କଟକ: ଆସନ୍ତା 21ରୁ ମାଟ୍ରିକ ପରୀକ୍ଷା । ମଝିରେ ଆଉ ମାତ୍ରେ ଦିନେ । ଏଥର ପରୀକ୍ଷା ଦେବେ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ । ଏଥର ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ପ୍ରସ୍ତୁତି ଜୋରଦାର କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ମାଟ୍ରିକ ପରୀକ୍ଷା ପାଇଁ ଚୟନ ହୋଇଥିବା କମାଣ୍ଡ ସେଣ୍ଟର ତଥା ନୋଡାଲ୍ ସେଣ୍ଟର ଓ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଭିଡିଓ ସିଧା ପ୍ରସାରଣ ହେବ । ଏଥିପାଇଁ ବୋର୍ଡ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀ ୬ ଶହ କେନ୍ଦ୍ରରେ ଭିଡିଓ ଲାଇଭ୍ ବ୍ୟବସ୍ଥାର ଅନୁଧ୍ୟାନ କରିବେ । ମାଟ୍ରିକ ପରୀକ୍ଷା ପାଇଁ କଣ କଣ ବ୍ୟବସ୍ଥା କରାଯାଇଛି ? ଦେଖନ୍ତୁ ନିମ୍ନରେ ।
ଫେବୃଆରୀ 21 ରୁ ମାର୍ଚ୍ଚ 6 ମାଟ୍ରିକ ପରୀକ୍ଷା:
ଆସନ୍ତା 21 ତାରିଖରୁ ରାଜ୍ୟରେ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ଯାହା ମାର୍ଚ୍ଚ 6 ପର୍ଯ୍ୟନ୍ତ ଚାଲିବ । ମାଟ୍ରିକ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଏକା ସାଙ୍ଗରେ ହେବ । ମୋଟ ୩୧୩୩ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହେବ । ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବାକୁ ଯାଉଛନ୍ତି । ରାଜ୍ୟର ୩ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରର ହଲ୍ ସିସିଟିଭି ଫୋକସରେ ରହିଥିବା ବେଳେ ଏଥିରେ ୨୮୬ଟି ସମ୍ବେଦଶୀଳ ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ୍ ସେଣ୍ଟରରେ ଭିଡିଓ ଲାଇଭ ହେବ । ଲାଇଭ୍ ଭିଡିଓର ଅନୁଧ୍ୟାନ ଲାଗି ବୋର୍ଡ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍ ରୁମ୍ କରାଯାଇଛି ।

ଦୁଇ ଦିନ ଡ୍ରାଏ ରନ:
ପରୀକ୍ଷା ପରିଚାଳନା କରିବା ପାଇଁ ବୋର୍ଡ ପକ୍ଷରୁ ଚୟନ ହୋଇଥିବା କମାଣ୍ଡ ସେଣ୍ଟର୍ ତଥା ନୋଡାଲ୍ ସେଣ୍ଟର୍ ଓ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଭିଡିଓ ସିଧା ପ୍ରସାରଣ ବା ଲାଇଭ୍ ଷ୍ଟ୍ରିମିଙ୍ଗ୍ ବ୍ୟବସ୍ଥା ଅନୁଧ୍ୟାନ ଲାଗି ଆଜି ଠାରୁ ପରୀକ୍ଷା ମୂଳକ ଭାବେ ପ୍ରଦର୍ଶନ କରାଯାଇଛି ବା ଡ୍ରାଏ ରନ ହେବ । ବୋର୍ଡ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀମାନେ ୬ ଶହ କେନ୍ଦ୍ରରେ ଭିଡିଓ ଲାଇଭ୍ ବ୍ୟବସ୍ଥାର ଅନୁଧ୍ୟାନ କରିବେ । ଦୁଇ ଦିନ ଧରି ପରୀକ୍ଷାମୂଳକ ଭାବେ ଏହା ଅନୁଧ୍ୟାନ କରାଯିବ ।
ଭାଇରାଲ ରୋକିବାକୁ ବୋର୍ଡର କଡା ପଦକ୍ଷେପ:
ଚଳିତ ବର୍ଷ ପ୍ରଶ୍ନପତ୍ରର ଭାଇରାଲ ରୋକିବା ପାଇଁ ମାଟ୍ରିକ ପ୍ରଶ୍ନପତ୍ରରେ ୱାଟର ମାର୍କ, ଷ୍ଟାଟିକ କ୍ୟୁ ଆର କୋର୍ଡ ଓ ଡାଇନାମିକ କୋର୍ଡ ବ୍ୟବସ୍ଥା କରାଯାଇଛି । ପରୀକ୍ଷାର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ଅତିରିକ୍ତ ଏସପି ଓ ଜଣେ ଜଣେ ଡ଼ିଏସପିଙ୍କୁ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଛି ।

ଭାଇରାଲ ରୋକିବାକୁ 3 ବ୍ୟବସ୍ଥା:
- ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
- ଷ୍ଟାଟିକ କ୍ୟୁ ଆର କୋର୍ଡ଼
- ଡାଇନାମିକ କୋର୍ଡ଼
କପି ଧରିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛି ବୋର୍ଡ଼:
ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ରର ଭାଇରାଲକୁ ରୋକିବ ବୋର୍ଡର ତିନି ବ୍ୟବସ୍ଥା । ଭାଇରାଲକୁ ରୋକିବା ପାଇଁ ୱାଟର ମାର୍କ, ଷ୍ଟାଟିକ କ୍ୟୁ ଆର କୋର୍ଡ଼ ଓ ଡାଇନାମିକ କୋର୍ଡ଼। ମାଟ୍ରିକ ପରୀକ୍ଷାରେ ହେଉଥିବା ୭ଟି ଯାକ ବିଷୟର ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ ଓ କ୍ୟୁ ଆର କୋର୍ଡ଼, ଡାଇନାମିକ କୋର୍ଡ଼ ।
କୋର୍ଡ କହିବ କିଏ କରିଛି ଭାଇରାଲ ?
ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ଅନେକ ସମୟରେ ସାମ୍ନାକୁ ଆସେ । ଏଥର ଏସବୁ ଉପରେ ରୋକ ଲଗାଇବା ପାଇଁ କଡା ବ୍ୟବସ୍ଥା କରିଛି ବୋର୍ଡ । ତାହା ମଧ୍ୟରୁ ଏକ ବ୍ୟବସ୍ଥା ହେଉଛି ଡାଇନାମିକ କୋର୍ଡ଼ । ଏହା ଏକ ଅଭିନବ ବ୍ୟବସ୍ଥା ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏହି କୋର୍ଡ ଵ୍ୟଵସ୍ଥା ପ୍ରତ୍ୟେକ ପ୍ରଶ୍ନପତ୍ରରେ ରହିବ । ଯିଏ ବି ଫଟୋ ଉଠାଇବ ଏହି କୋର୍ଡ ଦ୍ୱାରା ଜଣା ପଡିବ କି ଏହି ଖାତା କେଉଁ ଛାତ୍ର କିମ୍ବା ଛାତ୍ରୀଙ୍କର । କାରଣ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ରରେ ଭିନ୍ନ ଭିନ୍ନ ନମ୍ବର ରହିଛି । ଯାହାର ପ୍ରଶ୍ନପତ୍ର ବାହାରକୁ ଆସିବ ତାହା ସହଜରେ ଜଣା ପଡିବ । ଏହି କୋର୍ଡ ଏଭଳି ବ୍ୟବସ୍ଥା ମାଟ୍ରିକ ପରୀକ୍ଷାରେ ପ୍ରଥମ ଥର ପାଇଁ କରାଯାଇଛି ।

କେମିତି ଜଣାପଡିବ କିଏ କରିଛି ଭାଇରାଲ ?
- ପ୍ରଶ୍ନପତ୍ରରେ ରହିବ ଡାଇନାମିକ କୋର୍ଡ଼
- ଯଦି କେହି ଫଟୋ ଉଠାଇ ଭାଇରାଲ କରିବ ଜଣାପଡିବ କେଉଁ ଛାତ୍ର କିମ୍ବା ଛାତ୍ରୀଙ୍କ ଖାତାର କୋର୍ଡ
- ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ରରେ ଭିନ୍ନ ଭିନ୍ନ ନମ୍ବର
- ପ୍ରଶ୍ନପତ୍ର ବାହାରକୁ ଆସିଲେ ସହଜରେ ଜଣାପଡିବ କାହା ଖାତାର ଏହି କୋର୍ଡ
- ପ୍ରଥମ ଥର ଏପରି ବ୍ୟବସ୍ଥା କରାଯାଇଛି
ପରୀକ୍ଷା ସୁପରିଚାଳନା ପାଇଁ ନିଯୋଜିତ ହେବେ 60 ନୋଡାଲ ଅଫିସର:
ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ‘ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ସାରା ରାଜ୍ୟରେ ନିୟୋଜିତ ହେବେ ୬୦ ଜଣ ନୋଡାଲ ଅଫିସର । ପ୍ରତ୍ୟେକ ଜିଲ୍ଲାରେ ଜଣେ ଅତିରିକ୍ତ ଜିଲ୍ଲାପାଳ ଓ ଜଣେ ଡ଼ିଏସପି ରାଙ୍କର ଅଫିସର ଏହି ନୋଡାଲ ଅଫିସର ଦାୟିତ୍ୱରେ ରହିବେ । ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଁଚିବା, ପରୀକ୍ଷା ସେଣ୍ଟରରେ ସୁବ୍ୟବସ୍ଥିତ ପରୀକ୍ଷା ଓ ଉତ୍ତର ଖାତା ମୂଲ୍ୟାୟନ କେନ୍ଦ୍ରରେ ପହଁଚିବା ନୋଡାଲ ଅଫିସରଙ୍କ ତତ୍ତ୍ବାବଧାନରେ ହେବ ।
ସିସିଟିଭି ନଜରରେ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର:
ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ପାଇଁ ୩୧୪ଟି ନୋଡାଲ ସେଣ୍ଟର ରହିଛି । ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରକୁ ମନିଟରିଂ କରିବା ପାଇଁ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ହେଉଛି ସେଣ୍ଟ୍ରାଲ କମାଣ୍ଡ କଣ୍ଟ୍ରୋଲ ରୁମ । ୩୧୪ ନୋଡାଲ ସେଣ୍ଟର ଓ ୬୦୦ ପରୀକ୍ଷା କେନ୍ଦ୍ରର କାର୍ଯ୍ୟକଳାପ ବୋର୍ଡ ଅଫିସରୁ ଦେଖି ହେବ । ଏହା ସହିତ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହା ଦ୍ୱାରା ବୋର୍ଡ, ସେଣ୍ଟର ଗୁଡିକର ସମସ୍ତ ତଥ୍ୟ ଅତି ସହଜରେ ଜାଣି ପାରିବ ।
ସକାଳ ୯ଟାରୁ ପରୀକ୍ଷା, ମାର୍ଚ୍ଚ ୧୯ରୁ ମୂଲ୍ୟାୟନ:
୫ ଲକ୍ଷ ୧୦ ହଜାର ୭୭୮ଜଣ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀ, ୭ହଜାର ୭୬୬ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏବଂ ୩୭୯୨ ଜଣ ମଧ୍ୟମା ପରୀକ୍ଷାର୍ଥୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ପରୀକ୍ଷାର୍ଥୀ ମାନେ ସକାଳ ୭ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି । ୯ ଟାରୁ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୯ ରୁ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଉତ୍ତର ଖାତା ମୂଲ୍ୟାୟନ କରାଯିବାର ବ୍ୟବସ୍ଥା କରାଯାଇଛି ।
ମେ’ ପ୍ରଥମ ସପ୍ତାହରେ ଆସିପାରେ ରେଜଲ୍ଟ:
ଏହା ସହିତ ମେ’ ମାସ ପ୍ରଥମ ସପ୍ତାହ ସୁଦ୍ଧା ମାଟ୍ରିକ ଫଳ ପ୍ରକାଶନ କରିବାକୁ ଲକ୍ଷ୍ୟ ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ । ହାଇସ୍କୁଲ ସାର୍ଟିଫିକେଟ ଓ ମଧ୍ୟମା ପରୀକ୍ଷାର୍ଥୀଙ୍କ ଆଡ଼ମିଟ କାର୍ଡ ଅଫଲାଇନରେ ଯୋଗାଇ ଦିଆଯାଇଥିବା ବେଳେ ଆସନ୍ତା ୧୦ ତାରିଖରୁ ବୋର୍ଡର ୱେବସାଇଟରୁ ଡାଉନଲୋଡ଼ କରିହେବ । କିନ୍ତୁ ଓପନ ସ୍କୁଲ ପରୀକ୍ଷାର୍ଥୀଙ୍କୁ ବୋର୍ଡର ୱେବସାଇଟରୁ ଆଡ଼ମିଟ କାର୍ଡ ଡାଉନଲୋଡ଼ କରିବାକୁ ପଡିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଇଟିଭି ଭାରତ, କଟକ