RathaKhala Halchal: ତିନି ରଥରେ କଳସ ସ୍ଥାପନା କାର୍ଯ୍ୟ ସମ୍ପନ୍ନ

By

Published : Jun 16, 2023, 3:57 PM IST

thumbnail

ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ତିନି ରଥରେ କଳସ ସ୍ଥାପନା କାର୍ଯ୍ୟ ଶେଷ ହୋଇଛି । ତିନିରଥର ୧୨ ଗୋଟି 'ଦୁଆର ବେଢ଼ା' ରଥ ଉପରକୁ ଉଠିବା ସହ ତିନିରଥ ନିମ୍ନ ଭାଗରେ 8ଟି ଲେଖାଁଏ ୨୪ଟି ଋଷିପଟା ବାଡ଼ିଆ ସମ୍ପନ୍ନ ହୋଇଛି । ତିନିରଥରେ ଶ୍ରୀବିଗ୍ରହମାନଙ୍କ ପ୍ରଭା ଫିଟିଂ ପାଇଁ ଦୁଇଟି ଲେଖାଁଏ 'ଧୂଳିଦଣ୍ଡା' ପଛଆଣି ଚଉଦ ନାହାକାରେ ବାଡ଼ିଆ ଯାଇଛି । ବାକି ରହିଥିବା ରଥ ଉପର ଚାରି ପାର୍ଶ୍ବ କୋଣଗୁଡିକରେ ପଟା ପଡିବା ଶେଷ ହୋଇଛି।  

ତିନିରଥକୁ ଉଠିଥିବା 'ଦୁଆରବେଢ଼ା'ଗୁଡିକୁ ବାନ୍ଧି ରଖିବା ପାଇଁ ଗୋଟିଏ ଗୋଟିଏ 'ଧ୍ବଜବତା' ଦୁଆର ବେଢ଼ା ଚନ୍ଦ୍ରଶାଳି କାପରେ ସେଟିଂ କରାଯାଇ ମଝି ଭୂଇଁ ଛକାଠିରେ ଫିଟିଂ କରାଯାଇଛି । ତିନିରଥର ଚାରି ପାର୍ଶ୍ବ କୋଣଗୁଡ଼ିକରେ 3ଟି ଲେଖାଁଏ 'କଣିଫାଉଡା' ପ୍ରତି ଭୂଇଁ କୋଣମାନଙ୍କରେ ଫିଟିଂ କରାଯାଇଛି । ଏଥିସହ ଏହି କୋଣ ଫାଉଡା ଉପରେ ପ୍ରଥମ ପୋଟଳଠାରୁ ପ୍ରଥମ ଭୂଇଁ ପର୍ଯ୍ୟନ୍ତ 3ଟି ଲେଖାଁଏ 'ମଣ୍ଡଣିବତା' ବା ପତଳା କାଠ ବଟନ ବାଡ଼ିଆ ଯାଇଛି। ତତ୍ପରେ ପ୍ରଥମ ପୋଟଳଠାରୁ ଚନ୍ଦ୍ରଶାଳି ପର୍ଯ୍ୟନ୍ତ 2ଟି ଲେଖାଁଏ 'ହାତିଆଳମାଳ' ବାଡ଼ିଆ ଯାଉଛି । ଫଳରେ ରଥର ଗଠନ ଶୈଳୀ ସୁନ୍ଦର ଦିଶିବା ସହ ରଥକନା ପଡିବାରେ ସହାୟକ ହୋଇଥାଏ । 

ଏହା ବି ପଢନ୍ତୁ- ସମର୍ପଣ ଭକ୍ତି ବିନା ମହାପ୍ରଭୁଙ୍କ ଯାତ୍ରା ଅସମ୍ଭବ: ଗଜପତି ମହାରାଜା

ରୂପକାର ସେବକମାନେ ତିନିରଥର 'ପ୍ରଭା'ରେ ରୂପ ଖୋଦେଇ ଶେଷ କରି ରଥରେ ଘୋଡା ସେଟିଂ ପାଇଁ ୧୩ ଫୁଟର ୩ ଗୋଟି 'ଇଶ ଜୁଆଳି', ୩ ଗୋଟି ଲେଖାଁଏ ଆଶା ବାଡ଼ି, ନନ୍ଦିଘୋଷ ରଥ ଏବଂ ତାଳଧ୍ବଜ ରଥ ସାରଥୀଙ୍କ 'ସାରଥୀ କିରଣ' ନିର୍ମାଣ ଆରମ୍ଭ କରିଛନ୍ତି । ଚିତ୍ରକାର ସେବକମାନେ ତିନିରଥର ବେଦୀ ତିନିପାର୍ଶ୍ବରେ ଗାଈ ପଲ ଚିତ୍ର ଅଙ୍କନ ଶେଷ କରିବା ସହ ଘୋଡାଗୁଡିକର ରଙ୍ଗ କାର୍ଯ୍ୟ ରଥ ବାହ୍ୟ ଅଂଶ ଏବଂ ପ୍ରଭାରେ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ କରିଛନ୍ତି ।  

ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନିରଥର ୧୨ଟି ଧୂଳି ଦଣ୍ଡା କଣ୍ଟା, ୧୨ ଟି ଦୁଆର ବେଢ଼ାର ଧ୍ୱଜବତା କଣ୍ଟା, ଯୋଗାଇ ପ୍ରଭା ବିଡ଼ିଆ କଣ୍ଟା ନିର୍ମାଣ କରୁଛନ୍ତି। ତିନିରଥର ଦରଜି ସେବକମାନେ ତିନିରଥ ପାଇଁ ବତା କନାର ବିଳାଶ ପଟିରେ ଲେସ, ଫୁଲ କାମ, ଦୁଆର ବେଢ଼ା କନାରେ ଜାରି ଜମ୍ବୁରା କାମ, ଚନ୍ଦ୍ରଶାଳି ଏବଂ ଅଁଳାଶ୍ରୀରେ ଲେସ, ଚିକଣ ଚକି, ଫୁଲ କାମ ଶେଷ ହୋଇ, ସାରଥୀ ପୋଷାକ, ଛତି, ପୋଲିସ ପତାକା, ଭୋଇ ସେବକଙ୍କ ପତାକା ଏବଂ ଚାନ୍ଦୁଆ କାର୍ଯ୍ୟ କରୁଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.