ହାଇଦ୍ରାବାଦ: ଓଁ ତ୍ରୟମ୍ବକମ୍ ୟଯାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍... ଉର୍ବାରୁକମିବବନ୍ଧନାନ୍-ମୃତ୍ୟୋର୍ମୂକ୍ଷୀୟ ମାମୃତାତ୍... ସେ ଆଶୁବର ପ୍ରଦାନକାରୀ ଆଶୁତୋଷ ଏବଂ ଅକାଳମୃତ୍ୟୁ ହରଣକାରୀ ମୃତ୍ୟୁଞ୍ଜୟ । ଦେବଦେବ ମହାଦେବ ସତ୍ୟ, ଶିବ, ସୁନ୍ଦର । ଜୀବନରୁ ପାପତାପରୁ ମୁକ୍ତି କରିବା ସହ ଯିଏ ଆଲୋକର ରାସ୍ତା ଦେଖାନ୍ତି ସେ ହେଉଛନ୍ତି ମହାଦେବ । ଶିବ ଶବ୍ଦର ଅର୍ଥ ହେଉଛି ମଙ୍ଗଳ । ସେ ଶାଶ୍ବତ, ସତାତନ, ଚିରନ୍ତନ, ସର୍ବଜ୍ଞ, ସତ୍ୟ, ସୁନ୍ଦର ଏବଂ ସକଳ ବେଦ ସ୍ବରୂପ । ତିନି ଗୋଟି ଆଖି, ପାଞ୍ଚ ଗୋଟି ମୁଖ, ବୃଷଭ ଏହାଙ୍କର ବାହାନ। ଅତ୍ରିମୁନି ଏହାଙ୍କର ଗୁରୁ ।

ଆଜି ଦେବ ଦେବ ମହାଦେବଙ୍କ ପବିତ୍ର ମହାଶିବରାତ୍ରି ବା ଜାଗର । ଆଜି ପ୍ରତ୍ୟେକ ଶୈବଭକ୍ତ ପାଠ କରୁଛନ୍ତି ସବୁଠାରୁ ଶକ୍ତିଶାଳୀ ମହା ମହାମୃତ୍ୟୁଞ୍ଜୟ ମନ୍ତ୍ର । ହର ହର ମହାଦେବରେ କମ୍ପୁଛି ଗଗନ, ପବନ । ତେବେ କାହିଁକି ପାଳନ ହୁଏ ମହାଶିବରାତ୍ରୀ ? କାହିଁକି ଉଜାଗର ରହି ଦୀପ ଜାଳନ୍ତି ଭକ୍ତ ? ଆସନ୍ତୁ ଜାଣିବା ସେ ବିଷୟରେ....

କାହିଁକି ପାଳନ ହୁଏ ଶିବରାତ୍ରି:
ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ ହୁଏ ମହାଶିବରାତ୍ରି । ଭଗବାନ ଶିବଙ୍କୁ ବ୍ରତ ମଧ୍ୟରେ ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । ଦେବଦେବ ମହାଦେବଙ୍କ ଦ୍ବାରା ବିଶ୍ୱ ସୃଷ୍ଟି ବୋଲି ବିଶ୍ବାସ ରହିଛି । ପୌରାଣିକ କଥାବସ୍ତୁ ଅନୁଯାୟୀ, ଯେତେବେଳେ ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଦେଇଥିଲେ । ଏହାପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତେଣୁ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି ।ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ମଧ୍ୟ ପାଳନ କରାଯାଏ ।

ଉଜାଗର ରହି ଦୀପ ଜାଳିଲେ କଣ ହୁଏ?
ଅଖଣ୍ଡ ଦୀପ ଜାଳି ରାତିରେ ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଏ । ଶିବଭକ୍ତ ମାନେ ଆଜିର ଦିନରେ ଉପବାସ ରହିଥାନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରହିଥାନ୍ତି । ସେହି ରାତ୍ରିର ଚାରିପ୍ରହରରେ ଦୀପ ଜାଳିବା ସହିତ ଶିବଙ୍କର ପୂଜା ସହିତ ନାମ ଜପ କରାଯିବାର ବିଧି ରହିଛି । ଅନ୍ୟ ଦେବତାଙ୍କ ପୂଜା ଦିନ ବେଳା ହେଉଥିବାବେଳେ ଶିବରାତ୍ରିରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ । ବିଳମ୍ବିତ ରାତିରେ ମହାଦୀପ ଉଠିବା ପରେ ବ୍ରତ ସମ୍ପୂର୍ଣ୍ଣ ହୋଇଥାଏ । ଶିବରାତ୍ରିକୁ ଭକ୍ତି ଏବଂ ନିଷ୍ଠାର ସହ କଲେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।
ଶିବରାତ୍ରିରେ କଣ ହୋଇଥାଏ? ମହାଦୀପ ଉଠାଯିବାର କାରଣ"
ଶିବରାତ୍ରିକୁ ଚାରୋଟି ପ୍ରହରରେ ଶେଷ କରାଯାଏ । ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା । ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ ଅଭିଷେକ କରାଯାଏ । ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ । ତୃତୀୟ ପ୍ରହରରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ । ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୁଡ଼ାଦେଶକୁ ମହାଦୀପ ଉଠାଯାଏ । ସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂରେଇ ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ । ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ । ଏହିଦିନ ଭଗବାନ ଶିବଙ୍କ ଉପରେ କେତକୀଫୁଲ ଚଢ଼ାଯିବାର ବିଧି ରହିଛି ।