କୋଭିଡ ନିୟମ ଉଲ୍ଲଂଘନ: ଗଣଶିକ୍ଷା ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ପୁରୀ କୋର୍ଟରେ ଏତଲା - puri jagannatha sena
ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷ କୃତ୍ୟରେ ଯୋଗଦେଇ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଗଣଶିକ୍ଷା ମନ୍ତ୍ରୀ ଓ ସତ୍ୟବାଦୀ ବିଧାୟକଙ୍କ ନାଁରେ ପୁରୀ କୋର୍ଟରେ ଏତଲା ଦେଲା ଜଗନ୍ନାଥ ସେନା । ଅଧିକ ପଢନ୍ତୁ...
ପୁରୀ: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ପୁରୀ କୋର୍ଟରେ ଜଗନ୍ନାଥ ସେନା ପକ୍ଷରୁ ମାମଲା ରୁଜୁ କରାଯାଇଛି। ସ୍ଵର୍ଗଦ୍ବାରରେ ପିପିଲି ବିଧାୟକ ପ୍ରଦୀପ ମହରଥୀଙ୍କ ଶେଷ କୃତ୍ୟରେ କୋଭିଡ ନିୟମ ଉଲ୍ଲଂଘନ କରି ଏହି ଦୁଇ ଜଣ ସାମିଲ ହୋଇଥିଲେ। ଘଟଣାରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ହେତୁ ଏହାର ପ୍ରତିବାଦରେ ଜଗନ୍ନାଥ ସେନା ପକ୍ଷରୁ ପୁରୀ କୋର୍ଟରେ ମାମଲା ରୁଜୁ କରାଯାଇଛି। ସେହିପରି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନାଁରେ ଭୁବନେଶ୍ବର କୋର୍ଟରେ ଜଗନ୍ନାଥ ସେନା ଏକ ମାମଲା ଦାୟର କରିବ ବୋଲି ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି।
ରାଜ୍ୟ ସରକାର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ କୋଭିଡ ନିୟମ ଉଲ୍ଲଂଘନ ନେଇ ମାମଲା ରୁଜୁ କରି ଗିରଫ କରୁଥିବା ବେଳେ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଜଗନ୍ନାଥ ସେନା କୋର୍ଟଙ୍କ ନିକଟରେ ତଥ୍ୟ ରଖିଛନ୍ତି। ତୁରନ୍ତ ପୁରୀ ଏସଡିଜେଏମ କୋର୍ଟ ପକ୍ଷରୁ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଜଗନ୍ନାଥ ସେନା ପକ୍ଷରୁ ମାମଲାରେ ପ୍ରାର୍ଥନା କରାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ