ଜଗତସିଂହପୁରରେ କୃଷକ ସଂକଳ୍ପ ସମାବେଶ ଅନୁଷ୍ଠିତ - Jagatsinghpur Sankalp samabesh
🎬 Watch Now: Feature Video
Published : Mar 2, 2024, 9:28 AM IST
Naba Nirman Krushak Sangathan:ଜଗତସିଂହପୁର: ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଗତକାଲି(ଶୁକ୍ରବାର) କୃଷକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗଣତନ୍ତ୍ର ଛକ ନିକଟସ୍ଥ ପଡିଆରେ ଅନୁଷ୍ଠିତ ଏହି ସମାବେଶରେ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ନେତୃତ୍ବ ନେଇଥିଲେ । ଏଥିରେ ଶତାଧିକ ଚାଷୀ ସ୍ଥାନୀୟ ଟାଉନ ହଲ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆକୁ ଆସିଥିଲେ । ଏହାପରେ ଗଣତନ୍ତ୍ର ଛକ ନିକଟ ପଡ଼ିଆରେ କୃଷକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୃଷକ ନେତାମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ।
ତେବେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି ଯେ, ରାଜ୍ୟ ସରକାର କୃଷି ଓ କୃଷକଙ୍କୁ ରୀତିମତ ଭାବରେ ଅବହେଳା ପ୍ରଦର୍ଶନ କରୁଛନ୍ତି । ରାଜ୍ୟରେ ଏବେ ଯୁବ ଚାଷୀମାନେ ବାଧ୍ୟ ହୋଇ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ରାଜ୍ୟରେ ଏବେ 25 ଲକ୍ଷ ଯୁବଚାଷୀ ଚାଷ ଛାଡି ଦାଦନ ଶ୍ରମିକ ଭାବରେ ବାହାର ରାଜ୍ୟରେ ଗୋତି ଖଟୁଥିବା ବେଳେ ରାଜ୍ୟ ସରକାର ବିଭିନ୍ନ ଯୋଜନା ନାମରେ ଲୋକଙ୍କୁ ଭୁଆଁ ବୁଲାଉଥିବା ସଂଗଠନ ଅଭିଯୋଗ କରିଛି । ସଂଗଠନ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, 2017 ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭା କୁହାଯାଇଥିଲା ଯେ ଅମଳ ବାବଦରେ ଧାନ କୁଇଣ୍ଟାଲ ପିଛା 23 ଶହ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଧାନର ମୂଲ୍ୟ କୁଇଣ୍ଟାଲ ପିଛା ଚାଷୀକୁ 29 ଶହ ଟଙ୍କା ଦେବକଥା । କିନ୍ତୁ ଆଜିବି ଚାଷୀଟିଏ ତାର ଧାନକୁ 21 ଶହ ଟଙ୍କାରେ ବିକ୍ରି କରୁଛି । ପଡୋଶୀ ରାଜ୍ୟ ଛତିଶଗଡ଼ରେ ଚାଷୀଙ୍କୁ ବୋନସ ଦେବାର ବ୍ୟବସ୍ଥା ଥିବାବେଳେ ଓଡ଼ିଶାରେ ତାହା ଲାଗୁ କରାଯାଉନାହିଁ । ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୃଷକ ନେତାମାନେ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ବନ୍ଦ ଡାକରାକୁ ମାଲକାନଗିରିରେ ସମର୍ଥନ, କଂଗ୍ରେସ କର୍ମୀଙ୍କ ସମେତ ଏଆଇଟିୟୁସିର ଧର୍ମଘଟ
ଇଟିଭି ଭାରତ, ଜଗତସିଂହପୁର