କଟକ: ତେଜିଲା ବାରବାଟୀ ମ୍ୟାଚ୍ ବିଭ୍ରାଟ୍ ପ୍ରସଙ୍ଗ । ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍ ବେଳେ ଫ୍ଲଡ ଲାଇଟ୍ ବନ୍ଦ ହେବା ଘଟଣାରେ ଓଡିଶା କ୍ରିକେଟ ଆସୋସିଏସନ (ଓସିଏ)କୁ ଟାର୍ଗେଟ କଲେ ବରିଷ୍ଠ ରାଜନେତା ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା । ଓସିଏରେ ଦୁର୍ନୀତିର ସୀମା ଟପିଲାଣି । ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ ଭଙ୍ଗ କରାଯାଇ ଉକ୍ତ ଘଟଣା ପାଇଁ ଯିଏ ଦାୟୀ ତା’ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ପ୍ରକାଶ ।
'କଟକର ନାଁ ବଦନାମ ହୋଇଛି':
ଗତକାଲି (ମଙ୍ଗଳବାର) ସାମ୍ବାଦିକ ସମ୍ମିଳନୀ କରି ଓସିଏ ଉପରେ ବର୍ଷିଛନ୍ତି ପ୍ରକାଶ ବେହେରା । ସେ କହିଛନ୍ତି,"କଟକର ନାଁ ବଦନାମ ହୋଇଛି । ଶୀଘ୍ର ଭାଙ୍ଗୁ ‘ଓସିଏ’ । ଦୁର୍ନୀତି ଓ ଅପାରଗତାର ସୀମା ଲଂଘଛି ଓଡିଶା କ୍ରିକେଟ ସଂଘ । ବାରବାଟୀ ଫ୍ଲଡ୍ ଲାଇଟ୍ ବନ୍ଦ ହେବା ଘଟଣାରେ ଯଥାଶୀଘ୍ର ଓଡିଶା କ୍ରିକେଟ୍ ସଂଘ କମିଟିକୁ ରାଜ୍ୟ ସରକାର ଓ ବିସିସିଆଇ ଭାଙ୍ଗନ୍ତୁ । ଏହାବ୍ୟତୀତ ମ୍ୟାଚ୍ ସମୟରେ ଯେଉଁମାନେ ଏଭଳି ଭୁଲ କରିଛନ୍ତି । ତାଙ୍କୁ ଶୀଘ୍ର ଦଣ୍ଡ ମିଳିବା ଆବଶ୍ୟକ । ସବୁ ବ୍ୟବସ୍ଥା ଥାଇ କିପରି ଘଟିଲା ଏହି ଅଘଟଣ । ଯାହା ପାଇଁ ବିଶ୍ୱ ଦରବାରରେ କଟକ ନିନ୍ଦା ଓ ଅପବାଦ ମୁଣ୍ଡାଇଲା । ଟିକେଟ ଓ ପାସ କେଳେଙ୍କାରୀଠୁ ଆରମ୍ଭ କରି ଦଳା ଚକଟା ଓ ଲାଇଟ ବନ୍ଦ ହେବା ପର୍ଯ୍ୟନ୍ତ ସବୁ ଦିଗରେ ଓସିଏର ତାହ ରହିଛି ।
'ନ୍ୟାୟ ନମିଳଲେ କୋର୍ଟର ଦ୍ୱାରସ୍ଥ ହେବି ':
ସେ ଆହୁରି ମଧ୍ୟ କହିଛନ୍ତି," ଏକ ଉଚ୍ଚସ୍ତରୀୟ ତଦନ୍ତ ମାଧ୍ୟମରେ ସରକାର ଓସିଏକୁ ଦଣ୍ଡିତ କରନ୍ତୁ । ଏପରିକି ଘଟଣାରେ ସମ୍ପୃକ୍ତ ଥିବାରେ ପ୍ରତ୍ୟକ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଉ । ଯଦି ସରକାରୀସ୍ତରରେ କୌଣସି ନ୍ୟାୟ ନମିଳେ ତେବେ ବାଧ୍ୟ ହୋଇ କୋର୍ଟର ଦ୍ୱାରସ୍ଥ ହେବି । ବାରବାଟୀରେ ଆନ୍ତର୍ଜାତୀୟ ମ୍ୟାଚ ସମୟରେ ଓସିଏର ଏହା ବଡ଼ ବିଫଳତା । ଯାହା ପାଇଁ ବଦନାମ ହୋଇଛି କଟକ । ଷ୍ଟାଡିଅମରେ ଖେଳ ଚାଲିଥିଲା ବେଳେ କିମିତି ବନ୍ଦ ହୋଇଗଲା ଫ୍ଲଡ଼ ଲାଇଟ । ୨୦ ମିନିଟରୁ ଉର୍ଦ୍ଧ୍ବ ସମୟ ଲାଇଟ ବନ୍ଦ ହେବା ଘଟଣାରେ ଦର୍ଶକ ଓ ଖେଳାଳି ହୋଇଥିଲେ ଅସନ୍ତୁଷ୍ଟ । ଦୀର୍ଘ ୩ ବର୍ଷ ପରେ ବାରବାଟୀକୁ ମ୍ୟାଚ ଫେରିଥିଲା ବେଳେ ଏପରି ଚରମ ଅବହେଳା କିପରି କଲେ ଓଡିଶା କ୍ରିକେଟ ଆସୋସିଏସନ । ଓସିଏର ବେପୁରୁଆ ନୀତି ଯୋଗୁଁ ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିବା ସ୍ପଷ୍ଟ ହେଉଛି ।"
ସାଧାରଣ ନିର୍ବାଚନରେ ବାରବାଟୀ ନିର୍ବାଚନ ମଣ୍ଡଳୀରୁ ବିଜେଡି ଦଳରୁ ବିଧାୟକ ପାର୍ଥୀ ହୋଇ ପରାଜୟ ହେବା ପରେ ଦଳରୁ ଇସ୍ତଫା ଦେଇ ଚର୍ଚ୍ଚାକୁ ଆସିଥିଲେ ପ୍ରକାଶ ବେହେରା । ବର୍ତ୍ତମାନ କୌଣସି ଦଳରେ ନଥାଇ ପ୍ରକାଶଙ୍କ ଏହି ମନ୍ତବ୍ୟ ରାଜନୈତିକ ମହଲରେ ସରଗରମ କରିବା ପାଇଁ ଆଉ ଏକ ଖୋରାଗ ଯୋଗାଇଛି ।
ଇଟିଭି ଭାରତ, କଟକ