ଛତର ଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ - kalahandi news
🎬 Watch Now: Feature Video
ଭବାନୀପାଟଣା: ଜିଲ୍ଲାର ଇଷ୍ଟଦେବୀ ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାରେ ପଶୁବଳି ସମ୍ପର୍କରେ ୨୦୧୭ରେ କଟକର ଜଣେ ସମାଜସେବୀ ଜୟନ୍ତୀ ଦାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା କରିଥିଲେ। ଜାନୁଆରୀ ୬ ତାରିଖ ୨୦୨୦ରେ ଓଡିଶା ହାଇକୋର୍ଟ ଏହି ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଛତର ଯାତ୍ରାରେ ପଶୁବଳି ଉପରେ ନିଷେଦ୍ଧାଜ୍ଞ ଆଦେଶ ଦେଇଥିଲେ। ଶହ ଶହ ବର୍ଷ ଧରି ପ୍ରଚଳିତ ପ୍ରଥା ଓ ପରମ୍ପରାକୁ ନିଷେଧ କରିବା ସହ ହାଇକୋର୍ଟଙ୍କ ଏହି ଆଦେଶରେ କଳାହାଣ୍ଡି ଜନସାଧାରଣଙ୍କ ଧର୍ମିୟ ଭାବନାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ବୋଲି ଦର୍ଶାଇ ଭବାନୀପାଟଣାର ସମାଜସେବୀ ଭବାନୀଶଙ୍କର ନିଆଲ ମାନ୍ୟବର ସୁପ୍ରିମକୋର୍ଟରେ ଏକ ସ୍ବତନ୍ତ୍ର ଲିଭି ପିଟିସନ କରି ଏଥିରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପାଇଁ ନିବେଦନ କରିଥିଲେ। ମାନ୍ୟବର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ବିଚାରପତି ଏ.ବୋପାନ୍ନା ଓ ଭି ରାମ ଶୁଭ୍ରମନ୍ୟନଙ୍କୁ ନେଇ ଗଠିତ 3 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟଙ୍କ ଡବ୍ଲୁପି (ସି)ନଂ ୧୦୮୨୭/୨୦୧୭ର ୨୦୨୦ ମସିହା ଜାନୁଆରୀ ୬ ତାରିଖରେ ଦେଇଥିବା ଆଦେଶ ଉପରେ ଅନ୍ତରୀଣ ରହିତାଦେଶ ଦେଇଛନ୍ତି। ଫଳରେ ମାଣିକେଶ୍ବରୀଙ୍କ ଦଶହରା ଓ ଛତର ଯାତ୍ରାରେ ପରମ୍ପରା ଅନୁଯାୟୀ ବିଧି ବିଧାନ ପୂର୍ବକ ସମସ୍ତ ପୂଜା ନୀତି କରିବା ପାଇଁ ସମସ୍ତ ପଥ ସୁଗମ ହୋଇଯାଇଛି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ