ଭକ୍ତ ବିସର ମହାନ୍ତି କ୍ଷେତ୍ରରେ ବାସୀ ଗୁଣ୍ଡିଚା, ରଥ ଟାଣିଲେ ଭକ୍ତ - KUJANG RATHA YATRA 2024

By ETV Bharat Odisha Team

Published : Jul 9, 2024, 10:36 PM IST

thumbnail
Ratha Yatra 2024 (ETV Bharat Odisha)

ଜଗତସିଂହପୁର: ଅନୁଷ୍ଠିତ ହେଲା ବାସୀ ଗୁଣ୍ଡିଚା ଯାତ୍ରା । ଆଜି ଇତିହାସ ପ୍ରସିଦ୍ଧ ଜଗତସିଂହପୁରର କୁଜଙ୍ଗର କୁଜ ବିହାରୀ ମନ୍ଦିରରେ ବାସୀ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି । ଲକ୍ଷାଧିକ ଲୋକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥକୁ ମାଉସୀ ମାଆ ମନ୍ଦିରକୁ ଭିଡି ନେଇଥିଲେ । ହରିବୋଲ ହୁଳହୁଳି ଧ୍ୱନୀରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇ ପଡ଼ିଥିଲା । ମହାପ୍ରଭୁଙ୍କ ଗୁପ୍ତ ଲୀଳାର କ୍ଷେତ୍ର ଗଡ଼ କୁଜଙ୍ଗ ।  ଆଜି ମନ୍ଦିରରେ ସମସ୍ତ ନୀତିକାନ୍ତି ସମାପନ ପରେ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯାଇଥିଲା ।    

ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼ କୁଜଙ୍ଗ ଗ୍ରାମରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ମାତା ସୁଭଦ୍ରା ଓ ସୁଦର୍ଶନ। 1568 ମସିହା ପୂର୍ବରୁ ଏହି ଅଞ୍ଚଳ ଘନ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଏହି ଗଡ଼ କୁଜଙ୍ଗ ଅଞ୍ଚଳର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ବିସର ମହାନ୍ତି ନାମକ ଜଣେ ଭକ୍ତ ସେ ସମୟରେ ମୃଦଙ୍ଗ ବଜାଇ ନାମ ସଂକୀର୍ତ୍ତନରେ ନିମଗ୍ନ ରହୁଥିଲେ। 1568 ମସିହାରେ କଳା ପାହାଡ଼ ପୁରୀ ଶ୍ରୀମନ୍ଦିର ଆକ୍ରମଣ କଲା। ମହାପ୍ରଭୁଙ୍କ ଶ୍ରୀବିଗ୍ରହକୁ ହାତୀ ପିଠିରେ ପକାଇ କଲିକତା ନେଇ ଯାଇଥିଲା ଓ ଗଙ୍ଗା ନଦୀ (ହୁଗୁଳି) ନଦୀ କୂଳରେ ଶ୍ରୀବିଗ୍ରହଙ୍କ ଦେହରେ ଅଗ୍ନି ଲଗାଇ ପୋଡି ଦେଇଥିଲା।  

ଏହା ମଧ୍ୟ ପଢ଼ନ୍ତୁ.. ବାଣ୍ଠିଆ ଜଗନ୍ନାଥଙ୍କ ସ୍ୱତନ୍ତ୍ର ଯାତ୍ରା, କୁନି କୁନି ଭକ୍ତ ଟାଣିଲେ ରଥ - BANTHIA JAGANNATH RATH YATRA

ଏହି ଅଞ୍ଚଳର ବିସର ମହାନ୍ତି ଗଙ୍ଗା ନଦୀ କୂଳରୁ ଅର୍ଧଦଗ୍ଧ ଅବସ୍ଥାରେ ବ୍ରହ୍ମ କୁ ସଂଗ୍ରହ କରି ଏକ ମୃଦଙ୍ଗ ଭିତରେ ରଖି ଗୁପ୍ତ ଭାବରେ କଲିକତା ରୁ ଚାଲିଚାଲି ଗଡ଼ କୁଜଙ୍ଗ ରେ ପହଂଛି ଥିଲେ। ଇତିହାସ କାର ଙ୍କ ମତ ରେ 1568 ମସିହା ରୁ 1575 ମସିହା ପର୍ଯ୍ୟନ୍ତ ଗଡ଼ କୁଜଙ୍ଗ ର ଏହି ଅଞ୍ଚଳରେ ରହି ମହାପ୍ରଭୁ ଙ୍କୁ ଗୁପ୍ତ ଭାବରେ ପୂଜାର୍ଚ୍ଚନା କରି ଆସିଥିଲେ।1575 ମସିହା ମସିହା ପରେ ଗଜପତି ରାମଚନ୍ଦ୍ର ଦେବ ଏହି ସ୍ଥାନ ରୁ ବ୍ରହ୍ମ କୁ ଉଦ୍ଧାର କରି 1576 ମସିହାରେ ନବକଳେବର କରାଇ ଶ୍ରୀ ମନ୍ଦିର ରେ ଶ୍ରୀ ବିଗ୍ରହ ଙ୍କୁ ପ୍ରତିଷ୍ଠା କରାଇଥିଲେ। 1575 ମସିହା ଠାରୁ ଗଡ଼ କୁଜଙ୍ଗରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରି ଆସୁଥିଲେ। ସେହିଦିନ ଠାରୁ ଏହିଠାରେ ମହାପ୍ରଭୁଙ୍କ ଶ୍ରୀବିଗ୍ରହ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି। ତତ୍କାଳୀନ ରାଜା ଏହି ଅଞ୍ଚଳରେ ଏକ ମନ୍ଦିର ତୋଳାଇ ଥିଲେ। ପରେ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ନୀତିକାନ୍ତି କରାଯିବା ସହିତ ଶ୍ରୀଗୁଣ୍ଡିଚା ପରଦିନ ଏହି ଠାରେ ରଥଯାତ୍ରା ପାଳନ କରାଯାଇଥାଏ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.