ସଡକ ସୁରକ୍ଷା ବାର୍ତ୍ତା ନେଇ ହେଲମେଟ ବାଣ୍ଟିଲେ ସମାଜସେବୀ - Social worker distributes Helmet

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 27, 2024, 10:47 PM IST

Social worker distributes Helmet: ବ୍ରହ୍ମପୁର: ବର୍ତ୍ତମାନ ସମୟରେ ବିଭିନ୍ନ ସ୍ଥାନରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଡ଼କ ଦୁର୍ଘଟଣା । ଏହାକୁ ନଜରରେ ରଖି ସଡକ ସୁରକ୍ଷାର ବାର୍ତ୍ତା ନେଇ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଶହ ଶହ ହେଲ୍‌ମେଟ ବଣ୍ଟିଛନ୍ତି ଜଣେ ସମାଜସେବୀ । ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କରାଇବା ପାଇଁ ବର୍ଷତମାମ ବିଭିନ୍ନ ସଚେତନତା ପଦକ୍ଷେପ ହାତକୁ ନିଆଯାଉଛି । ଏଭଳି ସମୟରେ ବ୍ରହ୍ମପୁର ସହରର ଆଙ୍କୁଲି ଅଞ୍ଚଳରେ ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳର ଜଣେ ଯୁବ ସମାଜସେବୀ ରାମକୃଷ୍ଣ ନାୟକ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଯେଉଁମାନେ ଗାଡ଼ି ଚଳାଚଳ କରୁଛନ୍ତି, ସେମାନଙ୍କୁ ଶହ ଶହ ସଂଖ୍ୟାର ହେଲମେଟ ବଣ୍ଟନ କରିଥିଲେ ।

ରାମକୃଷ୍ଣଙ୍କ କହିବା କଥା, ଦେଶର ଅନ୍ୟ ପ୍ରମୁଖ ରାଜ୍ୟରେ ମୋଟର ସାଇକେଲ ଚାଳକମାନେ ଏବଂ ଉକ୍ତ ଗାଡ଼ିରେ ଯାତାୟତ କରୁଥିବା ଯାତ୍ରୀମାନେ ଉଭୟ ହେଲମେଟ ପରିଧାନ କରୁଥିବା ବେଳେ ବ୍ରହ୍ମପୁର ସହରରେ ଅନେକ ମୋଟର ସାଇକେଲ ଚାଳକ ହେଲମେଟ ପରିଧାନ କରୁନଥିବା ଦେଖିବାକୁ ମିଳିଛି । ଏଥିପାଇଁ ସେ ଏଭଳି କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି । ସମସ୍ତେ ଘରୁ ବାହାରିବା ବେଳେ ଯେପରି ମାଆଙ୍କ ଆଶୀର୍ବାଦ ନେଇ ବାହାରିଥାନ୍ତି, ସେହିପରି ପ୍ରତ୍ୟେକ ଘରୁ ବାହାରିବା ସମୟରେ ହେଲମେଟ ପରିଧାନ କରିବାକୁ ନଭୁଲନ୍ତୁ ବୋଲି ଏହାରି ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ରାମକୃଷ୍ଣଙ୍କ ହେଲମେଟ ବଣ୍ଟନ ସମୟରେ ସ୍ଥାନୀୟ ଅଞ୍ଚଳରେ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କ ଉପସ୍ଥିତରେ ହେଲମେଟ ବଣ୍ଟନ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଅନ୍ଧାରୀ ମୂଲକର ଆଶାର ଆଲୋକ ଆଶା ଦିଦି କୁମମଣି ଦେଇ

ଏହି ହେଲମେଟ ବଣ୍ଟନ ସମୟରେ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ ଚନ୍ଦ୍ର ସେଠୀ, ଏଆରଟିଓ ଏମ. ଭେଙ୍କଟ, ପ୍ରଫେସର ସତୀଶ ନାୟକ, ଆଇନଜୀବୀ କୃଷ୍ଣ ସାହୁ ଓ କିରଣ କୁମାର ମଣ୍ଡଳ ପ୍ରମୁଖ ଯୋଗ ଦେଇ ହେଲମେଟ ପ୍ରଦାନ କରିବା ସହିତ ସଡକ ସୁରକ୍ଷା ବାର୍ତ୍ତା ପ୍ରଦାନ କରୁଥିଲେ । ପ୍ରକାଶଯୋଗ୍ୟ,  ଗତବର୍ଷ ଅନୁରୂପ ଭାବେ ଚାଷୀ ମାନଙ୍କୁ ଛତା ବଣ୍ଟନ କରିଥିଲେ ଯୁବ ସମାଜସେବୀ ରାମକୃଷ୍ଣ ନାୟକ । ତେବେ ସମାଜସେବୀଙ୍କ ଏହି ନିଆରା ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦାମାନେ ସ୍ବାଗତ କରିବା ସହ ତାଙ୍କୁ ସାଧୁବାଦ ଜଣାଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.