ରାଜରାସ୍ତାକୁ ଓହ୍ଲଲାଇଲେ ଆଦିବାସୀ କଲ୍ୟାଣ ସଂଘ, ଯୋଜନା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
🎬 Watch Now: Feature Video
ନୂଆପଡ଼ା: ଆଦିମ ଜନଜାତି ଆଦିବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ନୂଆପଡ଼ା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଜିଲ୍ଲାର ପାଞ୍ଚ ଗୋଟି ବ୍ଲକରୁ ଶତାଧିକ ଆଦିବାସୀ ନିଜ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ବେଶ ଭୁଷାରେ ସଜ୍ଜିତ ହୋଇ ନୂଆପଡ଼ା ଏକତା ଛକ ଠାରେ ଏକତ୍ରିତ ହୋଇଥିଲେ । ଏହା ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ପ୍ରତିବାଦ ସଭା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜୋରରେ ଧସେଇ ପଶିବାକୁ ଉଦ୍ୟମ ବେଳେ ସୁରକ୍ଷା ବାହିନୀ ଏବଂ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ବିଗତ ଦିନରେ ଜଙ୍ଗଲ ଜମିପଟ୍ଟା ପାଇଁ ଷୋହଳ ହଜାର ଆବେଦନ ପତ୍ର ଦେଇଥିଲେ ହେଁ ଏଯାଏଁ କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ କରିଥିଲେ। ବିଭିନ୍ନ ଯୋଜନାରେ ଆଦିବାସୀଙ୍କ ଉନ୍ନୟନ ପାଇଁ କୋଟି କୋଟି ଟଙ୍କା ସରକାର ପ୍ରଦାନ କରୁଛନ୍ତି ହେଲେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ମନମୁଖୀ ଭାବରେ ବ୍ୟାପକ ଦୁର୍ନୀତି କରିଥିବା ସଂଘ ଅଭିଯୋଗ କରିଛି । ଏଥିସହ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ କୁଶପୁତ୍ତଳିକ ଦାହ କରିଥିଲେ । ଏନେଇ ଆଦିବାସୀ ସଂଘ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ଆଗାମୀ ଦିନରେ ଆଦିବାସୀଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଓ ଶୋଷଣ ବନ୍ଦ ନହେଲେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରିବେ ବୋଲି ଆଦିବାସୀ କଲ୍ୟାଣ ସଂଘ ସଭାପତି ଓ ସମ୍ପାଦକ ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ନୂଆପଡ଼ା