ସଂସଦରେ ମିଛ କହିବା ରାହୁଲଙ୍କ ଅଭ୍ୟାସ: ଅନୁରାଗ ସିଂହ ଠାକୁର

By

Published : Mar 24, 2023, 4:41 PM IST

thumbnail

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନ ସମୟରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରି 'ମୋଦି' ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ଘଟଣାରେ ସୁରଟ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀ ସାବ୍ୟସ୍ତ ହେବାର ୨୪ ଘଣ୍ଟା ଭିତରେ ରାହୁଲଙ୍କ ସାଂସଦ ପଦ ରଦ୍ଦ କରାଯାଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

୨୦୧୯ ନିର୍ବାଚନ ସମୟରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରି 'ମୋଦି' ସାଙ୍ଗିଆକୁ ନେଇ ରାହୁଲ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ, "ସମସ୍ତ ଚୋରଙ୍କ ସର୍‌ନେମ୍‌ ମୋଦି କାହିଁକି ?" ଲଳିତ ମୋଦି, ନୀରବ ମୋଦିଙ୍କ ଉଦାହରଣ ଦେବା ସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଇସାରା କରିଥିଲେ । ତେବେ ଏନେଇ ଗୁଜୁରାଟର ଜଣେ ବିଜେପି ବିଧାୟକଙ୍କ ସୁରଟ କୋର୍ଟରେ ରାହୁଲଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ୪ ବର୍ଷ ତଳର ଏହି କେସର ଶୁଣାଣି କରି ସୁରଟ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ରାହୁଲ ଦୋଷୀ ସାବ୍ୟସ୍ତ ହେବାର ୨୪ ଘଣ୍ଟା ମଧ୍ୟରେ ତାଙ୍କର ସାଂସଦ ପଦକୁ ରଦ୍ଦ କରାଯାଇଛି ।  

ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, "ନାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧି ବେଲରେ ରହିଛନ୍ତି । ସଂସଦରେ ମିଛ କହିବା ତାଙ୍କର ଅଭ୍ୟାସ । ମୁଁ ଭାବୁଛି, ରାହୁଲ ଗାନ୍ଧି ଭାବୁଛନ୍ତି ସେ ସଂସଦ, ଆଇନ ଓ ଦେଶର ଉପରେ । ତାଙ୍କୁ ସ୍ବତନ୍ତ୍ର ଅଧିକାର ମିଳିଛି ଓ ଗାନ୍ଧି ପରିବାର ସବୁକିଛି କରିପାରେ ।" ସେହିଭଳି ଯିଏ ଯେଉଁ ଭଳି କର୍ମ କରେ, ସେ କର୍ମ ଅନୁସାରେ ଫଳ ପାଏ ବୋଲି କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ସେ କହିଛନ୍ତି, "ରାହୁଲ ଗାନ୍ଧି ଯାହା କରିଛନ୍ତି, ସେ ତାର ଫଳ ଭୋଗୁଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.