ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆଗାମୀ 10ବର୍ଷ ମଧ୍ୟରେ ଭାରତୀୟ ମହାକାଶ ଅନୁସନ୍ଧାନକୁ ଆଗକୁ ନେବା ଲାଗି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ବଡ଼ ମିଶନଗୁଡ଼ିକ ମଧ୍ୟରେ ଏକ ନୂଆ ପ୍ରପଲସନ ସିଷ୍ଟମ (ଏକ ମେସିନ ଯାହା ଥ୍ରଷ୍ଟ ବା ପ୍ରବଳ ବଳ ସହିତ ଏକ ବସ୍ତୁକୁ ଆଗକୁ ଠେଲିବା), 200 ଟନ୍ ଥ୍ରଷ୍ଟ ଇଞ୍ଜିନ, ଶୁକ୍ର ମିଶନ, ମଙ୍ଗଳ ମିଶନ, ଚନ୍ଦ୍ରଯାନ-4 ଓ ଚନ୍ଦ୍ରଯାନ-5 ଅନ୍ତର୍ଭୁକ୍ତ । କିନ୍ତୁ ଇସ୍ରୋର ଗୁରୁତ୍ବପୂର୍ଣ୍ଣ ମିଶନ ମଧ୍ୟରେ ଏବେ ପ୍ରାଥମିକତା ଭାରତର ପ୍ରଥମ ମାନବ ମିଶନ 'ଗଗନ ଯାନ' ବୋଲି ଇଟିଭି ଭାରତର ଅନୁଭା ଜୈନଙ୍କୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଇସ୍ରୋ ମୁଖ୍ୟ ଭି ନାରାୟଣନ ।
ଇଟିଭି ଭାରତ ସହିତ ନାରାୟଣନ ମାନବ ମିଶନ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି । ଏହି ମିଶନର କଣ ଚ୍ୟାଲେଞ୍ଜ ରହିଛି, ଏହାର ପ୍ରସ୍ତୁତି ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଛନ୍ତି । ଏଇଠି ମନେ ପକାଇ ଦେବାକୁ ଚାହୁଁଛୁ ଯେ, ଗତ କିଛି ଦିନ ପୂର୍ବରୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ଚଳିତ ମାସ ଆରମ୍ଭରୁ ଗଗନ ଯାନକୁ 2026ରେ ଲଞ୍ଚ କରିବାକୁ ଯୋଜନା କରାଯାଉଥିବା କହିଥିଲେ । ଏହି ମିଶନ ଭାରତର ପ୍ରଥମ ମାନବ ମିଶନ ହୋଇଥିବାରୁ ଇସ୍ରୋ ଲାଗି ବେଶ ଗୁରୁତ୍ବପୂର୍ଣ୍ଣ । ଇସ୍ରୋ ଗଗନ ଯାନ ପ୍ରକଳ୍ପ ଅଧୀନରେ ମାନବ ବିହୀନ ମିଶନ (Uncrewed Mission)କୁ ଚଳିତ ବର୍ଷ ଲଞ୍ଚ କରିବ । ଏଥିରେ 'ଭୌମିତ୍ର' ନାମକ ଏକ ରୋବଟ୍କୁ ମହାକାଶକୁ ପଠାଯିବ । ଏହାପରେ 2026ରେ 4ଜଣ ମହାକାଶଚାରୀଙ୍କ ସହ ଗଗନ ଯାନକୁ ଲଞ୍ଚ କରାଯିବ ।
ମାନବ ମିଶନ ପୂର୍ବରୁ ମହାକାଶ ଯିବ 3 ଅନ-କ୍ରୁ଼ଡ୍ ଯାନ
ଇସ୍ରୋ ମୁଖ୍ୟ ଭି ନାରାୟଣନ ଇଟିଭି ଭାରତକୁ କହିଛନ୍ତି ଯେ ଭାରତୀୟ ସ୍ପେଶ ଏଜେନ୍ସି କ୍ରୁଡ୍ ମିଶନ ବା ଗଗନ ଯାନରେ ମହାକାଶଚାରୀଙ୍କୁ ପଠାଇବା ପୂର୍ବରୁ 3ଟି ଅନକ୍ରୁଡ୍ ବା ମାନବ ବିହୀନ ମିଶନକୁ ଲଞ୍ଚ କରିବ । ତିନୋଟି ମଧ୍ୟରୁ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟାରୁ ପ୍ରଥମ ଯାନକୁ ଲଞ୍ଚ କରାଯିବ । ଏଥିରେ ଏକ ରୋବଟ୍କୁ ମହାକାଶକୁ ପଠାଯିବ । ଏହି ଅନକ୍ରୁଡ୍ ମିଶନ ସଫଳ ହେବା ପରେ କ୍ରୁଡ୍ ମିଶନକୁ ଲଞ୍ଚ କରାଯିବ । ମିଶନ ପାଇଁ ମନୋନୀତ ହୋଇଥିବା ମହାକାଶଚାରୀମାନେ ମିଶନ ପ୍ରସ୍ତୁତିକୁ ନିଶ୍ଚିତ କରିବା ପାଇଁ କଠୋର ଶାରୀରିକ ଓ ଅନ୍ୟାନ୍ୟ ତାଲିମ ନେଉଛନ୍ତି ।
ଭି ନାରାୟଣନ ଏ ନେଇ କହିଛନ୍ତି, "ତିନି ଜଣ ମହାକାଶଚାରୀଙ୍କୁ 400 କିଲୋମିଟର ନିମ୍ନ ପୃଥିବୀ କକ୍ଷପଥ (LEO)କୁ ପଠାଇବାକୁ ଲକ୍ଷ୍ୟ ରଖିଥିବା ଗଗନ ଯାନ ମିଶନ ମାନବକୁ ନେଇ ଯାଇପାରୁଥିବା ଯୋଗ୍ୟ LVM 3 ଯାନ (HLVM 3) ବ୍ୟବହାର କରିବ । ଏହି ଯାନର ବିଶ୍ବସନୀୟତାକୁ ଉନ୍ନତ କରିବା ପାଇଁ ଏଥିରେ ଆଡଭାନ୍ସ ଷ୍ଟ୍ରକ୍ଚରାଲ୍ ଓ ଥର୍ମାଲ ମାର୍ଜିନ ସହିତ ସଜ୍ଜିତ କରାଯିବ ।"
କହି ରଖୁଛୁ, ଆଡଭାନ୍ସ ଷ୍ଟ୍ରକ୍ଚରାଲ୍ ଓ ଥର୍ମାଲ ମାର୍ଜିନର ଅର୍ଥ ହେଉଛି ଏହା ଯାନକୁ ଜଟିଳ ପରିସ୍ଥିତି ଏବଂ ଅତ୍ୟଧିକ ଉତ୍ତାପର ସାମ୍ନା କରିବାକୁ ସକ୍ଷମ କରିବ, ଯାହାଦ୍ବାରା ମହାକାଶଚାରୀଙ୍କ ସୁରକ୍ଷା ସୁନିଶ୍ଚିତ ହେବ । ଏହାବ୍ୟତୀତ ବର୍ଦ୍ଧିତ ରିଡଡେନ୍ସିର ଅର୍ଥ ହେଉଛି ଯଦି କୌଣସି ସିଷ୍ଟମ କାମ କରୁନାହିଁ ତେବେ ଏଥିଲାଗି ଅନ୍ୟ କୌଣସି ବିକଳ୍ପ ସିଷ୍ଟମ ପ୍ରସ୍ତୁତ ରହିଥାଏ ।
କେତେ କିମି ଦୂରକୁ ଯିବ ଗଗନ ଯାନ ?
ଇସ୍ରୋ ଚେୟାରମ୍ୟାନ୍ କହିଛନ୍ତି ଯେ ଏହି ଯାନ ମହାକାଶଚାରୀମାନଙ୍କୁ ପ୍ରଥମେ 170 କିଲୋମିଟର ଓ ପରେ 400 କିଲୋମିଟର ପର୍ଯ୍ୟନ୍ତ ନେଇ ଯିବ । ଏହାସହ ମହାକାଶଚାରୀମାନଙ୍କୁ ପୃଥିବୀକୁ ଫେରାଇ ଆଣିବା ପର୍ଯ୍ୟନ୍ତ ସୁରକ୍ଷିତ କକ୍ଷପଥ ବଜାୟ ରଖିବ । ପୃଥିବୀକୁ ଫେରିବା ସମୟରେ ମହାକାଶଚାରୀମାନେ ପାରାସୁଟ୍ ସାହାଯ୍ୟରେ ଅବତରଣ କରିବେ । ତେବେ ଏହି ପାରାସୁଟ୍କୁ DRDO ସାହାଯ୍ୟରେ ଆଗ୍ରାରେ ତିଆରି କରାଯାଉଛି ।
ମହାକାଶଚାରୀଙ୍କ ସୁରକ୍ଷା ଲାଗି କଣ କରୁଛି ଇସ୍ରୋ ?
ଗଗନ ଯାନ ମିଶନ ଅନ୍ତର୍ଗତ ମାନବ ସ୍ପେସ୍ ଫ୍ଲାଇଟ୍ର ସଫଳତା ଏବଂ ନିରାପତ୍ତା ନିଶ୍ଚିତ କରିବାକୁ ଇସ୍ରୋ କଣ ପଦକ୍ଷେପ ନେଉଛି ପ୍ରଶ୍ନରେ ଇସ୍ରୋ ଚେୟାରମ୍ୟାନ ନିଶ୍ଚିତ କରିଛନ୍ତି ଯେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ମୁଖ୍ୟ ଦିଗଗୁଡ଼ିକ ହେଉଛି ଏକ ରିଅଲ ଟାଇମ ଯାନ ସ୍ବାସ୍ଥ୍ୟ ମନିଟରିଂ ସିଷ୍ଟମ୍, କ୍ରୁ ସୁରକ୍ଷା ପାଇଁ ଏକ କକ୍ଷପଥ ମଡ୍ୟୁଲ୍ ସିଷ୍ଟମ୍, ଏକ ଉନ୍ନତ ପରିବେଶ ନିୟନ୍ତ୍ରଣ ସୁରକ୍ଷା ବ୍ୟବସ୍ଥା ରହିଛି ।
ସେ କହିଛନ୍ତି, "ଯେତେବେଳେ ଉଚ୍ଚ ବେଗ ବିଶିଷ୍ଟ ଏକ ବସ୍ତୁ ପୃଥିବୀର ବାୟୁମଣ୍ଡଳକୁ ପୁନର୍ବାର ପ୍ରବେଶ କରେ ଏହା ଭୀଷଣ ଉତ୍ତାପ ସୃଷ୍ଟି କରେ । ଇସ୍ରୋ ମହାକାଶଚାରୀଙ୍କ ନିରାପଦ ପୁନଃ-ପ୍ରବେଶକୁ ସୁନିଶ୍ଚିତ କରିବା ପାଇଁ ଉନ୍ନତ ତାପଜ ସୁରକ୍ଷା ପ୍ରଣାଳୀ ବିକାଶ କରୁଛି । ପୃଥିବୀକୁ ପ୍ରବେଶ କରିବାର ଅନ୍ତିମ ପର୍ଯ୍ୟାୟରେ ମହାକାଶଯାନ ପାରାସୁଟ୍ ବ୍ୟବହାର କରି ଏକ ସଠିକ୍, ନିୟନ୍ତ୍ରିତ ବେଗରେ ମନ୍ଥର ହୋଇ ଏକ ନିରାପଦ ଏବଂ ସଠିକ ଅବତରଣ ନିଶ୍ଚିତ କରିବ ।"
ଏହା ବି ପଢନ୍ତୁ |
ରିପୋର୍ଟ- ଅନୁଭା ଜୈନ, ଇଟିଭି ଭାରତ