thumbnail

ମହାଦେବଙ୍କ ମନ୍ଦିରରେ ଅଲୌକିକ ଘଟଣା, ଚାମଚରେ ପାଣି ପିଇଲେ ମୁଗୁନି ବୃଷଭ

By

Published : Jul 13, 2023, 6:42 PM IST

କେନ୍ଦ୍ରାପଡ଼ା: ବିଶ୍ବାସ, ଅବିଶ୍ବାସ ଆଉ ଈଶ୍ବର ବିଶ୍ବାସ । ଏସବୁ ଭିତରେ ଜିଲ୍ଲା ସଦର ଉପକଣ୍ଠ କେନ୍ଦ୍ରାପଡା ବ୍ଲକ ବାରୋ ପଞ୍ଚାୟତର ତରାଣ୍ଡୋଠାରେ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ । ଦେବ ଦେବ ମହାଦେବଙ୍କ ବାହନ ବୃଷଭ ଚାମଚରେ ପାଣି ପିଉଛନ୍ତି  । ଏଭଳି ଅଲୌକିକ ଘଟଣା ଦେଖିବା ଲାଗି ଜମିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ।  

ତରାଣ୍ଡୋ ଗାଁର ପ୍ରତାପ ଜେନାଙ୍କ ମାନସିକ ଅନୁଯାୟୀ ସେ ଗ୍ରାମର ଆରାଧ୍ୟ ପ୍ରଭୁ ଇଶାନେଶ୍ବରଙ୍କୁ ଏକ ମୁଗୁନି ପଥରର ବୃଷଭ ଦାନ କରିଥିଲେ । ଏହାକୁ ମନ୍ଦିରର ପୂଜକ ଯଥାବିଧି ପୂଜାପାଠ କରି ସ୍ଥାପନ କରିଥିଲେ । ସ୍ଥାପନ ପରେ ମାର୍ଜନା ପାଇଁ ପାଣି ବ୍ୟବହାର କରିବା ମାତ୍ରେ ଉକ୍ତ ମୁଗୁନି ପଥରର ବୃଷଭ ସମସ୍ତ ପାଣି ପିଇ ଯାଉଥିବା ଦେଖିବାକୁ ମିଳିଥିଲା । କୌତୁହଳ ବଶତଃ ପୂଜାରୀ ଜଣଙ୍କ ମହାପ୍ରଭୁଙ୍କ ପୂଜାରେ ବ୍ୟବହୃତ ଗଡୁରୁ ଏକ ଚାମଚ ପାଣି ନେଇ ବୃଷଭଙ୍କ ମୁଖ ନିକଟରେ ଦେଖାଇବା ପରେ ଏହି ପାଣିତକ ଚାମଚରୁ କୁଆଡେ ଉଭେଇ ଯାଇଥିଲା । ପରେ ପୁନଶ୍ଚ ପାଣି ଦେବାରୁ ସମାନ ଅବସ୍ଥା ହେବାରୁ ପୂଜକ ଜଣଙ୍କ ପାଖରେ ଥିବା ଲୋକମାନଙ୍କୁ ଡାକିଥିଲେ ।

ଏହା ବି ପଢନ୍ତୁ-  ଅଲୌକିକ ! ନିମ୍ବ ଗଛରୁ ବାହାରୁଛି କ୍ଷୀର, ଲୋକେ କରୁଛନ୍ତି ପୂଜାର୍ଚ୍ଚନା

ପରେ ଏହି କଥା ପ୍ରଚାରିତ ହେବା ପରେ ଇଶାନେଶ୍ବର ମହାଦେବଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ଓ ଭକ୍ତମାନେ ଗଡୁ ଆଣି ସେଥିରେ ଜଳ ଭର୍ତ୍ତି କରି ସେମାନଙ୍କ ମାନସିକ ରଖି ପୂଜକଙ୍କୁ ବୃଷଭଙ୍କୁ ପାଣି ଦେବା ପାଇଁ ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ଗୋଟିଏ ସ୍ଥାନ ନୁହେଁ ବରଂ ଜିଲ୍ଲାର ଅରୁଆ କଦଳିବଣଠାରେ ଥିବା ମହାଦେବଙ୍କ ମନ୍ଦିରରେ ଥିବା ବୃଷଭ ମଧ୍ୟ ଅନୁରୂପ ଭାବରେ ପାଣି ପିଉଥିବା ସୂଚନା ମିଳିଛି । ଯୋଡ଼ା ଶ୍ରାବଣ ମାସରେ ଦେବଦେଵ ମହାଦେବଙ୍କ ଶୈବପୀଠରେ ଏଭଳି ଅଲୌକିକ ଘଟଣା ଘଟିଥିବା ବେଳେ କିଛି ଲୋକେ ଏହାକୁ ଅନ୍ଧ ବିଶ୍ବାସ ବୋଲି କହିଛନ୍ତି।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.