ଭୁବନେଶ୍ବର: ପୁରୀ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ । ଗଭୀର ଅବପାତ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ବିଶେଷ କରି ଆଜି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଭୀଷଣ ବର୍ଷା ନେଇ ୧୦ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ଟି ଜିଲ୍ଲାକୁ ଅରେଞ୍ଜ ଏବଂ ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଆଜି ଏସବୁ ସ୍ଥାନରେ ପ୍ରବଳ ବର୍ଷା:
ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଝାରସୁଗୁଡା, ବରଗଡ ଏବଂ ନୂଆପଡାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲା ବଲାଙ୍ଗୀର, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼କୁ ସତର୍କତା ଜାରି କରାଯାଇଛି । ଗଭୀର ଅବପାତଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୨ ଦିନ ମଧ୍ୟରେ ଉତ୍ତର ଓଡ଼ିଶା, ଗାଙ୍ଗେଟି ପଶ୍ଚିମବଙ୍ଗ, ଝାଡଖଣ୍ଡ ଦେଇ ଛତିଶଗଡ ମୁହାଁ ହେବ । ପ୍ରଭାବରେ ଉପର ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମହାନଦୀ ସମେତ ବିଭିନ୍ନ ଶାଖା ନଦୀ ପୁଣି ଫୁଲିବାର ଆଶଙ୍କା ରହିଛି । ସେହିପରି ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି ।
ତିନି ଜିଲ୍ଲାରେ ସ୍କୁଲ ଛୁଟି:
ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଗଞ୍ଜାମ, ମାଲକାନଗିରି ଓ କୋରାପୁଟରେ ବର୍ଷା ଅଧିକ ହେଉଥିବାରୁ ଏହି 3 ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଥି । ଆଜି ଏହି ତିନି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଗତକାଲି ଏହି ସବୁ ଜିଲ୍ଲାକୁ କରାଯାଇଥିଲା ସତର୍କ:
ଗତକାଲି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଜାରି କରାଯାଇଥିଲା । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରାୟଗଡ଼ା, ଗଜପତି, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ସୋନପୁର, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା । ସେହିପରି ପ୍ରବଳ ବର୍ଷାକୁ ନେଇ ଝାରସୁଗୁଡ଼ା, ଦେବଗଡ଼. ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଥିଲା ପାଣିପାଗ ବିଭାଗ ।
ନିଅଣ୍ଟିଆ ବର୍ଷା:
ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୯୦୮. ୬ ମିମି ବର୍ଷା ରେକର୍ଡ ହୋଇଛି । ଏବେବି ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ସେପଟେ ଗତ ୨୪ ଘଣ୍ଟାରେ ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ୩ଟି ସ୍ଥାନରେ ଅତି ପ୍ରବଳ ଓ ୨୧ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏହି କ୍ରମରେ ମାଲକାନଗିରିରେ ସର୍ବାଧିକ ୧୫୩.୦୦ ମିମି ବର୍ଷା ରେକର୍ଡ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର