Rathakhala Halchal: ତୁମ୍ବରେ ଅର ସଂଯୋଗ ଆରମ୍ଭ - ରଥଖଳା ହାଲଚାଲ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18429600-thumbnail-16x9-vv.jpg)
ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତଙ୍କ ଘୋଷଯାତ୍ରା। ବିଶ୍ବବ୍ରହ୍ମାଣ୍ଡଙ୍କ ବଡ ଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ । ଭୋଇ କମାର ସମେତ ବିଭିନ୍ନ ସେବକ ମାନେ ପ୍ରଭୁଙ୍କ ରଥ ନିର୍ମାଣରେ ନିମଗ୍ନ । ସକାଳୁ ସଂଧ୍ୟା ଯାଏଁ ଶ୍ରୀକ୍ଷେତ୍ର ପୁରୀ ରଥଖଳା ଚଳଚଞ୍ଚଳ । ରଥ ନିର୍ମାଣ କାର୍ଯ୍ୟ ଆଜି ତ୍ରୟୋଦଶ ଦିନରେ ପହଞ୍ଚିଛି । ଆଜି ତୁମ୍ବରେ ଆରମ୍ଭ ହେଲା ଅର ସଂଯୋଗ । ଭୋଇ ସେବକ ମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଥିବା ଯନ୍ତା ଗାଡ଼ରେ ପାରମ୍ପାରିକ ପୂଜା ପରେ ତୁମ୍ବରେ ଅର ସଂଯୋଗ କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି। ରଥ ନିର୍ମାଣକାରୀ ସେବକ ମାନେ ସକାଳ ୮.୦୦ ଟା ରେ ରଥଖଳା ଠାରେ ଉପସ୍ଥିତ ହୋଇ ଦୈନନ୍ଦିନ ପ୍ରକାରେ ଉପସ୍ଥାନ ଦେଇ ତିନିରଥର ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଗତକାଲି ପବିତ୍ର ନୃସିଂହ ଚତୁର୍ଦଶୀ ତିଥି ରେ ରଥ ଖଳାଠାରେ ତିନିରଥର ଗୁଜ,ଅର ଏବଂ ତୁମ୍ବରେ ଅର ସଂଯୋଗ ଅନୁକୂଳ ପୂଜା ବିଧି ମତେ ପାଳିତ ହୋଇଅଛି । ଏଥିପାଇଁ ପୂର୍ବ ଦିନରୁ ରଥ ଆମୀନ ତିନିରଥର ଚାଳିକୁ ଗୁଜ ନିର୍ମାଣ ପାଇଁ ୯ ଗୋଟି ଲେଖାଁଏ ୧୨ ଫୁଟିଆ ଧଉରା କାଠ, ଦୁଇ ଦୁଇଟି ଚକ ପାଇଁ ତିନି ଚାଳିକୁ ୧୧ ଗୋଟି ଲେଖାଁଏ ୧୨ ଫୁଟିଆ ଧଉରା କାଠ ଯୋଗାଇ ଦେଇଥିଲେ । ଯାହାକି ତିନି ରଥର ମୁଖ୍ୟ ମହାରଣା ମାନେ ଗୁଜ କାଠ ଏବଂ ଅର ପଟାରେ ମାହାର୍ଦ ରଖି ନଡ଼ିଆ ପିଟି ଅନୁକୂଳ ପୂଜା କଲା ପରେ ତିନିରଥର ମହାରଣା ମାନେ ଗୁଜ କାଠକୁ ଚଉପଟ କରିବା ସହ ଅର ପଟାକୁ ମାପ ପ୍ରକାରେ କାଟି ତାର ଗୋଟିଏ ପାର୍ଶ୍ବକୁ ସାଲ କରିଥିଲେ। ଯେପରି ତୁମ୍ବ ବିନ୍ଧରେ ସାଲ ହୋଇଥିବା ଅର ସଂଯୋଗ ହୋଇପାରିବ। ସେପଟେ ଦୋଳ ବେଦୀସ୍ଥିତ ଅସ୍ଥାୟୀ କମାର ଶାଳରେ ତିନିରଥର କମାର ସେବକ ମାନେ ତିନି ରଥର ୪୨ ଚକ ପାଇଁ ଅର କଣ୍ଟା ଶେଷ କରିବା ପରେ ତିନିରଥର ୪/୪ ଗୋଟି ତୁମ୍ବ ପାଇଁ ପନ୍ଦାରି ବଳା ନିର୍ମାଣ କରିଛନ୍ତି ।
ଇଟିଭି ଭାରତ, ପୁରୀ