thumbnail

କେନ୍ଦ୍ର ଯୋଜନାରେ ଷ୍ଟିକର୍‌ ଲଗାଇବା ଛାଡ଼ି ଲୋକଙ୍କ ପାଖରେ ପହଞ୍ଚନ୍ତୁ ରାଜ୍ୟ ସରକାର: ବିଜେପି

By

Published : Jul 18, 2023, 7:48 PM IST

ଭୁବନେଶ୍ବର: ନୀତି ଆୟୋଗର ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (Multidimensional Poverty Index - 2023) ରିପୋର୍ଟ ପ୍ରକାଶ ପାଇଛି । ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ସଂଗୃହିତ ତଥ୍ୟରୁ ସ୍ପଷ୍ଟ ଯେ ଭାରତରେ ୧୩ କୋଟି ୫୦ ଲକ୍ଷ ଲୋକ ଦାରିଦ୍ର୍ୟ କବଳରୁ ମୁକୁଳିଛନ୍ତି । ୧୨ଟି ଇଣ୍ଡିକେଟରକୁ ନେଇ ରିପୋର୍ଟ ପ୍ରକାଶ ପାଇଛି । କିନ୍ତୁ ୨୩ ବର୍ଷ ଶାସନ କାଳରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ । ବଡ଼ ରାଜ୍ୟ ଗୁଡ଼ିକ ଭିତରେ ଓଡ଼ିଶାର ସ୍ଥାନ ତଳ ଆଡୁ ସପ୍ତମ । ଏହା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...Niti Aayog Report: ଦେଶରେ କମିଛି ଦାରିଦ୍ର୍ୟ, ମାଲକାନଗିରିରେ ଗରିବୀ ହାର ସର୍ବାଧିକ

ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, "ରାଜ୍ୟରେ ଦାରିଦ୍ର୍ୟ ଦୂର ହୋଇଥିବା ଲୋକଙ୍କ ସଂଖ୍ୟା ୬୨ ଲକ୍ଷ ୬୨ ହାଜରରେ ସୀମିତ । ଓଡ଼ିଶାରେ ଦାରିଦ୍ର୍ୟ ଦୂରୀକରଣ ଯୋଜନା ବିଫଳ ହୋଇଛି । ୨୩ ବର୍ଷର କୁଶାସନରେ ଶିଶୁ ଅପପୁଷ୍ଟିର ଶିକାର । ରାଜ୍ୟରେ ଏକ ତୃତୀୟାଂଶ ଶିଶୁ କୁପୋଷଣର ଶିକାର । ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା ଅଧିକ ଦିଆଯାଇଛି । କିନ୍ତୁ ଓଡ଼ିଶା କାହିଁକି ପଛରେ ପଡ଼ିଛି ? ଆଦିବାସୀ ବହୁଳ ଅଞ୍ଚଳରେ ସ୍ଥିତି ଅତି ସଙ୍ଗୀନ । କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ଗଜପତି, କେନ୍ଦୁଝର ଭଳି ଜିଲ୍ଲା ଗୁଡ଼ିକରେ ଦାରିଦ୍ର୍ୟର ସାଙ୍ଘାତିକ ଚିତ୍ର ଦେଖିବାକୁ ମିଳୁଛି । ଖଣି ବହୁଳ କେନ୍ଦୁଝର ଜିଲ୍ଲା ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି । ଡିଏମ୍‌ଏଫ୍ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସରକାର ବିଫଳ । ୫ ବର୍ଷ ତଳେ ଯେଉଁ ସ୍ଥିତି ଓଡ଼ିଶାରେ ଥିଲା । ଏବେ ମଧ୍ୟ ସମାନ ସ୍ଥିତିରେ ଅଛି । କୌଣସି ପରିବର୍ତ୍ତନ ହୋଇନାହିଁ । ରାଜ୍ୟ ସରକାର କେନ୍ଦ୍ର ଯୋଜନାରେ ରାଜ୍ୟର ଷ୍ଟିକର୍‌ ଲଗାଇବା ଛାଡ଼ି ଲୋକଙ୍କ ପାଖରେ ପହଞ୍ଚିବା ଦିଗରେ କାର୍ଯ୍ୟ କରନ୍ତୁ ।" ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ବିଜେପି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଅନେକ କଥା ଉଠାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.