ଜନ୍ମଦିନରେ ବଳଦେବଜୀଉଙ୍କ ହାତରେ ବଡ଼ ରାକ୍ଷୀ, ଘୃତ ଆହୁତି ଓ ତୁଳସୀ ପତ୍ର ଲାଗି - Rakhi at BALADEVJIU TEMPLE - RAKHI AT BALADEVJIU TEMPLE
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/19-08-2024/640-480-22245209-thumbnail-16x9-as.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 19, 2024, 9:14 PM IST
କେନ୍ଦ୍ରାପଡ଼ା: ଆଜି ହେଉଛି ରକ୍ଷା ବନ୍ଧନ ବା ପବିତ୍ର ଗହ୍ମା ପୂର୍ଣ୍ଣିମା । ତିଥି ଅନୁଯାୟୀ, ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ଜନ୍ମୋତ୍ସବ।ଚାଷୀକୂଳର ଦେବତା ହଳ ଲଙ୍ଗଳ ଧାରୀ ରେବତୀ ରମଣଙ୍କ ଜନ୍ମ ଦିନ ଅବସରରେ ଇଚ୍ଛାପୁର ସ୍ଥିତ ମନ୍ଦିରରେ ଆଜି ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଆଜି ସକାଳୁ ଦିଅଁଙ୍କୁ ସ୍ନାନ କରାଯାଇ ଶ୍ରଦ୍ଧାଳୁଙ୍କ ଦ୍ୱାରା ପ୍ରଦତ୍ତ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା ।
ବଳଦେବଜୀଉଙ୍କ ଜନ୍ମ ଅଭିଷେକ ନୀତି:
ମଙ୍ଗଳା ଆଳତି, ବଲ୍ଲଭ ଭୋଗ ପରେ ପୂର୍ବାହ୍ନ ଦୀପ ଶେଷ ହୋଇଥିଲା । ଏହାପରେ ମନ୍ଦିର ପରିସରରେ ମୁଖ୍ୟ ମନ୍ଦିର ଦ୍ୱାରରେ ମହାପ୍ରଭୁଙ୍କ ଜନ୍ମ ଅଭିଷେକ ନୀତି ହୋଇଥିଲା। ଏହି ଜନ୍ମ ଅଭିଷେକ ନୀତିରେ ୧ ଲକ୍ଷ ୮ ଘୃତ(ଘିଅ) ଆହୁତି ହୋଇଥିବା ବେଳେ ମଧ୍ୟରାତ୍ରରେ ଏହି ଜନ୍ମ ଅଭିଷେକ ନୀତି ସମାପନ ହେବ ବୋଲି ସୂଚନା ଦେଇଛି ଦେବୋତ୍ତର ବିଭାଗ।
୧ ଲକ୍ଷ ୮ ତୁଳସୀ ପତ୍ର ଲାଗି ବିଧି:
ମହାପ୍ରଭୁଙ୍କ ନିକଟରେ ଆଜି ୧ ଲକ୍ଷ ୮ ତୁଳସୀ ପତ୍ର ଲାଗି କରାଯିବାର ବିଧି ଥିବାବେଳେ ଆଜିକାଲି ତୁଳସୀର ଅଭାବ ଦେଖାଦେଇଛି । ତେଣୁ ମହାକାଳପଡ଼ା ବୀଣାପାଣି ଅଞ୍ଚଳର କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷାର୍ଥୀ ଗତକାଲି (ରବିବାର) ସନ୍ଧ୍ୟାରେ ଏହି ତୁଳସୀ ପତ୍ର ଆଣି ମନ୍ଦିରକୁ ପଦଯାତ୍ରା କରି ଆସିଥିଲେ। ଆଜିର ବିଧି ସମ୍ପର୍କରେ ପୂଜାପଣ୍ଡା ସେବାୟତ ଜ୍ୟୋତିରଞ୍ଜନ ପତ୍ରୀ କହିଛନ୍ତି,"ଆଜି ତୁଳସୀ କ୍ଷେତ୍ରରେ ଗଣପର୍ବ କାରଣ ଆଜି ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ବଳଦେବଜୀଉଙ୍କ ଜନ୍ମୋତ୍ସବ।ଏହି ଉତ୍ସବର ସ୍ୱତନ୍ତ୍ର ପ୍ରାଚୀନତା ଏବଂ କିମ୍ବଦନ୍ତୀ ରହିଛି। ଏହା ଆଦିପୀଠ ହୋଇଥିବା କାରଣରୁ ଏଠାରେ ଜନ୍ମ ଅଭିଷେକ ନୀତି ପାଳନ କରାଯାଏ । ଯାହାକି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ। ଏଥିସହ ଜଗତ କଲ୍ୟାଣ ନିମନ୍ତେ ମହାପ୍ରଭୁଙ୍କ ପାଦ ଯୁଗଳରେ ୧ ଲକ୍ଷ ୮ଟି ତୁଳସୀ ଅର୍ପଣ କରାଯାଏ।"
ପୁରୀରୁ ଆସିଛି ରାକ୍ଷୀ:
ଶ୍ରଦ୍ଧାଳୁ ଅରବିନ୍ଦ ବାରିକ କହିଛନ୍ତି ,"ପାଟରା ସେବାୟତଙ୍କ ଦ୍ୱାରା ଗୁରୁବାର ଦିନ ପୁରୀରୁ ରାକ୍ଷୀ ଆସି ତୁଳସୀକ୍ଷେତ୍ରରେ ପହଞ୍ଚିଥିଲା । ଆଜି ଏହି ରାକ୍ଷୀ ଗୁଡିକୁ ଶ୍ରୀଜୀଉମାନଙ୍କ ଦକ୍ଷିଣ ହସ୍ତରେ ଏଗୁଡ଼ିକୁ ବନ୍ଧା ଯିବାର ବିଧି ରହିଛି । ଏହା ଓଡ଼ିଶାର ସର୍ବବୃହତ ରାକ୍ଷୀ, ଏହାକୁ ପିନ୍ଧି ବଡ଼ ଭାଇ ବଳଦେବଜୀଉଙ୍କ ଶୋଭା ବର୍ଦ୍ଧନ ହେବ।"
ଇଟିଭି ଭାରତ,କେନ୍ଦ୍ରାପଡ଼ା