ପଡ଼ିଲା ହାତଗଣ୍ଠି, ମନ୍ଦିରକୁ ଫେରିଲେ ଦେବଦମ୍ପତି - subarnapur shital sasthi

By ETV Bharat Odisha Team

Published : Jun 12, 2024, 2:14 PM IST

thumbnail
SUBARNAPUR SHITAL SASTHI (ETV Bharat Odisha)

SUBARNAPUR SHITAL SASTHI: ସୁବର୍ଣ୍ଣପୁର: ସୋନପୁର ଗଡଜାତର ଐତିହାସୀକ ଶୀତଳ ଷଷ୍ଠୀ ପର୍ବରେ ଦେବଦମ୍ପତି ସ୍ବମନ୍ଦିରକୁ ଫେରିଛନ୍ତି । ଗତକାଲି ମଧ୍ୟ ରାତିରୁ ଦେବଦମ୍ପତି କନ୍ୟାମାତା ପାର୍ବତୀଙ୍କ ବାସଭବନରୁ ବାହାରି ସହର ପରିକ୍ରମା କରିଥିଲେ । ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖର କନ୍ୟାମାତା ପାର୍ବତୀଙ୍କ ପାଣି ଗ୍ରହଣ କରିବା ପରେ ଦିନକ ପାଇଁ କନ୍ୟାମାତାଙ୍କ ବାସଭବନରେ ଅବସ୍ଥାନ କରି ଶ୍ରଦ୍ଧାଳୁଙ୍କୁ ଯୁଗଳମୂର୍ତ୍ତି ଦର୍ଶନ ଦେଇଥିଲେ । ଏହି ଆଡମ୍ବର ପୂର୍ଣ୍ଣ ବରଯାତ୍ରୀରେ ବାବା ଚନ୍ଦ୍ରଶେଖର ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କ ସମେତ ଅନ୍ୟାନ୍ୟ ଦେବଗଣଙ୍କୁ କନ୍ୟାମାତାଙ୍କ ପାଣିି ଗ୍ରହଣ କରିବାକୁ ବରଯାତ୍ରୀରେ ଯାଇଥିଲେ ।

ନିର୍ଦ୍ଧାରିତ ଲଗ୍ନରେ ବାବା ଚନ୍ଦ୍ରଶେଖର କନ୍ୟାମାତା ପାର୍ବତୀଙ୍କ ପାଣି ଗ୍ରହଣ କରିବା ପରେ ସେ କନ୍ୟାମାତାଙ୍କ ବାସଭବନରେ ଦିନକ ପାଇଁ ବିଶ୍ରାମ ନେଇଥିଲେ । ଗତକାଲି ମଧ୍ୟରାତ୍ରରେ କନ୍ୟା ପିତାମାତା ଯାନି ଯୌତୁକ ସହିତ ଦେବଦମ୍ପତିଙ୍କୁ ବିଦାୟ ଦେଇଥିଲେ । ଏକ ବିରାଟ ଶୋଭାଯାତ୍ରାରେ ସହରର ଗ୍ରୀଡ କଲୋନୀ ନିକଟରୁ ସହରର ବିଭିନ୍ନ ପଡା ଦେଇ ଶୋଭାଯାତ୍ରା ପରିକ୍ରମା କରିବା ପରେ ଚନ୍ଦ୍ରଶେଖର ମନ୍ଦିରକୁ ପହଞ୍ଚିଥିଲା ।

ତେବେ ଏକତ୍ର ବାବା ଚନ୍ଦ୍ରଶେଖରଙ୍କ ସ୍ବର୍ଣ୍ଣ ନାଗ ପ୍ରତିମା, ଦେବୀ ମା' ପାର୍ବତୀଙ୍କ ଅଷ୍ଟ ଧାତୁ ନିର୍ମୀତ ପ୍ରତୀମା ସହିତ ସୁନା ଓ ରୂପା ଅଳଙ୍କାରରେ ଆଭୂଷିତ ନବ ଦେବଦମ୍ପତିଙ୍କ ସହିତ ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କ ଦର୍ଶନ ପାଇଁ ସହରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଆଜି ମଧ୍ୟାହ୍ନରେ ଦେବଦମ୍ପତି ସ୍ବମନ୍ଦିରକୁ ପହଞ୍ଚିବା ପରେ ରୀତିନୀତିରେ ପୁଣି ଦେବ ପୂଜନ ଆରମ୍ଭ ହୋଇଛି । ଚନ୍ଦ୍ରଶେଖର ମନ୍ଦିରରେ ନବ ବିବାହିତ ଦେବଦମ୍ପତିଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗି ରହିଛି ।  

ଏହା ମଧ୍ୟ ପଢନ୍ତୁ .....ଶ୍ରୀମନ୍ଦିରରେ ପବିତ୍ର ଶୀତଳଷଷ୍ଠୀ, ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ - PURI SHITAL SASTHI

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.