ମାଡ଼ି ବସିଲା ଟ୍ରାପ୍ କ୍ୟାମେରା; ଶିମିଳିପାଳରେ ପୁଣି ଧରାପଡିଲେ ୩ ଶିକାରୀ - Poachers Arrested from Similipal

By ETV Bharat Odisha Team

Published : Aug 13, 2024, 7:40 PM IST

thumbnail
ମାଡ଼ି ବସିଲା ଟ୍ରାପ୍ କ୍ୟାମେରା; ଶିମିଳିପାଳରେ ପୁଣି ଧରାପଡିଲେ ୩ ଶିକାରୀ (ETV Bharat Odisha)

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟର ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଲଗାଯାଇଛି ଟ୍ରାପ କ୍ୟାମେରା । ଶିକାରୀ ଦାଉରୁ ସୁରକ୍ଷା ଲାଗି ଖଞ୍ଜାଯାଇଥିବା ଟ୍ରାପ କ୍ୟାମେରା ସହାୟତାରେ ଶିମିଳିପାଳରେ ପୁଣି ଶିକାରୀ ଧରା ପଡିଛନ୍ତି । ବନବିଭାଗ ପକ୍ଷରୁ ସଶସ୍ତ୍ର ଫୋର୍ସ ସହିତ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଶିକାରୀ ନିୟନ୍ତ୍ରଣ କରିବା ପ୍ରୟାସ ସଫଳ ହୋଇଛି । ଅଭୟାରଣ୍ୟର ଆଭ୍ୟନ୍ତରଣ ଅଞ୍ଚଳରେ ବନ ବିଭାଗ ଖଞ୍ଜିଥିବା ଅତ୍ୟାଧୁନିକ ଟ୍ରାପ କ୍ୟାମେରାରେ ଧରାପଡ଼ିଛନ୍ତି ୩ଜଣ ଶିକାରୀ । ସେମାନଙ୍କଠୁ ୩ଟି ବନ୍ଧୁକ, ୨ଟି ଅଧା ଗଢ଼ା ବନ୍ଧୁକ, ଶିଙ୍ଗ, ୮ଗୋଟି ତୀର, ୨ଟି ଧନୁ, ବାରୁଦ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।  

ଏହା ବି ପଢନ୍ତୁ-  ମାତିଛନ୍ତି ଲୁଟେରା, ଜଙ୍ଗଲରୁ ନେଇଗଲେ ଟ୍ରାପ କ୍ୟାମେରା

ଶିମିଳିପାଳ ଅଭୟାରଣ୍ୟର ଏସସିଏଫଙ୍କ ନେତୃତ୍ବରେ ପିଠାବଟା ଦକ୍ଷିଣ ବନଖଣ୍ଡ ରେଞ୍ଜ କର୍ମଚାରୀମାନଙ୍କ ଦ୍ଵାରା ଯାଞ୍ଚ ହୋଇଥିଲା । ଶିକାରୀମାନେ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ମଠବେଡା ଗ୍ରାମର ଶ୍ରୀମାତ ମାଝୀ, ବଡ଼ସାହି ଥାନା ଅନ୍ତର୍ଗତ ବେଳପାହାଡ଼ି ଗ୍ରାମ କାରୁ ହାଁସଦା ଓ ବୁଢ଼ାନ ମାଝୀ । ଶିକାର ଉଦ୍ଦେଶ୍ୟରେ 3ଜଣ ଶିକାରୀ ପ୍ରବେଶ କରିଥିବା ବେଳେ ଟ୍ରାପ କ୍ୟାମେରାରେ ବନ୍ୟଜନ୍ତୁ ଗତିବିଧି ଅନୁଧ୍ୟାନ ସହିତ ଶିକାରୀଙ୍କୁ ଠାବ କରାଯାଇଛି । ସେମାନଙ୍କ ଦୃଶ୍ୟ ତଥା ଫଟୋ ଟ୍ରାପ୍ କ୍ୟାମେରାରେ ରେକର୍ଡ ରହିଥିଲା । ଯାହାକୁ ଆଧାର କରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପନିର୍ଦ୍ଦେଶକ (ଦକ୍ଷିଣ) ସମ୍ରାଟ ଗୌଡାଙ୍କ ତତ୍ତ୍ଵାବଧାନରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପରୋକ୍ତ ଶିକାରୀଙ୍କୁ ଚିହ୍ନଟ ପୂର୍ବକ ସେମାନଙ୍କ ଘରୁ ଗିରଫ କରିବାରେ ସଫଳ ହୋଇଛନ୍ତି। ତାଙ୍କ ନିକଟରୁ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବା ସମେତ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.