ବୋଲଗଡ଼ ମହୋତ୍ସବରେ କଳା ଓ ସଂସ୍କୃତିର ଝଲକ - ବୋଲଗଡ଼ ମହୋତ୍ସବ
🎬 Watch Now: Feature Video
Published : Dec 29, 2023, 3:18 PM IST
ଖୋର୍ଦ୍ଧା : ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଭାଇଚାରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ 2004 ମସିହାରୁ ବୋଲଗଡ଼ ବାମନ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆରମ୍ଭ ହୋଇଆସୁଛି ବୋଲଗଡ଼ ମହୋତ୍ସବ 'ଆଶା' । ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନେ ପ୍ରଦର୍ଶନ କରୁଛନ୍ତି କଳା ନୈପୁଣତା । ଶୀତୁଆ ସନ୍ଧ୍ୟାରୁ ଆରମ୍ଭ ହେଉଥିବା ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି ।
ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ପ୍ରତିଦିନ ନୂଆ ନୂଆ ଲୋକ କଳା ପ୍ରଦର୍ଶିତ ହେଉଛି । ଏଥିରେ ରହିଛି ନୂଆପଡ଼ାର ଦୁଲଦୁଲି, କୋରାପୁଟର ଢେମସା, ଗଞ୍ଜାମର ପଶୁ ନୃତ୍ୟ, ସୁନ୍ଦରଗଡର ଝୁମର ଏବଂ ମୟୂରଭଞ୍ଜର ଛଉ ନୃତ୍ୟ । ସେହିପରି ପ୍ରତିଦିନ ସ୍ଥାନୀୟ କଳାକାରଙ୍କ ଦ୍ଵାରା ଖଞ୍ଜଣି ଭଜନ, ସଂକୀର୍ତ୍ତନ, ଦଣ୍ଡନୃତ୍ୟ, କେନ୍ଦରା ବାଦନ, ପାଇକ ଅଖଡା ଓ ପାଲା ପରିବେଷଣ କରାଯାଉଛି । ମହୋତ୍ସବରେ ଜନସାଧାରଣଙ୍କୁ ଆହୁରି ଆକର୍ଷଣୀୟ କରିବା ପାଇଁ ପଡ଼ିଆରେ ମିନାବଜାର, ଦୋଳି, ବିଭିନ୍ନ ଘରକରଣା ସାମଗ୍ରୀ ଓ ଚଟପଟି ଖାଦ୍ୟର ମଜା ନେଉଛନ୍ତି ଦର୍ଶକ । ପ୍ରତିଦିନ ସନ୍ଧ୍ୟାରେ ମହୋତ୍ସବ କମିଟି ପକ୍ଷରୁ ସଭାକାର୍ଯ୍ୟ କରାଯାଇ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଉଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରହି ଉପଭୋଗ କରୁଛନ୍ତି ଦର୍ଶକ । ବୋଲଗଡ଼ ମହୋତ୍ସବକୁ ଆସି କଳା ପ୍ରଦର୍ଶନ କରି ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି କଳାକାର ।
ଏହା ମଧ୍ୟ ପଢ଼ନ୍ତୁ....ବୌଦ୍ଧର ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ ଉଦଯାପିତ
ଇଟିଭି ଭାରତ, ଖୋର୍ଦ୍ଧା