ମାଛ ଆଶାରେ ବନଶୀ କଣ୍ଟା ଗିଳିଲା ତମ୍ପ, ଓୟୁଏଟିରେ ଚିକିତ୍ସା ପରେ ହେଲା ମୁକ୍ତ - SNAKE RESCUE
🎬 Watch Now: Feature Video


Published : Feb 25, 2025, 4:31 PM IST
ଭୁବନେଶ୍ବର: ବନଶୀ କଣ୍ଟା ଗିଳି ଅକଳରେ ପଡିଥିଲା ବିଷଧର ତମ୍ପ ସାପ । ସାପକୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରିଛନ୍ତି । ବନ ବିଭାଗ ନିର୍ଦ୍ଦେଶରେ ସାପକୁ ଭୁବନେଶ୍ୱର ଓୟୁଏଟିରେ ଚିକିତ୍ସା କରାଯାଇଛି । ସୁସ୍ଥ ହେବା ପରେ ସାପକୁ ପ୍ରାକୃତିକ ଆବାସ ସ୍ଥଳରେ ମୁକ୍ତ କରାଯାଇଛି । ଯାଜପୁର ରୋଡ୍ ଅନ୍ତର୍ଗତ କଇଆଁ ଗାଁର ପିଲାମାନେ ମାଛ ଧରିବା ପାଇଁ ଗତକାଲି(ସୋମବାର) ରାତିରେ ବନଶୀ ପକେଇଥିଲେ । ଆଜି ସକାଳୁ ସେଇ ବନଶୀରେ ଏକ ତମ୍ପ ସାପ ଫସିଥିଲା । ସାପ ବନଶୀରେ ପଡି ଛଟପଟ ହେଉଥିଲା । ସାହସ କରି ଗାଁ ପିଲା ବନଶୀ ସହିତ ସାପକୁ ପାଣି ଭିତରୁ ଉପରକୁ ଟାଣି ଆଣିଥିଲେ । ଅନ୍ୟ ବାଟ ନପାଇ ଗ୍ରାମବାସୀଙ୍କ ତରଫରୁ ସ୍ନେକ ହେଲ୍ପଲାଇନକୁ ଖବର ଦିଆଯାଇଥିଲା ।
ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନସ ରଞ୍ଜନ ମହାନ୍ତି ଓ ମଣିଭଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ । ସାପ ଭିଡି ମୋଡି ହୋଇ ଡୋରକୁ ଛିଣ୍ଡେଇ ପାଖରେ ଏକ ଗାତ ଭିତରେ ପଶି ଯାଇଥିଲା । କିନ୍ତୁ ବନଶୀ କଣ୍ଟାଟି ସାପର ପାଟି ଫୁଟି ବାହାରକୁ ଦେଖାଯାଉଥିଲା । ସାପଟିକୁ ଉଦ୍ଧାର କରି ସ୍ନେକ ହେଲ୍ପ ଲାଇନ ସଦସ୍ୟ ଯାଜପୁର ରୋଡ୍ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନେଇଥିଲେ । ଯାଜପୁର ରୋଡ୍ ରେଞ୍ଜ ଅଧିକାରୀଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଆନନ୍ଦ ଚନ୍ଦ୍ର ପାତ୍ର ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନସ ଏବଂ ମଣିଭଦ୍ରଙ୍କ ସହିତ ଭୁବନେଶ୍ୱର ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜକୁ ଚିକିତ୍ସା ପାଇଁ ଆଣିଥିଲେ । ଭେଟେରିନାରୀ ସର୍ଜରୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଶଙ୍କର ବେହେରା ପ୍ରଥମେ 'ଏକ୍ସରେ' କରି ବନଶୀ କଣ୍ଟା ପାଟି ଭିତରେ କେଉଁ ସ୍ଥାନରେ ଅଛି ବା କେଉଁ ଅଙ୍ଗକୁ କ୍ଷତି କରିଛି ତାହାର ବିଶ୍ଳେଷଣ କରିଥିଲେ । ଏହାପରେ କଠିନ ଲୁହାରେ ନିର୍ମିତ ବନଶୀ କଣ୍ଟାକୁ ମେଟାଲ କଟର ସାହାଯ୍ୟରେ ଦୁଇ ଖଣ୍ଡ କରିବା ପରେ ଡାକ୍ତର ସିଦ୍ଧାର୍ଥ କଣ୍ଟାକୁ ସାପ ପାଟିରୁ ବାହାର କରିଥିଲେ । ଅପରେସନ ବେଳେ ସର୍ଜରୀ ବିଭାଗର ପିଜି ଏବଂ ପିଏଚଡି ଛାତ୍ରମାନେ ମଧ୍ୟ ସହାୟତା କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ... |
ଡାକ୍ତର ସିଦ୍ଧାର୍ଥ କହିଛନ୍ତି, "ଆମେ ସାପଟିକୁ ପେନ୍ କିଲର ଏବଂ ଆଣ୍ଟି ବାୟୋଟିକ୍ସ ଦେଇଛୁ । ତାର ବିଶେଷ କ୍ଷତ ହୋଇନଥିବାରୁ ସାପକୁ ବନ୍ୟ ପରିବେଶରେ ଆଜି ହିଁ ଛାଡି ଦେଇପାରିବେ । ସାପକୁ ବିନା ନିସ୍ତେଜକ ଦେଇ ବନଶୀ କଣ୍ଟା ବାହାର କରିବା ବିପଦପୂର୍ଣ୍ଣ ଥିଲା ।" ତେବେ ଅପରେସନ ଶେଷ ହେବା ଯାଏଁ, ବିଷଧର ତମ୍ପ ସାପର ମୁଣ୍ଡକୁ ଧରିବା ଏବଂ ଡାକ୍ତରମାନଙ୍କ ମନରେ ଆତ୍ମବିଶ୍ଵାସ ବଜାୟ ରଖିବା କାମ କରିଥିଲେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଶୁଭେନ୍ଦୁ ମଲ୍ଲିକ । ବିପଦ ମୁକ୍ତ ସାପକୁ ସ୍ନେକ ହେଲ୍ପଲାଇନ ପକ୍ଷରୁ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର