ବ୍ରହ୍ମପୁର: କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏସ.ଲକ୍ଷ୍ମୀ ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଅଧ୍ୟକ୍ଷାଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ନିଜ ଦଳର 15 କାଉନସିଲର । ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଧ୍ୟକ୍ଷା ଏସ.ଲକ୍ଷ୍ମୀ ।
କବିସୂର୍ଯ୍ୟନଗର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ:
ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏସ.ଲକ୍ଷ୍ମୀ ସେଠୀଙ୍କ କାର୍ଯ୍ୟକୁ ନେଇ ବଢିଲା ଅସନ୍ତୋଷ । ତାଙ୍କ କାର୍ଯ୍ୟକୁ ବିରୋଧ କରି ଅନାସ୍ଥା ପ୍ରସ୍ତାବ ଆଣି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦର 15 ଜଣ କାଉନସିଲର । ବିଜେଡି ଦଳୀୟ ଟିକେଟରୁ ବିଜୟୀ ହୋଇଥିବା ଅଧ୍ୟକ୍ଷା ଏସ.ଲକ୍ଷ୍ମୀ ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ସେହି ଦଳର କାଉନସିଲରମାନେ । ଅଧ୍ୟକ୍ଷାଙ୍କ ବିରୋଧରେ ମନମୁଖୀ କାର୍ଯ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ ଦୁର୍ବ୍ୟବହାର ଅଭିଯୋଗ ଆଣିବା ସହ ଅନାସ୍ଥା ପ୍ରସ୍ତାବ ଗ୍ରହଣ ନିମନ୍ତେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଲିଖିତ ଅନୁରୋଧ କରିଛନ୍ତି ।
ପୁଣି ପଦାରେ ପଡିଲା ଦଳୀୟ କନ୍ଦଳ:
କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ବିରୁଦ୍ଧରେ ଏଭଳି ଅନସ୍ଥା ପ୍ରସ୍ତାବ, କବିସୂର୍ଯ୍ୟନଗର ଅଞ୍ଚଳରେ ବିଜେଡି ଗୋଷ୍ଠୀ କନ୍ଦଳକୁ ପୁଣି ପଦାରେ ପକାଇଛି । ଖୋଦ ଗୋଟିଏ ଦଳରେ ନିର୍ବାଚିତ ହୋଇଥିବା ଏନଏସି ଅଧ୍ୟକ୍ଷାଙ୍କୁ ହଟାଇବା ପାଇଁ ଅନାସ୍ଥା ଆଣିଥିବା ଅନ୍ୟ କାଉନସିଲରମାନଙ୍କ କାର୍ଯ୍ୟକୁ ନେଇ ଆଲୋଚନା ଜୋର ଧରିଛି। ତେବେ ଅଧ୍ୟକ୍ଷାଙ୍କ ମନମୁଖି ଶାସନ ଯୋଗୁଁ ଏଭଳି ଅନାସ୍ଥା ଅ।ସିଥିବା କାଉନସିଲରମାନେ କହିଛନ୍ତି ।
ଅଧ୍ୟକ୍ଷାଙ୍କ ବିରୋଧରେ 15 କାଉନସିଲର:
କବିସୂର୍ଯ୍ୟନଗର ଏନଏସି ମୋଟ 18ଟି ଓ୍ଵାର୍ଡକୁ ନେଇ ଗଠିତ ହୋଇଥିବାବେଳେ ଏହି ଏନଏସି ବହୁ ବର୍ଷ ଧରି ବିଜେଡି ଦଖଲରେ ରହିଆସିଛି । ତେବେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା କାଉନସିଲର ଲକ୍ଷ୍ମୀପ୍ରିୟା ସାହୁ କହିଛନ୍ତି," ଆମ ଚେୟାରମ୍ୟାନ ଏକମୁଖୀ ଶାସନ ଚଳାଉଛନ୍ତି । କବିସୂର୍ଯ୍ୟନଗରର କୌଣସି ଉନ୍ନତିମୂଳକ କାର୍ଯ୍ୟ କରୁନାହାନ୍ତି କିମ୍ବା କାଉନସିଲରମାନଙ୍କୁ ମଧ୍ୟ କରିବାକୁ ଦେଉନାହାନ୍ତି । ଯେଉଁଥିପାଇଁ ଆମେ ଅନାସ୍ଥା ପ୍ରସ୍ତାବ ଆଣିଛୁ ।"
ସେହିପରି କବିସୂର୍ଯ୍ୟନଗର ଏନଏସିର ଉପାଧ୍ୟକ୍ଷ ବିକ୍ରାନ୍ତ ସାହୁ କହିଛନ୍ତି,"ଦୀର୍ଘ 8 ମାସ ହେଲା ଏନଏସିରେ କୌଣସି ବୈଠକ ହୋଇପାରୁନି । ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛୁ ।"
କ'ଣ କହୁଛନ୍ତି ଅଧ୍ୟକ୍ଷା ଏସ ଲକ୍ଷ୍ମୀ ସେଠୀ:
ଅନ୍ୟପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା ଏସ ଲକ୍ଷ୍ମୀ ସେଠୀ କହିଛନ୍ତି,"ଆଜି ପର୍ଯ୍ୟନ୍ତ କବିସୂର୍ଯ୍ୟନଗରବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲି ସେହି ପ୍ରତିଶ୍ରୁତି ପାଳନ କରିଆସୁଛି । କିନ୍ତୁ କାଉନସିଲରମାନେ ମୋତେ କୌଣସି ପ୍ରକାର ସାହାଯ୍ୟ କରୁନାହାନ୍ତି । ପ୍ରତି ମାସରେ କାଉନସିଲ ବୈଠକ ପାଇଁ ନୋଟିସ କରାଯାଉଛି । କିନ୍ତୁ କୌଣସି କାଉନସିଲର ନୋଟିସ କପି ରିସିଭ କରୁନାହାନ୍ତି । ମୋ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ମୋତେ ବାହାର କରିବାକୁ ଲାଗିଛନ୍ତି ।"
ଇଟିଭି ଭାରତ, ବ୍ରହ୍ମପୁର