ଶ୍ରାବଣ ମାସ ପ୍ରଥମ ସୋମବାର: ଖୋର୍ଦ୍ଧାରେ ଶୈବପୀଠ ଚଳଚଞ୍ଚଳ - ଦେବ ଦେବ ମହାଦେବ
🎬 Watch Now: Feature Video
ଖୋର୍ଦ୍ଧା: ବୋଲ ବମ, ହର ହର ବମ । ଏହିପରି ଶିବ ଧ୍ୱନିରେ ପ୍ରକମ୍ପିତ ହେଉଛି ଚତୁଃର୍ଦିଗ । ମହାଦେବଙ୍କ ଆରାଧନା ପାଇଁ କାହିଁ କେତେ ବାଟ ଅତିକ୍ରମ କରି ବିଭିନ୍ନ ଶୈବପୀଠରେ ପହଞ୍ଚୁଛନ୍ତି କାଉଡ଼ିଆ । ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳ ଲାଗି କରୁଛନ୍ତି ହଜାର ହଜାର କାଉଡ଼ିଆ । ଏଥିପାଇଁ ବଡି ଭୋରରୁ ଲୋକାରଣ୍ୟ ହୋଇଛି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶୈବ ପୀଠ । ଖୋର୍ଦ୍ଧା ଗୁରୁଜଙ୍ଗର ଧବଳେଶ୍ବର, ବାଘମାରି ହଟକେଶ୍ୱର ଦେବ,ବାଙ୍କୋଇ ତାରେଶ୍ୱର ଦେବ ,ସୋମନାଥ ଦେବଙ୍କ ପବିତ୍ର ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଦେଖିବାକୁ ମିଳିଛି । ଅନ୍ୟପଟେ ବୋଲ ବମ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଜଳାଭିଷେକ ଏବଂ ଦର୍ଶନ କରିପାରିବେ ସେଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ । ବର୍ଷକ ୧୨ ମାସ ମଧ୍ୟରେ ଶ୍ରାବଣ ମାସ ପବିତ୍ର ମାସ । ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ । ଏହି ଶ୍ରାବଣ ମାସରେ କାଉଡିଆ ଯାତ୍ରା ମଧ୍ୟ ହୁଏ । କୌଣସି ପବିତ୍ର ନଦୀରୁ ମାଟି କଳସରେ ଜଳ ସଂଗ୍ରହ କରି ସେଇ ଜଳକୁ ଅଗୁରୁ, ଚନ୍ଦନ, ଚୁଆରେ ଅଭିମନ୍ତ୍ରିତ କରି ଚାଲି ଚାଲି ଶୈବ ପୀଠରେ ପହଞ୍ଚି ସେହି ଜଳ ଦେବ ଦେବ ମହାଦେବଙ୍କ ମସ୍ତକରେ ଢାଳିଥାନ୍ତି । ଚଳିତ ବର୍ଷ ଯୋଡ଼ା ଶ୍ରାବଣ ପଡ଼ୁଥିବାରୁ ଏହା ଆହୁରି ମହତ୍ୱପୂର୍ଣ୍ଣ ରହିଛି ।
ଇଟିଭି ଭାରତ, ଖୋର୍ଦ୍ଧା