Rathakhala Halchal: ନୃସିଂହ ଚତୁର୍ଦ୍ଦଶୀରେ ହେଲା ଗୁଜ ଅନୁକୂଳ - ରଥଖଳା ହାଲଚାଲ
🎬 Watch Now: Feature Video

ପୁରୀ: ଆସୁଛି ବିଶ୍ବନିୟନ୍ତଙ୍କ ଘୋଷଯାତ୍ରା। ବିଶ୍ବବ୍ରହ୍ମାଣ୍ଡଙ୍କ ବଡ ଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ । ଭୋଇ କମାର ସମେତ ବିଭିନ୍ନ ସେବକ ମାନେ ପ୍ରଭୁଙ୍କ ରଥ ନିର୍ମାଣରେ ନିମଗ୍ନ । ସକାଳୁ ସଂଧ୍ୟା ଯାଏଁ ଶ୍ରୀକ୍ଷେତ୍ର ପୁରୀ ରଥଖଳା ଚଳଚଞ୍ଚଳ । ରଥ ନିର୍ମାଣ କାର୍ଯ୍ୟ ଆଜି ଦ୍ବାଦଶ ଦିନରେ ପହଞ୍ଚିଛି । ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ହୋଇଛି ଗୁଜ ଅନୁକୂଳ । ରୂପକାର ସେବକମାନେ ଧଉରା ଓ ଅସନ କାଠରେ ଗୁଜ ନିର୍ମାଣର ଶୁଭାରମ୍ଭ କରିଛନ୍ତି। ଭୋଇ ସେବକ ମାନେ ୧୨ ଫୁଟିଆ କାଠ ଆଣି ରଥଖଳାରେ ରଖିବା ପରେ ବିଶ୍ବକର୍ମା ମହାରଣାମାନେ ବାରସୀ ଦ୍ବାରା ଚଉପଟ କରି ରୂପକାର ମାନଙ୍କୁ ଜିମା ଦେଇଛନ୍ତି। ଗୁଜ ଜଳଯନ୍ତ୍ର ଓ କୁଡୁକା ଆଦି ତିଆରି ହେବା ପରେ ରୂପକାରମାନେ ଗୁଜରେ ନୃସିଂହଙ୍କ ମୁର୍ତ୍ତି ନିର୍ମାଣ ଆରମ୍ଭ କରିଛନ୍ତି। ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଥିବାରୁ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଭୋଇ ସେବକଙ୍କ ଦ୍ବାରା ଯନ୍ତାଗାଡ ମଧ୍ୟ ଖୋଳା ଯାଇଛି। ପୂର୍ବ ବର୍ଷରୁ ଏହାକୁ ମାଟି ଘୋଡା ଯାଇ ବନ୍ଦ ରଖାଯାଇଥିଲା। ପୂଜା ପରେ ଏହି ଯନ୍ତାଗାଡରେ ଭୋଇ ସେବକମାନଙ୍କ ଦ୍ବାରା ସିଙ୍ଗଡା ବାଡିଆ ହେବ ବୋଲି ଭୋଇ ସର୍ଦ୍ଦାର କହିଛନ୍ତି। ତେଣୁ ଆଜି ଠାରୁ ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବାରୁ ରୂପକାର ସେବାୟତ ମାନେ ବେଶ ଉତ୍ସାହିତ ଅଛନ୍ତି। ପରମ୍ପରା ଅନୁଯାୟୀ ଭଉଁରୀ ଦିନ ତିନିରଥର ୬ ଟି ଚକ ଡେରା ହେବାର ବିଧି ରହିଛି ତେଣୁ ଏନେଇ ରଥଖଳା ଏବେ ଚଳଚଞ୍ଚଳ ହୋଇ ଉଠିଛି।
ଇଟିଭି ଭାରତ, ପୁରୀ