‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ' ଆୟୋଜିତ - KADAMBINI LITERARY FESTIVAL 2025

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 6, 2025, 8:51 PM IST

ଭୁବନେଶ୍ବର: ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ମରାଠୀ ସାହିତ୍ୟିକ ଡ. ଜ୍ଞାନେଶ୍ୱର ମୁଳେଙ୍କୁ ଚଳିତବର୍ଷର ସମ୍ମାନଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ କରାଯାଇଥିଲା । ପୁରସ୍କାର ସ୍ୱରୂପ ତାଙ୍କୁ ୧୦ଲକ୍ଷ ଟଙ୍କାର ଅର୍ଥରାଶି, ରୌପ୍ୟ ଫଳକ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । 

ସମ୍ମାନ ଗ୍ରହଣ କରି ଜ୍ଞାନେଶ୍ୱର ମୁଳେ କହିଥିଲେ ଯେ, ସାହିତ୍ୟର ମୂଲ୍ୟ ହେଉଛି ସ୍ୱତନ୍ତ୍ରତା, ସମତା ଓ ନ୍ୟାୟ । ଗୋଟିଏ ଭାଷା ସହ ଅନ୍ୟ ଭାଷାକୁ ଯୋଡ଼ିବା, ଗୋଟିଏ ସଂସ୍କୃତିକୁ ଅନ୍ୟ ସଂସ୍କୃତି ସହ ଯୋଡ଼ିବା, ଗୋଟିଏ ଅଞ୍ଚଳ ସହ ଅନ୍ୟ ଏକ ଅଞ୍ଚଳକୁ ଯୋଡ଼ିବା ଏବଂ ମୋଟାମୋଟି ଉପରେ ମାନବକୁ ପରସ୍ପର ସହ ଯୋଡ଼ିବା ହେଉଛି ସାହିତ୍ୟ । କାଦମ୍ବିନୀ ଦୀର୍ଘ ୨୫ବର୍ଷ ଧରି ଏହି କାର୍ଯ୍ୟ କରିଆସୁଥିବାରୁ ଡ. ମୁଳେ କାଦମ୍ବିନୀକୁ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ରହିଆସିଥିବା ସେ ମତ ରଖିଥିଲେ । କାଦମ୍ବିନୀ ପୁରସ୍କାର ରାଶିକୁ ନେଇ ସେ ଅନୁଦାନ ହିସାବରେ ଜମା କରି ଏହାକୁ ସମାଜସେବା କରୁଥିବା ବ୍ୟକ୍ତି, ଉତ୍କୃଷ୍ଟ ସାହିତ୍ୟ ସୃଷ୍ଟି କରୁଥିବା ବ୍ୟକ୍ତି, ପ୍ରଶାସନ କ୍ଷେତ୍ରରେ ଭଲ କାମ କରୁଥିବା ବ୍ୟକ୍ତି ଓ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ନାରୀଙ୍କୁ ପ୍ରତିବର୍ଷ ୨୫ ହଜାର ଲେଖାଏଁ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।


ମୁଖ୍ୟ ଅତିଥି ଭାବେ ଇନ୍ଦିରା ଗାନ୍ଧୀ ଜାତୀୟ କଳାକେନ୍ଦ୍ରର ସଦସ୍ୟ ସଚିବ ଡ. ସଚ୍ଚିଦାନନ୍ଦ ଯୋଶୀ ‘କିଟ୍‍ ଓ କିସ୍‍ ପରିଦର୍ଶନ କରି ଏହାର ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଦେଶର ଅନ୍ୟ ଭାଷାର ପତ୍ରପତ୍ରିକା ଏବଂ ଓଡ଼ିଆ ଭାଷାଠାରୁ ଅଧିକ ପ୍ରଚଳିତ ଭାଷାର ପତ୍ରପତ୍ରିକାଗୁଡ଼ିକର ପ୍ରକାଶନ ବନ୍ଦ ହୋଇଯାଉଥିବା ବେଳେ କାଦମ୍ବିନୀ ପ୍ରୟାସରେ ୫ଶହରୁ ଊର୍ଦ୍ଧ୍ୱ ପତ୍ରିକା ପ୍ରଦର୍ଶନୀ କରି ଏଠାରେ ଏକ ନୂଆ ଇତିହାସ ରଚନା କରିଛି । ଏହା ଆମକୁ ପତ୍ରିକା ପ୍ରକାଶନ ପାଇଁ ପ୍ରେରଣା ଯୋଗାଇଛି । ଭାରତରେ ଏତେ ସାହିତ୍ୟ ସର୍ଜନା ରହିଛି ଯେ, ବିଶ୍ୱରେ କୌଣସି ସ୍ଥାନରେ ଏତେ ସଂଖ୍ୟକ ସର୍ଜନା ଦେଖିବାକୁ ମିଳି ନଥାଏ । ବର୍ତ୍ତମାନ ସମୟରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱ ବଢ଼ିଛି । ‘ଏଆଇ’ ବ୍ୟବହାର ଦ୍ୱାରା ସର୍ଜନା ଧୀରେଧୀରେ କମିଯିବାର ସମ୍ଭାବନା ରହିଛି । ୫୦ବର୍ଷ ପରେ ମୌଳିକ ସାହିତ୍ୟ ଦେଖିବାକୁ ମିଳିବ ନାହିଁ କିମ୍ବା ସାହିତ୍ୟିକ, କବି ସୃଷ୍ଟି ହୋଇପାରିବେ ନାହିଁ । ଏଥିପ୍ରତି ଏବେ ଠାରୁ ଆମକୁ ସଜାଗ ହେବାକୁ ପଡ଼ିବ ବୋଲି କହିଥିଲେ ସଚ୍ଚିଦାନନ୍ଦ ଯୋଶୀ।

ଏହା ମଧ୍ୟ ପଢନ୍ତୁ-ଆତ୍ମନିର୍ଭର ହେବେ ନାରୀ, 3ଜଣ ବିଶିଷ୍ଠ ନାରୀ ପ୍ରତିଭାଙ୍କୁ ସମ୍ମାନୀତ କଲା ୟୁସିସିଆଇ ଲେଡିଜ ଫୋରମ - ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ

ଏହି ଅବସରରେ କାଦମ୍ବିନୀ ଓ କୁନିକଥାର ଜାନୁଆରୀ ସଂଖ୍ୟା ଉନ୍ମୋଚନ ହୋଇଥିଲା । ଚଳିତବର୍ଷ ‘ପରାଗ’ର ସମ୍ପାଦକ ବନମାଳୀ ସେନାପତି ଏବଂ ‘କାବ୍ୟଲୋକ’ର ସମ୍ପାଦକ ଭିକାରୀ ଧଳଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୨୫’ ଓ ବରିଷ୍ଠ ସାହିତ୍ୟିକ ରମେଶ ପ୍ରସାଦ ପାଣିଗ୍ରାହୀ, ଜୟକୃଷ୍ଣ ସାମଲ, ଶୈଳଜା କୁମାରୀ ଅପରାଜିତା ମହାନ୍ତି ଓ ପ୍ରଭାକର ଶତପଥୀଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୫’ରେ ସମ୍ବର୍ଦ୍ଧିତ ପ୍ରଦାନ କରାଯାଇଥିଲା । କିଟ୍‍, କିସ୍‍ ଓ କାଦମ୍ବିନୀ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କାଦମ୍ବିନୀ ସମ୍ପାଦିକା ଡ. ଇତିରାଣୀ ସାମନ୍ତ ଉଭୟ କବିତା ମହୋତ୍ସବରେ ଯୋଗ ଦେଇଥିବ ସାହିତ୍ୟ ଶ୍ରଷ୍ଠା ମାନଙ୍କ କୃତଜ୍ଞତା ଜାଣିଥିବା ବେଳେ ସେମାନଙ୍କ ପ୍ରେରଣାକୁ ନେଇ ଏହି ମହୋତ୍ସବକୁ ଆହୁରି ଆଗକୁ ବଢିବା ବୋଲି କହିଛନ୍ତି । 
 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.