖୋର୍ଦ୍ଧା