ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ରଥଯାତ୍ରା ପାଇଁ କଲେ ସମୀକ୍ଷା - Minister Krushna Chandra Mahapatra

By ETV Bharat Odisha Team

Published : Jun 30, 2024, 7:57 PM IST

thumbnail
Preparations for Ratha Yatra (ETV Bharat Odisha)

Preparations for Ratha Yatra: ରାଇରଙ୍ଗପୁର: ବାରିପଦା ରଥଯାତ୍ରା ନେଇ ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଚଳଚଞ୍ଚଳ ହୋଇ ଉଠିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର । ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ପ୍ରସ୍ତୁତି ଜୋରଦାର ଜାରି ରହିଛି । ରଥ ନିର୍ମାଣ ସହିତ ମନ୍ଦିର ରଙ୍ଗ ଆଦି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏସବୁ ଭିତରେ କାର୍ଯ୍ୟ କିପରି ହେଉଛି, ସେନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ତଦାରଖ କରିଛନ୍ତି। ବାରିପଦା ଗସ୍ତ ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମନ୍ଦିର ପରିସର ଅନୁଧ୍ୟାନ କରି ସମୀକ୍ଷା କରିଛନ୍ତି । ରଥଯାତ୍ରା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ବ୍ୟବସ୍ଥା ବାବଦରେ ଜିଲ୍ଲାପାଳ, ସେବାୟତ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ମନ୍ତ୍ରୀ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ସହିତ ମନ୍ଦିର ପରିସରରେ ପହଞ୍ଚି ଥିଲେ । ପରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଜନୀକାନ୍ତ ସ୍ୱାଇଁ, ଉପ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ବାରିପଦା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ ସମେତ ଦେବତ୍ୱର ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ସବିଶେଷ ଆଲୋଚନା କରିଥିଲେ । ମନ୍ଦିରର ସେବାୟତ ଓ ମନ୍ଦିର କର୍ମକର୍ତ୍ତା ମନ୍ଦିର ପରିଚାଳନା ନେଇ ଥିବା ବିଭିନ୍ନ ସମସ୍ୟା ଉପରେ ମନ୍ତ୍ରୀ ଆଲୋଚନା କରି ଅବ୍ୟବସ୍ଥାର ସୁଧାର କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ମନ୍ଦିର ପରିସର ବୁଲି ପରିମଳ ବ୍ୟବସ୍ଥା ଓ ପାନୀୟ ଜଳର ବ୍ୟବସ୍ଥା ବାବଦରେ ତଦାରଖ କରିଥିଲେ।  

ଏହା ମଧ୍ୟ ପଢ଼ନ୍ତୁ.. ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିଲେ ମହାପ୍ରଭୁ, ପାତାଳୀ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଜୋରଦାର - RATH YATRA 2024

ବର୍ଷା ଋତୁ ଥିବା ବେଳେ ବର୍ଷାପାଣି ଜମୁଥିବା ସ୍ଥାନର ମରାମତି କାର୍ଯ୍ୟ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ । ରଥଯାତ୍ରାରେ ବାରିପଦାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଥିବା ବେଳେ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇ ପଡିଥାଏ । ତେଣୁ କରି ସହରର ଟ୍ରାଫିକ ବ୍ୟବସ୍ଥା, ବଡ଼ଦାଣ୍ଡ ଓ ମନ୍ଦିର ପରିସର ପରିମଳ ବ୍ୟବସ୍ଥା ସମେତ ସୁରକ୍ଷା ବ୍ୟବସ୍ଥା ସଠିକ ଭାବେ ହେବ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ରଥଯାତ୍ରା ସମୟର ଭକ୍ତ ମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଏବଂ ଶାନ୍ତି ଶୃଙ୍ଖଳା ମଧ୍ୟରେ ରଥ ଟାଣି ପାରିବେ ତା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ଲାଗି ଜିଲ୍ଲା ପ୍ରଶାସନ ଓ ପୋଲିସଙ୍କୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.