ରାଉରକେଲା: ଓଡ଼ିଶାରେ କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛନ୍ତି ରାଜ୍ୟ ସରକାର । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଉଛି ଏହି ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ରାଜ୍ୟରେ ଲୋକଙ୍କ ମନରେ ହକି ପ୍ରତି ଉତ୍ସାହ ଭରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ରାଜ୍ୟ ସରକାର । ଏନେଇ ରାଉରକେଲାରେ ହକି ଖେଳାଳୀଙ୍କର ବିଶାଳ ମୂର୍ତ୍ତି ନିର୍ମାଣ ହୋଇଛି ।
ହକି ବିଶ୍ବକପକୁ ନେଇ ରାଉରକେଲାରେ ତିଆରି ହୋଇଛି ହକି ଖେଳାଳୀଙ୍କ ୫୦ ଫୁଟର ବିଶାଳ ଷ୍ଟିଲ ମୂର୍ତ୍ତି । ଯାହାକୁ ଦେଖିବା ପାଇଁ ଦିନରାତି ଲୋକଙ୍କ ଭିଡ଼ ଜମୁଛି । କେବଳ ଷ୍ଟିଲ ସ୍କ୍ରାପ ବ୍ୟବହାର କରି ରାଉରକେଲା ସହରର ଏୟାରପୋର୍ଟ ନିକଟରେ ଏହି ବିଶାଳ ଷ୍ଟିଲ ମୂର୍ତ୍ତି ନିର୍ମାଣ ହୋଇଛି । ମାତ୍ର ୨ ମାସ ମଧ୍ୟରେ ଏହାକୁ ନିର୍ମାଣ କରାଯାଇଛି । ୫୦ ଫୁଟ ବିଶାଳ ହକି ଖେଳାଳୀଙ୍କ ମୂର୍ତ୍ତି ନିର୍ମାଣ ହୋଇଥିବା ସ୍ଥାନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏହାକୁ ରଙ୍ଗୀନ ଆଲୋକ ମାଳରେ ସଜାଯାଇଛି । ଏଠାରେ ଆସି ଖୁବ ମଜା କରିବା ସହ ଫଟୋ ଉଠାଇବାରେ ବ୍ୟସ୍ତ ଲୋକେ ।
ଷ୍ଟିଲ ସିଟି ଭାବେ ପରିଚିତ ରାଉରକେଲାରେ ହକି ଖେଳାଳିଙ୍କ ଏହି ବିଶାଳ ମୂର୍ତ୍ତି ଷ୍ଟିଲରେ ନିର୍ମାଣ କରାଯାଇଛି । ଏହାରି ମଧ୍ୟରେ ଲୋକେ ଏହି ହକି ଖେଳାଳିଙ୍କ ବିଶାଳ ମୂର୍ତ୍ତିକୁ ଦେଖିବାକୁ ଆସି ମଉଜ ମଜଲିସ କରୁଛନ୍ତି । ରାଉରକେଲା ସହରବାସୀଙ୍କୁ ଖୁବ ଆକୃଷ୍ଟ କରୁଛି ଏହି ବିଶାଳ ହକି ଖେଳାଳୀଙ୍କ ମୂର୍ତ୍ତି । ହକି ପାଇଁ ରାଉରକେଲା ସହର ବିଶ୍ବସ୍ତରରେ ଏକ ନୂଆ ପରିଚୟ ପାଇଥିବା ବେଳେ ଏହି ୫୦ ଫୁଟର ମୂର୍ତ୍ତି ଲୋକଙ୍କ ମନରେ ଆହୁରି ଉତ୍ସାହ ଭରିଛି ।
ଇଟିଭି ଭାରତ, ରାଉରକେଲା