thumbnail

ଚିନ୍ତା ବଢାଉଛି ନିଅଣ୍ଟିଆ ବର୍ଷା, ଧାନ ବିହନର ମାନକୁ ନେଇ ଚାଷୀଙ୍କ ଅସନ୍ତୋଷ - FARMERS PROBLEM

By ETV Bharat Odisha Team

Published : Jul 10, 2024, 10:41 PM IST

Farmers Problem In Boudh: ବୌଦ୍ଧ: ଚାଷ କାର୍ଯ୍ୟ ଜୋରସୋରରେ ଚାଲିବା ସମୟରେ ଆକାଶରୁ ବର୍ଷା ସତେ ଯେପରି ଗାୟବ ହୋଇଯାଇଛି । ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ସେପଟେ ଏଭଳି ସମୟରେ ଜିଲ୍ଲାର ଅନେକ ଚାଷୀ କ୍ରୟ କରିଥିବା ସରକାରୀ ଧାନ ବିହନ ଗଜା ହେଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । 

ଆକାଶରୁ ବର୍ଷା ଗାୟବ ହୋଇ ଯାଇଥିବା ବେଳେ ଚାଷୀ ବିଲ ମୁଣ୍ଡରେ କେବଳ ଜଗିବା ସାର ହୋଇଛି । ତେବେ ଏଭଳି ସମୟରେ ଚାଷୀ କ୍ରୟ କରିଥିବା ଧାନ ବିହନ ଗଜା ହେଉନଥିବାରୁ ତାହା ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । କୃଷି ଭିତ୍ତିକ ବୌଦ୍ଧ ଜିଲ୍ଲା ଦେଇ ମହାନଦୀ ସମେତ ତେଲନଦୀ, ବାଘନଦୀ, ସାଲୁଙ୍କୀ ଭଳି ଅନେକ ନଦୀନାଳ ପ୍ରବାହିତ ହେଉଥିବା ବେଳେ ସାଲୁଙ୍କୀ ଓ ବାଘନଦୀ ଉପରେ ସେଚ ପ୍ରକଳ୍ପ ନିର୍ମାଣ ହୋଇଛି । ତେବେ ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ବିଭିନ୍ନ ଜଳ ଉତ୍ସ ତଥା କେନାଲ ଗୁଡିକ ବର୍ତ୍ତମାନ ସମ୍ପୂର୍ଣ୍ଣ ଖାଲି ପଡିଛି ।  

ଏହା ମଧ୍ୟ ପଢନ୍ତୁ... ଜଗତସିଂହପୁରରେ ହନ୍ତସନ୍ତ ଚାଷୀ, ଖରିଫ ଚାଷ ପାଇଁ ବିହନ ଅଭାବ - Shortage of Seed

ବିଗତ କିଛି ଦିନ ମଧ୍ୟରେ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଥିଲେ ମଧ୍ୟ ତାହା ଚାଷ ଉପଯୋଗୀ ହୋଇ ପାରୁନାହିଁ । ଚାଷୀ ବିଲରେ ହଳ କରି ଧାନ ବିହନ କ୍ରୟ କରି ତଳି ପକାଇଛି । ବୌଦ୍ଧ ଜିଲ୍ଲାର ପାଲଝାର ନିକଟରେ ରହିଛି ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର  । ଏହି କେନ୍ଦ୍ରରୁ ବୌଦ୍ଧ ଜିଲ୍ଲା ସମେତ ସୋନପୁର ଜିଲ୍ଲା ଓ ବରଗଡ଼ ଜିଲ୍ଲାର ବିଭିନ୍ନ ଡିଲରଙ୍କ ନିକଟକୁ ଧାନ ବିହନ ଯୋଗାଣ କରାଯାଇଥାଏ  । କେବଳ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ୩୫ ଜଣ ଡିଲର ଓ ୩୬ ଗୋଟି ପ୍ୟାକ୍ସ ମାଧ୍ୟମରେ ଚାଷୀଙ୍କୁ ଧାନ ବିହନ ଯୋଗାଣ ବ୍ୟବସ୍ଥା କରାଯାଇଛି । ବୌଦ୍ଧ ଜିଲ୍ଲାର ପାଣିପାଗକୁ ଦୃଷ୍ଟିରେ ରଖି ଏଠାରେ ପୂଜା, କଳା ଚମ୍ପା, ସାରଳା ଭଳି ପ୍ରାୟ ବାରଟି ପ୍ରଜାତିର ଧାନ ବିହନ ଚାଷୀଙ୍କୁ ଯୋଗାଣ କରାଯାଏ ।

ଚଳିତ ବର୍ଷ ଏହି ଧାନ ବିହନର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚାଷୀ ନିଜେ ସାଇତି ରଖିଥିବା ଗତ ବର୍ଷର ଧାନ ବିହନରୁ ଭଲ ତଳି ପଡିଥିବା ବେଳେ ବିହନ ଡିଲର ଠାରୁ କ୍ରୟ କରିଥିବା ଧାନ ବିହନରେ ତଳି ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି  । ପରିସ୍ଥିତି ଏପରିକି ଖାସ ପାଲଝାର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏହି ସରକାରୀ ଧାନ ବିହନର ମାନକୁ ନେଇ ଚାଷୀ ପ୍ରଶ୍ନ ଉଠାଇଛନ୍ତି । ଚାଷୀ ଧାରକରଜ କରି ଧାନ ଚାଷ ପାଇଁ ଅଣ୍ଟା ଭିଡିଥିବା ବେଳେ ବର୍ତ୍ତମାନ ବର୍ଷାର ଅଭାବ ଓ ଧାନ ବିହନ ଗଜା ନ ଉଠିବାରୁ ଚିନ୍ତାରେ ପଡିଯାଇଛି  । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ, କୃଷି ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.