ସାର୍ଥକ ଜୀବନର ଅନ୍ୟ ଏକ ନାମ ଅଙ୍ଗଦାନ, ୫୦କିମି ସାଇକେଲ ଯାତ୍ରା କରି ଛାତ୍ରଙ୍କ ସଚେତନତା ବାର୍ତ୍ତା - ORGAN DONATION AWARENESS

By ETV Bharat Odisha Team

Published : Aug 13, 2024, 7:24 PM IST

thumbnail
World Organ Donation Day (ETV Bharat Odisha)

World Organ Donation Day: ଭୁବନେଶ୍ବର: ସାର୍ଥକ ଜୀବନର ଅନ୍ୟ ଏକ ନାମ ଅଙ୍ଗଦାନ । ସେଥିପାଇଁ ତ କୁହାଯାଏ ଅଙ୍ଗଦାନ, ମହତ ପୂଣ୍ୟ । ଜଣକ ଆଖି ଆଉ କାହାକୁ ଦେଖାଇପାରେ ଦୁନିଆ । ଜଣକ ଅଙ୍ଗ ଆଉ କାହାର ଜୀବନ ବଞ୍ଚାଇପାରେ । ଏହି ମହତ ଉଦ୍ଦେଶ୍ୟ ନେଇ ଅଙ୍ଗଦାନ ଦିବସ ଅବସରରେ ନିମାପଡ଼ାରୁ ଭୁବନେଶ୍ଵର ପ୍ରାୟ ୪୫ରୁ ୫୦ କିମି ସାଇକେଲରେ ଆସି ଲୋକଙ୍କୁ ସଚେତନ କରୁଛନ୍ତି ୨ ଛାତ୍ର । ବାଟରେ ଆସିବା ବେଳେ ୨୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଅଙ୍ଗଦାନ ପାଇଁ ଦେଇଛନ୍ତି ବାର୍ତ୍ତା । ସେମାନେ ହେଉଛନ୍ତି ସୌମ୍ୟ ରଞ୍ଜନ ଓ ଶିବ ପ୍ରସାଦ । ସୌମ୍ୟ ରଞ୍ଜନ ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଗଣିତରେ ସ୍ନାତୋତ୍ତର କରୁଥିବା ବେଳେ ଶିବ ପ୍ରସାଦ ସାହିତ୍ୟରେ ସ୍ନାତୋତ୍ତର କରିଛନ୍ତି । ଦୁଇ ଛାତ୍ର ପାଠ ପଢିବା ସହ ସୁନ୍ଦର ଭବିଷ୍ୟତର ସ୍ବପ୍ନ ଦେଖିବା ସହ ମଣିଷକୁ ନୂତନ ଜୀବନ ଦେବାର ପ୍ରୟାସରେ ଲାଗିପଡିଛନ୍ତି । ନିଜେ ଅଙ୍ଗଦାନ କରିବା ସହ ଅନ୍ୟକୁ ପ୍ରୋତ୍ସାହିତ କରୁଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ...ଆଜି ବିଶ୍ୱ ଅଙ୍ଗଦାନ ଦିବସ; କିଏ ଓ କେଉଁ ଅଙ୍ଗ କରିପାରିବେ ଦାନ, କ'ଣ ରହିଛି ପ୍ରକ୍ରିୟା ? ଜାଣନ୍ତୁ, - World Organ Donation Day 2024

ସାଂପ୍ରତିକ ସମୟରେ ଲୋକେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଉଛନ୍ତି । ଏପର୍ଯ୍ୟନ୍ତ ମଣିଷ ଅଙ୍ଗର କୌଣସି ବିକଳ୍ପ ମିଳି ନଥିବାବେଳେ ଅଙ୍ଗଦାନ ହିଁ କେବଳ ଲୋକଙ୍କ ଜୀବନ ବଞ୍ଚାଉଛି । ଏହାକୁ ନଜରରେ ରଖି, ସାରା ବିଶ୍ୱରେ ଅଙ୍ଗଦାନ କରିବା ପାଇଁ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ଏଭଳି କାର୍ଯ୍ୟ କରୁଛନ୍ତି ଏହି ୨ଛାତ୍ର । ସାଧାରଣରେ ମୃତକଙ୍କ ପରିବାର ନିଜ ଧର୍ମ ଓ ବିଶ୍ୱାସ ଅନୁସାରେ ମୃତଦେହକୁ ପୋଡି ଦିଅନ୍ତି କିମ୍ବା କବର ଦିଅନ୍ତି । ଫଳରେ ମୃତ ଶରୀରଟି ଆଉ କାହାର କାମରେ ଆସିପାରେ ନାହିଁ । କିନ୍ତୁ ଯଦି ମୃତ ଶରୀରକୁ ଦାନ କରି ଦିଆଯାଏ ତେବେ ଉକ୍ତ ମୃତ ଶରୀରରୁ ଆବଶ୍ୟକୀୟ ଅଙ୍ଗ ବାହାର କରାଯାଇ ଜଣେ ଆବଶ୍ୟକୀୟ ରୋଗୀକୁ ଦେଇ ତାର ଜୀବନଙ୍କ ସରସ ସୁନ୍ଦର କରିହୁଏ । ଜୀବିତ ଥାଇ ମଧ୍ୟ ଅଙ୍ଗହୀନ ହୋଇ ଯନ୍ତ୍ରଣାଦଗ୍ଧ ଜୀବନ ଜିଉଁଥିବା ମଣିଷକୁ ଅଙ୍ଗଦାନ କରି ସାଧାରଣ ଜୀବନ ଦେବାର ଆହ୍ବାନ ଦେଇଛନ୍ତି ସୌମ୍ୟ ରଞ୍ଜନ ଓ ଶିବ ପ୍ରସାଦ । ୨ ବର୍ଷ ହେବ ଏହି ସଚେତନତା ଆରମ୍ଭ କରିଥିବା ବେଳେ ପୂର୍ବବର୍ଷ କୋଣାର୍କରୁ ପୁରୀ ଯାଇଥିଲେ । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.