ଭୁବନେଶ୍ବର: ବିଜେପି ଫୋକସରେ ମହିଳା । ପ୍ରଥମ ଥର ବିଧାୟକ ହୋଇଥିବା ମହିଳାଙ୍କୁ ସର୍ବୋଚ୍ଚ ପଦ ପ୍ରଦାନ କରିଛି ଦଳ । ଓଡ଼ିଶା ପରେ ଦିଲ୍ଲୀରେ ମହିଳା କାର୍ଡ ଷ୍ଟ୍ରାଟେଜୀ ଆପଣାଇଛି ଦଳ । ଓଡ଼ିଶାରେ ପ୍ରଥମ କରି ବିଧାୟିକା ଭାବରେ ବିଜୟୀ ହୋଇ ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଉ ଏବେ ଦିଲ୍ଲୀରେ ପ୍ରଥମ ଥର ବିଧାୟିକା ବିଜୟୀ ହୋଇଥିବା ରେଖା ଗୁପ୍ତାଙ୍କୁ ଦଳ କରିଛି ମୁଖ୍ୟମନ୍ତ୍ରୀ ।
ମିଠା ବାଣ୍ଟିଲେ ବିଜେପି ମହିଳା ମୋର୍ଚ୍ଚା:
ଦିଲ୍ଲୀରେ ରେଖା ସରକାର, ଓଡ଼ିଶାରେ ମିଠା ବାଣ୍ଟିଲେ ବିଜେପି ମହିଳା ମୋର୍ଚ୍ଚା । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ଐଶ୍ୱର୍ଯ୍ୟା ବିଶ୍ଵାଳ କହିଛନ୍ତି, "ରେଖା ଗୁପ୍ତା ପ୍ରଥମ ଥର ପାଇଁ ବିଧାୟିକା ଭାବରେ ନିର୍ବାଚିତ ହୋଇଛନ୍ତି ଓ ତାଙ୍କୁ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଇଛି । ସେ ପୂର୍ବରୁ ଜାତୀୟ ସ୍ତରରେ ମଧ୍ୟ ଦଳର କାର୍ଯ୍ୟକର୍ତ୍ତା ଭାବରେ ଦାୟିତ୍ଵ ତୁଲାଇଛନ୍ତି । ସାଧାରଣ ପରିବାରରୁ ଆସିଲେ ମଧ୍ୟ ଯିଏ ବି ଦଳ ପାଇଁ ନିଷ୍ଠାପର ଭାବରେ କାମ କରିବ ଦଳ ତାକୁ ସବୁବେଳେ ପ୍ରାଧାନ୍ୟ ଦେବ ଦଳ ।"
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା:
ରେଖା ଗୁପ୍ତା ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଜିତି ବିଧାୟିକା ହୋଇଥିଲେ । ରେଖା ଗୁପ୍ତା ଆରଏସଏସର ସକ୍ରିୟ ସଦସ୍ୟା ରହିଛନ୍ତି । ସଂଘର ଛାତ୍ର ସଂଗଠନ ଏବିଭିପି ମାଧ୍ୟମରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୪-୯୫ରେ ସେ ଦୌଲତ ରାମ କଲେଜରେ ସଚିବ ହୋଇଥିଲେ । ୧୯୯୫-୯୬ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଘର ସଚିବ ହୋଇଥିଲେ । ରେଖା ଗୁପ୍ତା ୨୦୦୩-୨୦୦୪ ଯାଏଁ ଦିଲ୍ଲୀ ବିଜେପି ଯୁବ ମୋର୍ଚ୍ଚାର ସଚିବ ରହିଥିଲେ । ପରେ ୨୦୦୪ରୁ ୨୦୦୬ ଯାଏଁ ସେ ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଚିବ ହୋଇଥିଲେ । ଏହାପରେ ୨୦୦୭ ଏପ୍ରିଲରେ ଉତ୍ତର ପିତାମପୁରାରୁ ସେ ଟିକେଟ ପାଇ କାଉନସିଲର ହୋଇଥିଲେ । ନଗର ନିଗମରେ କାଉନସିଲର ହେବା ପରେ ତାଙ୍କୁ ୨୦୦୭-୦୯ ଯାଏଁ ମହିଳା କଲ୍ୟାଣ ଏବଂ ବାଲ୍ୟ ବିକାଶ ସମିତିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା । ୨୦୧୦ ମସିହାରେ ତାଙ୍କୁ ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କରାଯାଇଥିଲା । ବର୍ତ୍ତମାନ ସମୟରେ ସେ ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଛନ୍ତି । ଏହାସହ ସେ ଶାଲିମାର ବାଗରୁ କାଉନସିଲର ବି ଥିଲେ ।
ଏହା ବି ପଢନ୍ତୁ...ଆଜିଠୁ ଦିଲ୍ଲୀରେ ବିଜେପି ସରକାର, ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ, ୬ କ୍ୟାବିନେଟ ମନ୍ତ୍ରୀ ଏହା ବି ପଢନ୍ତୁ...ମହିଳାଙ୍କ ପାଇଁ ଖୁସି ଖବର, ମାର୍ଚ୍ଚ 8 ତାରିଖରୁ ମାସିକ 2500 |
ରେଖା ଗୁପ୍ତା ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ଶାଲିମାରବାଗ ସିଟରୁ ହାରିଥିଲେ । ୨୦୧୫ରେ ସେ ପାଖାପାଖି ୧୧ ହଜାର ଭୋଟରେ ବନ୍ଦନା କୁମାରୀଙ୍କଠାରୁ ହାରିଥିଲେ । ସେହିପରି ୨୦୨୦ରେ ସେ ମାତ୍ର ୩ ହଜାର ୪୪୦ ଭୋଟରେ ହାରିଥିଲେ । ହେଲେ ଏଥର ସେ ବନ୍ଦନା କୁମାରୀଙ୍କୁ ବହୁତ ବଡ ବ୍ୟବଧାନରେ ପରାଜିତ କରି ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ଦିଲ୍ଲୀରେ ଅନେକ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବାବେଳେ ବିଜେପି ରଣନୀତି ଅନୁସାରେ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଠିକ ସେହିପରି ଓଡ଼ିଶାରେ ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ସହିତ ମହିଳା ଓ ଶିଶୁ ବିକାଶ ବିଭାଗର ଗୁରୁ ଦାୟିତ୍ବ ଦିଆଯାଇଛି । ସେପଟେ ଦେଶର ସର୍ବୋଚ୍ଚ ସ୍ଥାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦଳ ବସାଇଛି ।
'ମହିଳାଙ୍କୁ ପ୍ରାଧାନ୍ୟ ଦେଉଛି ଦଳ'
ତେବେ ଏହାକୁ ନେଇ ପ୍ରତିକ୍ରିୟାରେ ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, "ମହିଳା ସଶକ୍ତ ହେଲେ ଦେଶ ଆଗକୁ ଯିବ । ବିଜେପି ହେଉଛି ଗୋଟିଏ ରାଷ୍ଟ୍ରୀୟ ଦଳ। ଦେଶ କଥା କୁହନ୍ତୁ କିମ୍ବା ରାଜ୍ୟ କଥା ସବୁବେଳେ ବିଜେପି ମହିଳାଙ୍କୁ ଅଗ୍ରାଧିକାର ଦେଇଥାଏ । ଓଡ଼ିଶାର ବାଚସ୍ପତି ଜଣେ ମହିଳା । ବିଜେଡି ସରକାରରେ ଏହା ନ ଥିଲା । ରାଜ୍ଯରେ ବିଜେପି ସରକାର ଆସିବା ପରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଉଛି ।"
ଇଟିଭି ଭାରତ, ଭୁବନେଶ୍ବର