thumbnail

By ETV Bharat Odisha Team

Published : Apr 14, 2024, 10:36 PM IST

ETV Bharat / Videos

ପାରମ୍ପାରିକ ରୀତିନୀତିରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ଶେଷହେଲା ମେରୁଯାତ୍ରା - Meru Yatra in Ganjam

Meru Yatra in Ganjam: ବ୍ରହ୍ମପୁର: ପବିତ୍ର ପଣା ସଂକ୍ରାନ୍ତି ଅବସରରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରମ୍ପାରିକ ରୀତିନୀତିରେ ଆୟୋଜିତ ହୋଇଛି ମେରୁଯାତ୍ରା । ଗତ ୨୧ ଦିନ ଧରି ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହୋଇଆସୁଥିବା ଦଣ୍ଡନୃତ୍ୟ ମେରୁଯାତ୍ରାରେ ଉଦଯାପିତ ହୋଇଥାଏ । ମାନସିକଧାରୀ ଦଣ୍ଡୁଆମାନେ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ କ୍ରମାଗତ ଭାବରେ ଦୈନିକ ଧୂଳିଦଣ୍ଡ , ପାଣିଦଣ୍ଡ , ଅଗ୍ନିଦଣ୍ଡ ଭଳି ୧୬ ପ୍ରକାର ବିଭିନ୍ନ ଦଣ୍ଡ ଭୋଗ କରି ଆସୁଥିବାବେଳେ ମେରୁ ଯାତ୍ରାରେ ଉକ୍ତ ମାନସିକଧାରୀ ଦଣ୍ଡୁଆଙ୍କ ବ୍ରତ ସମାପନ ହୋଇଥାଏ ।

ଚୈତ୍ର ମାସରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ ମାନସିକଧାରୀ ଦଣ୍ଡଆଙ୍କ ନୃତ୍ୟରେ ଉତ୍ସବ ମୁଖର ହୋଇପଡିଥାଏ । ଏହି ଦଣ୍ଡନୃତ୍ୟ ମେରୁଯାତ୍ରାରେ ଉଦଯାପିତ ହୋଇଥାଏ । କାହିଁ କେଉଁ କାଳରୁ ଆୟୋଜିତ ହୋଇ ଆସୁଥିବା ଗଞ୍ଜାମର ଏହି ଦଣ୍ଡନୃତ୍ୟ ଶେଷ ଦିନରେ ମେରୁ ସଂକ୍ରାନ୍ତି ଅବସରରେ ସମସ୍ତ ମାନସିକଧାରୀମାନେ ସଂପୂର୍ଣ୍ଣ ଉପବାସ ରହିଥାନ୍ତି । ଦଣ୍ଡନୃତ୍ୟ ଆରମ୍ଭରୁ ମା' କାଳୀଙ୍କ ମନ୍ଦିର ପରିସରରେ ସମ୍ପୂର୍ଣ୍ଣ ଉପବାସ ରହି ବ୍ରତ ପାଳନ କରୁଥିବା ଗୁହାରିଆଙ୍କୁ ଏହି ମେରୁ ପର୍ବରେ ଓଲଟାଇ ବନ୍ଧାଯିବା ସହ ତିନି ଥର ଝୁଲାଇବା ପରେ ଉଦଯାପିତ ହୋଇଥାଏ ଏହି ଦଣ୍ଡନୃତ୍ୟ । ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ମେରୁଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାଳୀ ମନ୍ଦିରରେ ଆରମ୍ଭ ହୋଇଥିବା ଏହି ଦଣ୍ଡନୃତ୍ୟ ଶେଷରେ ଆଜି ଉଦଯାପିତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧରେ ଶେଷ ହେଲା ମେରୁ ଯାତ୍ରା - JHAMU JATRA IN boudh

ଏହି ଅବସରରେ ସମସ୍ତ ମାନସିକଧାରୀ ସେମାନଙ୍କ ପରିବାର ଓ ଭକ୍ତମାନେ ମା' କାଳୀ ଓ ଭଗବାନ ଶିବଙ୍କୁ ସ୍ମରଣ କରିବା ସହିତ ନିଜ ନିଜର ମନସ୍କାମନା ପାଇଁ ପ୍ରାର୍ଥନା କରିଥାଆନ୍ତି । ସେପଟେ ଏହି ମେରୁ ପର୍ବ ଦେଖିବାକୁ ବିଭିନ୍ନ ଅଞ୍ଚଳରେ ହଜାର ହଜାର ଦଣ୍ଡ ଉପାସକ ଓ ଭକ୍ତଙ୍କ ସମାଗମ ହୋଇଥିଲା । ମା'ଙ୍କର ଜୟଗାନ ସହ ହୁଳହୁଳିରେ ସାରା ଜିଲ୍ଲାର ବିଭିନ୍ନ ସ୍ଥାନ ପ୍ରକମ୍ପିତ ହୋଇ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବିଭିନ୍ନ ସ୍ଥାନରେ ମନ୍ଦିର କମିଟି ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.