thumbnail

ରଥ ଖଳା ହାଲଚାଲ: ତିନି ରଥରେ ଲାଗିଲା ଦୁଆର ବେଢା

By

Published : Jun 15, 2023, 3:02 PM IST

ପୁରୀ: ପାଖେଇ ଆସିଲାଣ କାଳିଆ ସାଆନ୍ତେଙ୍କ ଘୋଷଯାତ୍ରା । ଚର୍ମଚକ୍ଷୁରେ ବିଶ୍ବନିୟନ୍ତାଙ୍କୁ ଦର୍ଶନ କରିବେ ବିଶ୍ବବାସୀ । ବିଶ୍ବବ୍ରହ୍ମାଣ୍ଡଙ୍କ ଘୋଷଯାତ୍ରା ପାଇଁ ବଡଦାଣ୍ଡ ରଥଖଳାରେ ରଥ ନିର୍ମାଣ ଅନ୍ତିମ ଚରଣରେ । ରଥ ନିର୍ମାଣ 52 ଦିନରେ ପହଞ୍ଚିଥିବା ବେଳେ ତିନିରଥରେ ଋଷି ପଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହି ଋଷି ପଟା ପୋଟଳ ନିମ୍ନ ଭାଗରୁ ତୃତୀୟ ଭୂଇଁ ଶେଣୀ ଚାରି ପାର୍ଶ୍ୱରେ ଦୁଇଟି ଲେଖାଁଏ ୮ ଗୋଟି ଋଷି ପଟା ବାଡ଼ିଆ ଯାଇଛି । ଏଥିସହ ତିନିରଥର ଚାରୋଟି ଲେଖାଁଏ 'ଦୁଆର ବେଢ଼ା' ରଥ ଚାରି ପାର୍ଶ୍ୱରେ ଲାଗିଛି । ଭୋଇ ସର୍ଦ୍ଦାରଙ୍କ ତତ୍ୱାବଧାନରେ ତିନିରଥର ଭୋଇ ସେବକମାନେ ମିଳିତ ଭାବେ ଦୁଆର ବେଢ଼ାଗୁଡିକୁ ବାଉଁଶ ତେଣ୍ଟିଆ ସହାୟତାରେ ଟେକି ତିନିରଥର ମୋଟ ୧୨ ଗୋଟି ଦୁଆର ବେଢ଼ାକୁ ନାଟଗୋଡ଼ରେ ସଂଯୋଗ କରି ରଥରେ ସଂସ୍ଥାପନ କରିଛନ୍ତି । ଏଥିସହ ବେଦୀରେ ପଟା ବାଡ଼ିଆ କାର୍ଯ୍ୟ ତିନିରଥର ମହାରଣା ସେବକମାନେ ଶେଷ କରିଛନ୍ତି । ଆଜି ରଥ କୋଣଗୁଡିକରେ ପଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହେବ ।

ରୂପକାର ସେବକମାନେ ତିନି ରଥର ପ୍ରଭାରେ ରାହୁ ରୂପ, ମଗର ମୁଖ ଏବଂ ଡାଳିଲତା ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି  । ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଶେଷ ହେବା ପରେ ଚିତ୍ରକାର ସେବକମାନେ ପ୍ରଭାରେ ଖୋଦିତ ରୂପରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିବେ । ଚିତ୍ରକାର ସେବକମାନେ ତିନିରଥର ୬ଟି ଅଁଳା, ୩ଟି କଳସ, ୬ଟି ଓଲଟ ଶୁଆ, ୨୪ଟି ନାଟ ଗୋଡ଼, ୨୭ଟି ଶିଖର ଡମ୍ବରୁ, ୨୪ଟି ଋଷି ପଟା, ୩୬ଟି କନ୍ୟାପଟା, ୨୮ଟି ଲେଖାଁଏ ହଂସ ପଟା, ତିନୋଟି ଦଧି ନଉତି ପିତଳ କଳସ, ୧୨ଟି ଘଣ୍ଟି, ୨୭ପାର୍ଶ୍ୱ ଦେବା ଦେବୀ, ୬ଟି ଦ୍ୱାର ପାଳ, ରଙ୍ଗ କାର୍ଯ୍ୟ ସଂପୂର୍ଣ୍ଣ କରିବା ସହ ତିନିରଥର ସାରଥି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି ।  

ରଥ ଉପର ବେଦୀ ତିନି ପାର୍ଶ୍ୱରେ ଗାଇଆଳ ମାଳ ଚିତ୍ର, ପ୍ରଭାରେ ରଙ୍ଗ କାର୍ଯ୍ୟ, ଘୋଡା ଏବଂ ଚଉଦ ନାହାକାରେ ରଙ୍ଗ କାର୍ଯ୍ୟ ବାକି ରହିଛି । ଦୋଳବେଦୀ କମାର ଶାଳ ରେ ଓଝା ସେବକମାନେ କୋଠ ଭୋଗ ରୋଷ ଘର ପାଇଁ ପନିକି ଏବଂ କୋରଣା ନିର୍ମାଣ କରି ଯୋଗାଇବା ସହ, ତିନିରଥର ଦୁଆର ବେଢ଼ା ଫିଟିଙ୍ଗ ପାଇଁ ୧୨ଟି ଧ୍ଵଜ ବତା କଣ୍ଟା ଶେଷ କରିଛନ୍ତି । ଏହାପରେ ସେମାନେ ତିନିରଥ ପ୍ରଭା କଣ୍ଟା ଏବଂ ଧୂଳିଦଣ୍ଡା କଣ୍ଟା ନିର୍ମାଣ କରୁଛନ୍ତି । ଦରଜି ସେବକ ମାନେ ତିନିରଥର ବତା କାନାରେ ଲେସ କାମ, ଚନ୍ଦ୍ର ଶାଳୀ ସମେତ ଦୁଆର ବେଢାରେ ଲେସ ତଥା ସିଲଭର ଫୁଲ ପକା କାର୍ଯ୍ୟ ଶେଷ କରି ପୋଟଳ, ଅଳାଶ୍ରୀ ଏବଂ ପୋଲ ମୁଦ୍ରା ଚାଦର କାର୍ଯ୍ୟ ଜାରି ରଖାଛନ୍ତି । 

ଇଟିଭି ଭାରତ,ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.