ETV Bharat / state

Train Accident: ସ୍ୱାମୀଙ୍କ ମୃତଦେହ ପାଇଁ ଆସିଥିଲେ, ଧରାପକାଇ ଦେଲା ଆଧାର କାର୍ଡ - ମହିଳାଙ୍କ ଅମାନବିକତା

ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସହାୟତା ରାଶି ହଡ଼ପ କରିବା ନେଇ ଷଡ଼ଯନ୍ତ୍ର । ଅଜଣା ମୃତଦେହକୁ ଧରି ସ୍ବାମୀ ବୋଲି ବାହୁନ କାନ୍ଦିଲେ ମହିଳା । କଟକରୁ ଆସିଥିବା ମହିଳାଙ୍କୁ ବାଲେଶ୍ବରରୁ ଧରିଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 5, 2023, 9:35 PM IST

ବାଲେଶ୍ବର: ସହାୟତା ରାଶି ହଡ଼ପ ପାଇଁ ଅଜଣା ମୃତଦେହକୁ ନିଜ ସ୍ବାମୀ ବୋଲି ଦାବି କଲେ ମହିଳା । ଗୋଟିଏ ପଟେ ଅସହାୟଙ୍କୁ ସହାୟତାର ହାତ ବଢାଇ ଅଜଣା ମାନବିକତାର ପରିଚୟ ଦେଉଥିବା ବେଳେ ଏପଟେ ଜଣେ ମହିଳାଙ୍କ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି । ଏହି ମହିଳା ଜଣଙ୍କ କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ଗୀତାଞ୍ଜଳି ଦତ୍ତ ହୋଇଥିବା ବେଳେ ତାଙ୍କ ସ୍ବାମୀ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା କଥା କାନ୍ଦି କାନ୍ଦି କହି ଟଙ୍କା ହଡ଼ପ ପାଇଁ ଷଡ଼ଯନ୍ତ୍ର କରିଥିଲେ । ହେଲେ ସର୍ବସମ୍ମୁଖରେ ଧରାପଡ଼ିବା ପରେ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଛି ।

ବାହାନଗା ରେଳ ଦୁର୍ଘଟଣାରେ ଅନେକ ଧନ ଜୀବନ କ୍ଷତି ହୋଇଥିବା ବେଳେ ମୃତକ ଓ ଆହତମାନଙ୍କ ପାଇଁ ସରକାରୀ ସ୍ତରରେ ସହାୟତା ରାଶି ଘୋଷଣା କରାଯାଇଛି । ରେଳ ଦୁର୍ଘଟଣା ପରେ ସାଧାରଣ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରିବାରେ ବ୍ୟସ୍ତ ଥିଲେ। ବାଲେଶ୍ଵରବାସୀଙ୍କ ସେବା ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ଗୋଟିଏ ପଟେ ମାନବିକତା ପାଇଁ ବାଲେଶ୍ଵରବାସୀ ପ୍ରଶଂସିତ ହେଉଥିବା ବେଳେ କିଛି ଲୋକଙ୍କ ଲୋଭ ଆଜି ସେମାନଙ୍କୁ ସର୍ବ ସମ୍ମୁଖରେ ଲଜ୍ଜିତ ହେବାକୁ ପଡିଛି। ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କୁ ପ୍ରଥମେ ବାହାନଗା ସ୍କୁଲରେ ରଖାଯାଇଥିଲା । ପରେ ସଂରକ୍ଷଣ ପାଇଁ ମୃତଦେହ ସବୁ ବାଲେଶ୍ଵର ବାମପଦା ସ୍ଥିତ ନୋସି ବିଜିନେସ ପାର୍କକୁ ପଠାଯାଇଥିଲା ।

ସେଠାରେ ମୃତଦେହ ଚିହ୍ନଟ ପାଇଁ ପ୍ରଶାସନିକ ସ୍ତରରେ ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ରବିବାର ଦିନ ସମ୍ପର୍କୀୟମାନଙ୍କୁ ସେମାନଙ୍କ ନିଜ ଲୋକକୁ ଚିହ୍ନିବା ଲାଗି ସେମାନଙ୍କ ଫଟୋ ଜାରି କରାଯାଇଥିଲା । ଉପଯୁକ୍ତ ପ୍ରମାଣ ପତ୍ର ଦେଇ ସେଠାରୁ ମୃତଦେହ ଓ ସହାୟତା ରାଶି ନେବାପାଇଁ ନିର୍ଦ୍ଦେଶ ରହିଥିଲା। ଏମିତି ଏକ ଶୋକାକୁଳ ପରିବେଶ ମଧ୍ୟରେ ସହାୟତା ରାଶି ହଡ଼ପ ପାଇଁ ଜଣେ ମହିଳା ହୀନ ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା । ମହିଳା ଜଣଙ୍କ କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ଗୀତାଞ୍ଜଳି ଦତ୍ତ ବୋଲି ଜଣାପଡ଼ିଛି । ତାଙ୍କ ସ୍ବାମୀ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା କଥା କହିଥିଲେ। ସେଠାରେ ଥିବା ଏକ ମୃତଦେହକୁ ନିଜର ସ୍ବାମୀ ବୋଲି କହିବା ସହ ଅତ୍ୟନ୍ତ କୋହଭରା ନାଟକ ମଧ୍ୟ କରିଥିଲେ।

ଏହା ବି ପଢନ୍ତୁ- ୧୯୯୯ ପରେ ରାଜ୍ୟ ବଡ଼ ବିପତ୍ତିକୁ ସାମ୍ନା କଲା: ମୁଖ୍ୟ ଶାସନ ସଚିବ

ଏହାସହ ଅଧିକ ବିଶ୍ବାସ ଜନ୍ମାଇବା ପାଇଁ ସାଙ୍ଗରେ ସେ ଏକ ମିଛ ଆଧାରକାର୍ଡ ମଧ୍ୟ ଆଣିଥିଲେ। ସେଠାରେ ଥିବା ଅଧିକାରୀମାନଙ୍କୁ ସେ ଆଧାରକାର୍ଡ ଦେଖାଇଥିଲେ । ମାତ୍ର ସ୍ବାମୀଙ୍କ ବୟସ 40 ଓ ମହିଳାଙ୍କ ବୟସ 62 ବୋଲି ଆଧାର କାର୍ଡରେ ଉଲ୍ଲେଖ ଥିବା ଦେଖି ଅଧିକାରୀମାନଙ୍କ ସନ୍ଦେହ ଉପୁଜିଥିଲା । ଏହାକୁ ନେଇ ଅଧିକାରୀମାନେ ପୋଲିସ ସହ ଯୋଗାଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ମହିଳାଙ୍କଠାରୁ ତାଙ୍କ ସ୍ବାମୀଙ୍କ ମୋବାଇଲ ନମ୍ବର ମାଗିଥିଲେ। ମାତ୍ର ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ମୋବାଇଲ ନମ୍ବର ନଥିବା କଥା କହିଥିଲେ। ଏହାକୁ ନେଇ ପୋଲିସର ଅଧିକ ସନ୍ଦେହ ହୋଇଥିଲା ।

କୌଶଳ କ୍ରମେ ମହିଳାଙ୍କ ସ୍ବାମୀଙ୍କ ମୋବାଇଲ ନମ୍ବର ଆଣି ପଚାରି ବୁଝିଲା ବେଳକୁ ତାଙ୍କ ସ୍ବାମୀ ଜୀବିତ ଥିବା ଜାଣିବାକୁ ପାଇଥିଲା ପୋଲିସ । ସମ୍ପୃକ୍ତ ମହିଳାଙ୍କୁ ପୋଲିସ ଗିରଫ କରିବାକୁ ଗଲା ବେଳେ ଉପରିସ୍ଥ ଅଧିକାରୀ ବର୍ତ୍ତମାନର ପରିସ୍ଥିତି ପାଇଁ ତାଙ୍କୁ ଗିରଫ କରିବାକୁ ମନା କରିଥିଲେ। ତୁରନ୍ତ ମହିଳା ଓ ତାଙ୍କର ଜଣେ ସହଯୋଗୀ ସେଠାରୁ ଚମ୍ପଟ ମାରିଥିଲେ। ଗୋଟିଏ ପଟେ ଯେଉଁଠି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ ବ୍ୟାକୁଳ ହୋଇ ପରିବାର ଲୋକେ ଖୋଜୁଛନ୍ତି ସେଠି ଏମିତି ବ୍ୟକ୍ତିବିଶେଷ ମଧ୍ୟ ରହିଛନ୍ତି ଯେଉଁମାନେ ଅର୍ଥ ପାଇଁ ମାନବିକତାକୁ ମଧ୍ୟ ଭୁଲି ଯାଇଛନ୍ତି । ଯାହାକୁ ସାଧାରଣରେ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.