ବାସୀ ବାହୁଡା ଯାତ୍ରା ସମ୍ପନ୍ନ, ଯୋଗଦେଲେ ରାଜ୍ୟ ବାହାରର ଶ୍ରଦ୍ଧାଳୁ - Boudh Basi Bahuda Jatra 2024

By ETV Bharat Odisha Team

Published : Jul 17, 2024, 11:57 AM IST

thumbnail
Basi Bahuda Jatra celebrated in Boudh (ETV Bharat Odisha)

Basi Bahuda Jatra celebrated in Boudh ବୌଦ୍ଧ: ବୈଷ୍ଣବୀୟ ସଂସ୍କୃତିରେ ଭରପୁର ବୌଦ୍ଧ ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହିତ ସମାପନ ହୋଇଛି ଦୁଇ ଦିନିଆ ବାହୁଡା ଯାତ୍ରା । ଜିଲ୍ଲାର ଅଧିକାଂଶ ସ୍ଥାନରେ ସୋମବାର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଜିଲ୍ଲାର ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ଅନୁଷ୍ଠିତ ହୋଇଛି ବାସୀ ବାହୁଡା ଯାତ୍ରା । ତେବେ ଏଭଳି ନିଆରା ଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ଶ୍ରଦ୍ଧାଳୁ ଯୋଗଦେଇ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।
 

ବଜ୍ର କ୍ଷେତ୍ରରେ ଆନନ୍ଦ ଉଲ୍ଲାସର ସହିତ ବଡ ଠାକୁରଙ୍କ ବାହୁଡା ଯାତ୍ରା ସମ୍ପନ୍ନ ହୋଇଛି । ବୈଷ୍ଣବୀୟ ସଂସ୍କୃତିରେ ଭରପୁର ଗଡଜାତ ଅଞ୍ଚଳ ବୌଦ୍ଧ । ଶହ ଶହ ବର୍ଷ ହେଲା ଏହି ବୌଦ୍ଧ ଅଞ୍ଚଳରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସନା ପ୍ରଚଳିତ ହୋଇ ଆସୁଛି । ପାତାଳୀ ଶ୍ରୀକ୍ଷେତ୍ର ନାଏକପଡା ଗୁମ୍ଫା ବର୍ଷ ତମାମ ଭକ୍ତ ଶ୍ରଦ୍ଧାଳୁଙ୍କୁ ଜଗନ୍ନାଥ ଭକ୍ତି ଭାବନାରେ ବାନ୍ଧି ରଖିଥାଏ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦିରୂପ ଗନ୍ଧରାଡିର ଶ୍ରୀ ନୀଳମାଧବଙ୍କ ପୂଜାର୍ଚ୍ଚନା ଆଜି ମଧ୍ୟ ଅତ୍ୟନ୍ତ ଶ୍ରଦ୍ଧାର ସହିତ ପାଳନ କରାଯାଉଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଭୁ ଶ୍ରୀଜଗନ୍ନାଥ ବିଭିନ୍ନ ନାମରେ ପୂଜିତ ହେଉଥିବା ବେଳେ ଘୋଷଯାତ୍ର କୁ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହିତ ପାଳନ କରାଯାଏ ।

ଏହାମଧ୍ୟ ଦେଖନ୍ତୁ.. ବୌଦ୍ଧର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ବାହୁଡ଼ା ଯାତ୍ରା ଅନୁଷ୍ଠିତ - Bahuda Yatra 2024

ଚଳିତ ବର୍ଷ ଏହି ନବଦିନାତ୍ମକ ଯାତ୍ରାର ତିଥି ଲଗ୍ନରେ ଭିନ୍ନତା ଥିବା ହେତୁ ଏହା ଦୁଇ ଦିନ ଲେଖାଏଁ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାର ଅଧିକାଂଶ ଶ୍ରୀଜଗନ୍ନାଥ ପୀଠରେ ସୋମବାର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ଚତୁର୍ଦ୍ଧା ବିଗ୍ରହ ରଥାରୂଢ ହୋଇ ବଡ ଶୃଙ୍ଗାର ବେଶରେ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ।ଭକ୍ତ ମାନେ ମଧ୍ୟ ରଥାରୂଢ ଠାକୁରଙ୍କ ଦର୍ଶନ କରି ବେଶ ଭାବ ବିହ୍ଵଳ ହୋଇଥିଲେ । 

ଏହାମଧ୍ୟ ଦେଖନ୍ତୁ.. ପାତାଳୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି; ଆଳତି କଲେ ବିଧାୟକ ସରୋଜ - Patali Srikshyetra Rath Yatra

ସେପଟେ ପରମ୍ପରା ମୁତାବକ ବୌଦ୍ଧ ଜିଲ୍ଲାର ପାତଳୀ ଶ୍ରୀକ୍ଷେତ୍ର ନାଏକପଡା ସମେତ ବୁଟୁପାଲି, ବାଘପାଲି,ନାରାୟଣ ନଗର,ସାହାଜପାଲ ଭଳି କେତେକ ସ୍ଥାନରେ ମଙ୍ଗଳବାର ବାସୀ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା ।ଚଳିତ ବର୍ଷ ଦୁଇ ଦିନ ବାହୁଡା ପଡିଥିବା ବେଳେ ବୌଦ୍ଧ ଜିଲ୍ଲାର ବୁଟୁପାଲି ସମେତ କେତେକ ସ୍ଥାନରେ ପାରମ୍ପରିକ ଶୈଳୀରେ ଶତାଧିକ ବର୍ଷ ହେଲା ଗୁଣ୍ଡିଚା ଓ ବାହୁଡା ବାସୀ ବା ପରଦିନ ଅନୁଷ୍ଠିତ ହୋଇଥାଏ । ବୁଟୁପାଲି ଠାରେ ମଙ୍ଗଳବାର ବିଳମ୍ବିତ ସମୟ ପର୍ଯ୍ୟନ୍ତ ଚତୁର୍ଦ୍ଧା ବିଗ୍ରହ ସେବାୟତଙ୍କ ଗହଣରେ ପହଣ୍ଡି ବିଜେ ପରେ ରଥାରୂଢ ହୋଇଥିଲେ । ଏହି ବାସୀ ବାହୁଡା ଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.