ଭୁବନେଶ୍ବର: ଚଳିତ ବର୍ଷ ଜୁନ୍ ୨୭ ତାରିଖରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ । ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ଏହାର ସୁପରିଚାଳନା ଓ ସୁବ୍ୟବସ୍ଥା ନିମନ୍ତେ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି ।
ଜୁନରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା:
ପୋଲିସ ଡିଜି ଓ୍ୱାଇ.ବି ଖୁରାନିଆ କହିଛନ୍ତି, "ଲୋକଙ୍କ ଧାର୍ମିକ ଭାବନା ବୃଦ୍ଧି ପାଉଛି । ଆଗାମୀ ରଥଯାତ୍ରାରେ ଗତବର୍ଷ ଅପେକ୍ଷା ଅଧିକ ଜନଗହଳି ଆଶା କରାଯାଉଛି । ଏଥିପାଇଁ ଏବେଠାରୁ ଯଥେଷ୍ଟ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି । ବୈଠକରେ ଯାନବାହନ ପରିଚାଳନା ଓ ପାର୍କିଂ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଛି ।" ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ଜୁନ ୧୧, ଶ୍ରୀଗୁଣ୍ଡିଚା ଯାତ୍ରା ଜୁନ ୨୭, ବାହୁଡା ଯାତ୍ରା ଜୁଲାଇ ୫ ଓ ସୁନାବେଶ ଜୁଲାଇ ୬ ତାରିଖରେ ଅନୁଷ୍ଠିତ ହେବ ।
୩୪୩ ସ୍ଥାନରେ ଲାଗିବ ସିସିଟିଭି:

ପୁରୀ ଦେଶର ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ରଥଯାତ୍ରା ସମେତ ଅନ୍ୟ ସମୟରେ ମଧ୍ୟ ବର୍ଷସାରା ବହୁ ସଂଖ୍ୟାରେ ଜନସାଧାରଣ ଓ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ଶ୍ରୀଜଗନ୍ନାଥ ମନ୍ଦିର, ପୁରୀ ବଡଦାଣ୍ଡ ଏବଂ ବେଳାଭୂମିରେ ନିୟମିତ ଭାବେ ଭିଡ଼ ଦେଖାଦେଇଥାଏ । ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥାଏ । ତେଣୁ ଟ୍ରାଫିକ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ କରିବା, ଅପରାଧ ରୋକିବା ଓ ଆଇନଶୃଙ୍ଖଳା ପରିଚାଳନା ପାଇଁ ରିୟଲ ଟାଇମ ମନିଟରିଂ ଦୃଷ୍ଟିରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା, ପୁରୀ ସହର, ବଡ଼ଦାଣ୍ଡ ଓ ପୁରୀ ବେଳାଭୂମି ଆଦି ପ୍ରମୁଖ ୩୪୩ ସ୍ଥାନରେ ସିସିଟିଭି ସ୍ଥାପନ ପାଇଁ ପୁଲିସ ପ୍ରଶାସନ ତରଫରୁ ପ୍ରସ୍ତାବ ଦିଆଯାଇଛି ।
ଏସଓପି ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ:

ଉତ୍ତରା ଛକରୁ ମାଳତୀପାଟପୁର, ପୁରୀ ଗ୍ରୀଡ ଷ୍ଟେସନରୁ କୋଣାର୍କ, ବାଲିଘାଇରୁ ନିମାପଡ଼ା, ମଙ୍ଗଳାଘାଟରୁ ସାତପଡ଼ା, ମାଳତିପାଟପୁରରୁ ମଙ୍ଗଳାଘାଟ, ମଙ୍ଗଳାଘାଟରୁ ବଡଦାଣ୍ଡ, ପୁରୀ ବଡ଼ଦାଣ୍ଡ, ବଡ଼ଦାଣ୍ତରୁ ସମୁଦ୍ରକୂଳ, ସମୁଦ୍ରକୂଳ ଅଞ୍ଚଳ, ବଡଦାଣ୍ଡରୁ ଗ୍ରୀଡ ଷ୍ଟେସନ, ପାର୍କିଂ ସ୍ଥଳ, ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ ସହିତ ପୁରୀ ସହରର ଗଳି ଓ ଉପଗଳି ଆଦିରେ ବିଭିନ୍ନ ସ୍ଥାନରେ ଏହି ସମସ୍ତ ସିସିଟିଭି ଲଗାଯିବା ପାଇଁ ପ୍ରସ୍ତାବ ରଖାଯାଇଛି । ଏଥି ପାଇଁ ଭିତ୍ତିଭୂମି ଓ ବୈଷୟିକ ଆବଶ୍ୟକତା ସଂପର୍କରେ ବୈଠକରେ ଆଲୋଚନା ହୋଇଛି । ସିସିଟିଭି ବ୍ୟବସ୍ଥା ଯେପରି ଜାତୀୟସ୍ତରୀୟ ହେବ, ସେଥିପ୍ରତି ଭିତ୍ତିଭୂମି ପ୍ରସ୍ତୁତି ଓ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଏଥି ସହିତ ରଥଯାତ୍ରା ପରିଚାଳନା ସଂପର୍କିତ ସମସ୍ତ କାର୍ଯ୍ୟ ପ୍ରସ୍ତୁତି ପାଇଁ ଏସଓପି ପ୍ରସ୍ତୁତି କରିବାକୁ ପୋଲିସ ପ୍ରଶାସନ ଓ ପୁରୀ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ପରିଚାଳନା କେନ୍ଦ୍ର:
ବୈଠକରେ ଆଗାମୀ ରଥଯାତ୍ରା-୨୦୨୫ ପରିପ୍ରେକ୍ଷୀରେ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ପରିଚାଳନା କେନ୍ଦ୍ର କାର୍ଯ୍ୟ କରିବ । ବିଭିନ୍ନ ବିଭାଗର ଅଧିକାରୀମାନେ ସେହି ନିୟନ୍ତ୍ରଣ କକ୍ଷରେ ରହି ବିଭାଗ ସମ୍ପର୍କିତ କାର୍ଯ୍ୟ ପରିଚାଳନା କରିବେ । ସିସିଟିଭି ସ୍ଥାପନ ଓ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ସୁରକ୍ଷା, ଅପରାଧ ନିୟନ୍ତ୍ରଣ, ଭିଡ଼ ନିୟନ୍ତ୍ରଣ, ଆକସ୍ମିକ ଦୁର୍ଘଟଣା ଘଟିଲେ ଠିକ୍ ସମୟରେ ତ୍ୱରିତ ପଦକ୍ଷେପ ନିଆଯିବ । ଏହା ସହ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ଓ ଜରୁରୀ କାଳୀନ ପଦକ୍ଷେପ ନିଆଯାଇପାରିବ ।
ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତି:

ପୁରୀ ଜିଲ୍ଲାପାଳ ଓ ଏସପି ଗତବର୍ଷ ରଥଯାତ୍ରାରେ ପୁରୀରେ ଗହଳି ଓ ଭିଡ଼ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ପୂର୍ବ ଅନୂଭୂତି ଉପସ୍ଥାପନା କରିଛନ୍ତି । ଏହା ସହିତ ଓ ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତି ସଂପର୍କରେ ତଥ୍ୟ ରଖିଛନ୍ତି । ଉପସ୍ଥିତ ବରିଷ୍ଠ ପଦାଧିକାରୀ ମଧ୍ୟ ଆଗାମୀ ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତି ନେଇ ନିଜ ନିଜର ସୁଚିନ୍ତିତ ମତ ଦେଇଛନ୍ତି । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, "ସମନ୍ୱିତ ଡାକବାଜି ଯନ୍ତ୍ର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ଚନ୍ଦନ ଯାତ୍ରାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରା ସମୟର ସମେତ କାର୍ଯ୍ୟକ୍ରମକୁ ସବୁ ବିଭାଗର ସମନ୍ୱୟରେ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ । ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରହିବ ।''
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା ବୈଠକ । ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ପୋଲିସ ଡିଜି ଓ୍ୱାଇ.ବି ଖୁରାନିଆଙ୍କ ସମେତ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପୁରୀ ଏବଂ ରାଜ୍ୟ ପୁଲିସ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଜନଗହଳି ଓ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ଏହାର ସୁପରିଚାଳନା ଓ ସୁବ୍ୟବସ୍ଥା ନିମନ୍ତେ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି ।