ତପସ୍ବିନୀଙ୍କ ମାମଲାରେ ତାତିଲେ ଲୋକେ, ନ୍ୟାୟ ନ ମିଳିଲେ ହାତକୁ ନେବେ ଆଇନ - ତପସ୍ବିନୀଙ୍କ ଧାରଣାକୁ ସମର୍ଥନ କଲେ ଜିଲ୍ଲାବାସୀ
🎬 Watch Now: Feature Video
ବ୍ରହ୍ମପୁର: ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ଏକାଠି ରହିବା ଘଟଣା । ଯେତେ ବର୍ଷ ହେଉ ନା କାହିଁକି ମୁଁ ନ୍ୟାୟ ପାଇଁ ଲଢ଼ିବି। ମୁଁ ମୋ ପାଇଁ ଲଢୁନି ବରଂ ମୋ ଭଳି ହଜାର ହଜାର ଝିଅଙ୍କ ପାଇଁ ଲଢୁଛି ବୋଲି କହିଛନ୍ତି ନିଜ ଶ୍ବଶୁର ଘର ସମ୍ମୁଖରେ ଦ୍ବିତୀୟ ଥର ପାଇଁ ଧାରଣାରେ ବସିଥିବା ତପସ୍ବିନୀ । ଦ୍ବିତୀୟ ପର୍ଯ୍ୟାୟ ଧାରଣାର ରବିବାର ତୃତୀୟ ଦିନ ହୋଇଥିବା ବେଳେ ଆସନ୍ତାକାଲି ବ୍ରହ୍ମପୁର SDJM କୋର୍ଟରେ ରୁଜୁ କରାଯାଇଥିବା ମୁଖ୍ୟ ପିଟିସନର ରାୟ ପ୍ରକାଶ ପାଇବାକୁ ତାରିଖ ଧାର୍ଯ୍ୟ ରହିଛି । ସେପଟେ ଗତ ନଭେମ୍ବର ୨୨ ତାରିଖରୁ ବିବାହ ପ୍ରସ୍ତାବ ସ୍ଥିର କରି ଶେଷ ମୁହୂର୍ତ୍ତରେ ଶ୍ବଶୁର ଘର ପରିବାର ବର୍ଗ ଫୋନ୍ ନ ଉଠାଇବା ପ୍ରତିବାଦରେ ନବବଧୂ ବେଶରେ ଆସି ଧାରଣାରେ ବସିଥିଲେ ତପସ୍ବିନୀ। ପ୍ରଥମ ପର୍ଯ୍ୟାୟରେ ୧୧ ଦିନ ଧାରଣାରେ ବସିବା ପରେ କୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନର ବିଚାର କରି କୋର୍ଟ ପକ୍ଷରୁ ୭ଦିନ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ କୋର୍ଟ ତପସ୍ବିନୀଙ୍କୁ ଏକ ଭଡା ଘରେ ରହିବା ପାଇଁ କହିବା ପରେ ଡାକ୍ତର ସ୍ବାମୀ ସୁମିତ ସାହୁ ସ୍ବାସ୍ଥ୍ୟଗତ ଅବସ୍ଥା ସଠିକ୍ ନଥିବା ଦର୍ଶାଇ ଛୁଟି ଦରଖାସ୍ତ ଦେଇ ଫେରାର ହୋଇଯାଇଥିଲେ। ଦୀର୍ଘ ଦିନ ଧରି ଆସିକା ଚିନିକଳର ଅତିଥି ଭବନରେ ଅପେକ୍ଷା କରିବା ପରେ ଶେଷରେ ପୁଣି ଧାରଣାରେ ବସିଛନ୍ତି ତପସ୍ବିନୀ ଦାଶ। ତେବେ ଗଞ୍ଜାମ ଜିଲ୍ଲାରେ ତାଙ୍କୁ ମିଳିଛି ଲୋକଙ୍କ ସମର୍ଥନ । ଲୋକମାନେ ତୁରନ୍ତ ତପସ୍ବିନୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି । ବର୍ତ୍ତମାନ ଏହା ତପସ୍ବିନୀଙ୍କ ପ୍ରସଙ୍ଗ ନୁହେଁ, ବରଂ ଲୋକମାନେ ଏବେ ଜିଲ୍ଲାବାସୀଙ୍କ ଉପରେ ଆଙ୍ଗୁଳି ଉଠାଇଛନ୍ତି ବୋଲି କହିଛନ୍ତି ଜଣେ ଜିଲ୍ଲାବାସୀ । ତେବେ ତାଙ୍କୁ ତୁରନ୍ତ ନ୍ୟାୟ ନ ମିଳିଲେ ଲୋକମାନେ ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭକାରୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ