SPଙ୍କ ଯୋଗଦାନକୁ 5ମାସ; ଆରମ୍ଭରୁ ଅପରେସନ୍, ଆଗକୁ ଅନେକ ପଦକ୍ଷେପ - ବାଲେଶ୍ଵର ଏସ୍ପି ସାଗରିକା ନାଥ
🎬 Watch Now: Feature Video
ବାଲେଶ୍ଵର: ଗତ ଜାନୁଆରୀ ୧ ତାରିଖରେ ବାଲେଶ୍ବର ଏସ୍ପି ଭାବେ ଯୋଗ ଦେଇଥିଲେ ସାଗରିକା ନାଥ । ପ୍ରଥମ ଦିନରୁ ହିଁ ବ୍ରାଉନସୁଗାର କାରବାର ଉପରେ ରୋକ ଲଗାଇବା ଉପରେ ପଦକ୍ଷେପ ନେଇଥିଲେ ଏସ୍ପି ସାଗରିକା ନାଥ । ଏହାପରେ ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଏସ୍ପିଙ୍କ ନିର୍ଦ୍ଦେଶରେ ବିଭିନ୍ନ ଥାନା ଅଞ୍ଚଳରେ ଅପରେସନ ସ୍ୟାଣ୍ଡ ଷ୍ଟର୍ମ ମାଧ୍ୟମରେ ବେଆଇନ ବାଲି ଚାଲାଣ ରୋକିବା ଦିଗରେ ଆରମ୍ଭ ହୋଇଥିଲା କାର୍ଯ୍ୟାନୁଷ୍ଠାନ । ତେବେ ଏସ୍ପିଙ୍କୁ ଯୋଗଦାନ କରିବାର ୫ ମାସ ଭିତରେ କଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଆଗାମୀ ଦିନରେ କେଉଁପ୍ରକାର କାର୍ଯ୍ୟାନୁଷ୍ଠାନ ନେବାର ଲକ୍ଷ୍ୟ ରଖିଛି ବାଲେଶ୍ଵର ପୋଲିସ, ସେନେଇ ଆମେ ଆଲୋଚନା କରିଥିଲୁ ଖୋଦ ବାଲେଶ୍ଵର ଏସ୍ପି ସାଗରିକା ନାଥଙ୍କ ସହ ।
ପାଟ୍ରୋଲିଂକୁ ଦିଆଯାଉଛି ଗୁରୁତ୍ବ: ଏସ୍ପି ସାଗରିକା ନାଥ ବାଲେଶ୍ଵରରେ ଯୋଗଦାନ କରିବା ପରେ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀ ତଥା ଜିଲ୍ଲାସ୍ତରୀୟ ପୋଲିସ ଅଧିକାରୀମାନେ ମିଳିମିଶି ଏକ ଟିମ ହୋଇ ଅପରାଧ ରୋକିବା ପାଇଁ ପଦକ୍ଷେପ ନେଉଛନ୍ତି । ଏମିତିକି ପୋଲିସ ପାଟ୍ରୋଲିଂକୁ ଗୁରୁତ୍ବ ଦିଆଯାଇଥିବା କଥା ଏସ୍ପି କହିଛନ୍ତି । ଗାଁ ଠାରୁ ଆରମ୍ଭ କରି ଜାତୀୟ ରାଜପଥ ପାଟ୍ରୋଲିଂ ଉପରେ ଗୁରୁତ୍ବ ଦିଆଯାଇଛି । ଯାହାର ନେତୃତ୍ବ ଜଣେ ଡିଏସ୍ପି ନେଇଛନ୍ତି । ସେହିପରି ଅପରେସନ ସ୍ୟାଣ୍ଡ ଷ୍ଟର୍ମ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୧୫୪ଟି ମାମଲା ବିଭିନ୍ନ ଥାନାରେ ରୁଜୁ କରାଯାଇଛି । ଏହାସହ ବାଲି ମାଫିଆଙ୍କ ବିରୋଧରେ ଆକ୍ସନ ସମୟରେ ୧୫୨ ଗାଡି ଜବତ କରାଯାଇଥିବା ବେଳେ ୯୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବାଲିଆପାଳ, ଜଳେଶ୍ବର, ସୋର, ଖଇରା, ସଦର ଥାନା ଅଞ୍ଚଳରେ ବ୍ୟାପକ ଭାବେ ଅପରେସନ ସ୍ୟାଣ୍ଡ ଷ୍ଟର୍ମ ଜରିଆରେ ଚଢ଼ାଉ କରାଯାଇଛି । ଏହାକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ଏସ୍ପି ସାଗରିକା ନାଥ କହିଛନ୍ତି ।
ସହରରେ ବଢ଼ିବ ସିସିଟିଭି ସଂଖ୍ୟା: ସେହିଭଳି ବାଲେଶ୍ଵର ସହରରେ ଲାଗିଥିବା ସିସିଟିଭି ୧୨ଟି ସ୍ଥାନରେ ଖରାପ ଥିବାବେଳେ ବାଲେଶ୍ଵର ପୋଲିସ ବର୍ତ୍ତମାନ ୩୦ଟି ଛକ ଚିହ୍ନଟ କରିଛି । ଯେଉଁଠାରେ ସହଯୋଗ ପ୍ରକଳ୍ପ ମାଧ୍ୟରେ ସିସିଟିଭି ଲାଗିବ । ୧୨ଟି ସ୍ଥାନରେ ପୂର୍ବରୁ ସିସିଟିଭି ଲାଗିଥିବାବେଳେ ଏବେ ଆଉ ୧୮ଟି ସ୍ଥାନକୁ ଚିହ୍ନଟ କରାଯାଇଛି । ବାଲେଶ୍ଵର ସମେତ ସୋର, ଜଳେଶ୍ବର ଆଦି ସ୍ଥାନରେ ମଧ୍ୟ ସିସିଟିଭି ଲାଗିବ । ଏହାର ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ ଥାନାରେ କଣ୍ଟ୍ରୋଲ ରୁମ କରାଯିବ । ଏହାସହ ସହରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ବ୍ୟାଙ୍କ ଗୁଡିକରେ ଲାଗିଥିବା ସିସିଟିଭିର ତଦାରଖ ମଧ୍ୟ ପୋଲିସ କରିବ । ଏହା ଅପରାଧ ରୋକିବା ଦିଗରେ ସହାୟକ ହେବ । ଏଭଳି ସହଯୋଗ ପ୍ରକଳ୍ପ ମାଧ୍ୟମରେ ଦୁଇଟି ଡକାୟତି ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ପାରିଛି । ବର୍ତ୍ତମାନ ସୁଦ୍ଧା ୬ଟି ସ୍ଥାନରେ ସହଯୋଗ ପ୍ରକଳ୍ପ ମାଧ୍ୟରେ ସିସିଟିଭି ଲଗାଯାଇଛି ।
ସୋସିଆଲ ମିଡିଆ ଅପରାଧ ପାଇଁ ସାଇବର ଥାନା ସଜାଗ: ସେହିପରି ସୋସିଆଲ ମିଡିଆର ଏକ କମେଣ୍ଟକୁ ନେଇ ରେମୁଣା ଗୋଲେଇ ନିକଟରେ ଗୁଳିକାଣ୍ଡ ହେବା ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ମାତ୍ର ଏବେ ସୋସିଆଲ ମିଡିଆରେ ଯୁବଗୋଷ୍ଠୀ ନିଜର ପ୍ରଶଂସକ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ଅଶାଳୀନ ପୋଷ୍ଟ କରୁଛନ୍ତି । ଏହାସହ କମେଣ୍ଟ ଦେବାକୁ ନେଇ ମଧ୍ୟ ଅନେକ ସମୟରେ ଗଣ୍ଡଗୋଳ ସୃଷ୍ଟି ହେଉଛି । ଏଥିପାଇଁ ବାଲେଶ୍ଵର ପୋଲିସ ସଜାଗ ରହିଥିବା ବେଳେ ସାଇବର ଥାନା ଏଥିପ୍ରତି ବିଶେଷ ଦୃଷ୍ଟି ରଖିଛି । ମିଥ୍ୟା ଖବର ଠାରୁ ଆରମ୍ଭ କରି ଅଶାଳୀନ ମନ୍ତବ୍ୟ ଉପରେ ମଧ୍ୟ ସାଇବର ଥାନା ଧ୍ୟାନ ରଖିଛି । କୌଣସି ସମ୍ବେଦନଶୀଳ ପୋଷ୍ଟ କିମ୍ବା କମେଣ୍ଟ ପ୍ରତି ନଜର ରଖିବ ସାଇବର ଥାନା । ଏହାସହ ଆଜିର ଯୁବପୀଢି ଏଭଳି ଅଶାଳୀନ ମନ୍ତବ୍ୟ ଓ ପୋଷ୍ଟ ଠାରୁ ଦୂରେଇ ରହି ଭଲ କଣ୍ଟେଣ୍ଟ୍ ପୋଷ୍ଟ କରିବା ପାଇଁ ବାଲେଶ୍ବର ଏସ୍ପି ସାଗରିକା ନାଥ ପରାମର୍ଶ ଦେଇଛନ୍ତି ।
ଇଟିଭି ଭାରତ, ବାଲେଶ୍ବର