Akshya Trutiya: ଶୁଭ ତିଥିରେ ଚାଷ କାମ ଅନୁକୂଳ କରିଛି ଚାଷୀ - ବଲାଙ୍ଗୀରରେ ଅକ୍ଷୟ ତୃତୀୟା
🎬 Watch Now: Feature Video
ବଲାଙ୍ଗୀର : ଆଜି ପବିତ୍ର ଅକ୍ଷୟ ତୃତୀୟା । ଏନେଇ ବଲାଙ୍ଗୀର ଜିଲ୍ଲାରେ ଏହି ଶୁଭ ତିଥିରେ ଚାଷ କାମ ଅନୁକୂଳ କରିଛି ଚାଷୀ । ଯେଉଁଥିରେ ଜିଲ୍ଲାର ଚାଷୀ ଆଜି ତାଙ୍କର ପାରମ୍ପରିକ ରୀତି ଅନୁସାରେ ଲକ୍ଷ୍ମୀ ମାଆଙ୍କ ଆବାହନ କରିବା ସହ ମାଟି, କୃଷି ଉପକରଣ ଓ ଚାଷ ପାଇଁ ବ୍ୟବହୃତ ପଶୁଙ୍କ ପୂଜା ଅର୍ଚ୍ଚନା କରିଛନ୍ତି । ସେହିପରି ନିଜର ଲାଭ କ୍ଷତି ହିସାବ କରିବା ସହ ପାଞ୍ଜି ଅନୁସାରେ ସମୟ ତିଥି ଧାର୍ଯ୍ୟ କରି ଚାଷୀ ତାଙ୍କର କ୍ଷେତରେ ଚାଷ କାମ ଆରମ୍ଭ କରିଛି । ଯେଉଁଥିରେ ଚାଷୀ କ୍ଷେତରେ ଲଙ୍ଗଳ ବୁଲାଇବା ସହ ଧାନ ବିହନ ସିଞ୍ଚନ କରିଛି ।
ସେପଟେ ଏଥର ବଲାଙ୍ଗୀର ପ୍ରଶାସନ ଓ କୃଷି ବିଭାଗ ମଧ୍ୟ ଆସନ୍ତା ବର୍ଷ ଚାଷ ପାଇଁ ବ୍ଳୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛି । ମୋଟ 3 ଲକ୍ଷ ହେକ୍ଟରରେ ଧାନ ଚାଷ ପାଇଁ ଟାର୍ଗେଟ ରଖିଥିବା ବେଳେ ଧାନ ଚାଷ ସହ ଅନ୍ୟାନ୍ୟ ଚାଷ ପାଇଁ ମଧ୍ୟ ପାଗ ଅନୁକୂଳ ହେବ ଓ ଚାଷ ହେବ ବୋଲି କୃଷି ବିଭାଗ ଆଶା ରଖିଛି । ସେପଟେ ଚାଷୀ ବିରଞ୍ଚି ରାଉତ ଆଜିର ଦିନକୁ ଚାଷୀଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ଦିନ ବୋଲି କହିଛନ୍ତି । ଆଜି ସେମାନେ ମା ଲକ୍ଷ୍ମୀଙ୍କ ପୂଜା ସହ ନିଜ ମାଟି ମା'ର ପୂଜା କରି ଚାଷ କାମ ଅନୁକୂଳ କରିଥିବା କହିଛନ୍ତି । ସେହିପରି ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଏହି ଦିନକୁ ଶୁଭ ଦିନ ବୋଲି କହିଛ୍ତି । ଏହି ଦିନରେ ଯାହା ଆରମ୍ଭ ହୁଏ ତାର କ୍ଷୟ ହୋଇ ନ ଥାଏ ବୋଲି ବିଶ୍ୱାସ ଥିବାର ସେ କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର