ଭୁବନେଶ୍ବର: ଫିଟୁଛି ଠକ ପାର୍ଟନର ଅନୀଲ ମହାନ୍ତି ଓ ହଂସିତାର ଗୁମର । ଜବତ ହେଲା ୩ଟି ଦାମୀ କାର । ପ୍ରଧାନମନ୍ତ୍ରୀ କର୍ଯ୍ୟାଳୟର ସଚିବଙ୍କ ସମ୍ପର୍କୀୟ କହି ଠକୁଥିବା ଏହି ପାର୍ଟନରଙ୍କ ସମ୍ପତ୍ତିର ତାଲିକା ଲାଗିଛି ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ ହାତରେ । ଠକ ଯୋଡି ଅନୀଲ ମହାନ୍ତି ଓ ହଂସିତାକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିଛି ପୋଲିସ । ଏମାନେ ମିଛ ପରିଚୟ ଦେଇ ବହୁ ବଡ଼ ବଡିଆଙ୍କୁ ମେଲ ଓ ମେସେଜ ପଠାଇ ଠକାମୀର ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା । କମିଶନରେଟ୍ ପୋଲିସର ମୁଖ୍ୟାଳୟରେ ଅନୀଲଙ୍କ ୩ ଟି ଦାମୀ କାରକୁ ଜବତ କରି ରଖାଯାଇଛି । ଏଥିରେ ଜାଗୁଆର ଏବଂ ମର୍ସଡ଼ିଜ ଭଳି ନାମି ଦାମୀ କାର୍ ରହିଛି ।
- ସ୍ପେଶାଲ କ୍ରାଇମ୍ ୟୁନିଟର ଖୋଳତାଡ଼:
ଗୋଟିଏପଟେ ଠକେଇ କାରବାର ନେଇ ସ୍ପେଶାଲ କ୍ରାଇମ୍ ୟୁନିଟ୍ ତଦନ୍ତ କରୁଥିବା ବେଳେ ଅନ୍ୟପଟେ ଇନକମ୍ ଟ୍ୟାକ୍ସ (ଆଇଟି) ମଧ୍ୟ ସେମାନଙ୍କର ଆର୍ଥିକ କାରବାରର ଟ୍ୟାକ୍ସ ନେଣ ଦେଣ ଓ ଇନକମ୍ ସୋର୍ସର ତଦନ୍ତ କରୁଛନ୍ତି । ଏନେଇ ପୂର୍ବରୁ ଦିନିକିଆ ରିମାଣ୍ଡରେ ଆଣି ତାଙ୍କ ଘର ରେଡ୍ କରି ଅନେକ ତଥ୍ୟ ହାସଲ ପାଇଥିଲା ପୋଲିସ । ସ୍ପେଶାଲ କ୍ରାଇମ୍ ୟୁନିଟ୍ ବିଶେଷ କରି ଏମାନେ ଆଉ କେଉଁ ବଡ ବଡ଼ିଆଙ୍କୁ ନିଜ ଫାସରେ ଫସାଇଥିଲେ, ସେନେଇ ତନାଘନା କରୁଛି । ୭ଟି କମ୍ପାନୀର ମାଲିକାନା ଦର୍ଶାଇଥିଲେ ଅନୀଲ । ସେଗୁଡିକର ମଧ୍ୟ ଯାଞ୍ଚ ଚାଲିଛି ।
- 'ରିମାଣ୍ଡ ସମୟରେ ଅନେକ ତଥ୍ୟ ପାଇଛୁ':
ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି," ଏହି ଠକେଇ ଅଭିଯୋଗର ପୋଲିସ୍ ଖୋଳତାଡ଼ ଜାରି ରଖିଛି । ସେମାନଙ୍କ ପାଖରୁ ତଥ୍ୟ ସଂଗ୍ରହ ପାଇଁ ଆମେ ରିମାଣ୍ଡରେ ଆଣିଥିଲୁ । ରିମାଣ୍ଡରେ ଯେତିକି ଦିନ ନେବା ପାଇଁ ଚାହୁଁଥିଲୁ ସେତିକ ଦିନ ମିଳିନାହିଁ । ଆମେ ରିମାଣ୍ଡ ବେଳେ ଅନେକ ତଥ୍ୟ ପାଇଛୁ । ଅନେକ ତଥ୍ୟ ମଧ୍ୟ ପାଇଛୁ ଯାହାକି ସାର୍ବଜନୀନ କରିବା ଉଚିତ୍ ହେବନି ।"
- ଇଡି ରଡାରରେ ଅନିଲ-ହଂସିତାର
ଇନକମ ଟ୍ୟାକ୍ସ ତଦନ୍ତ ବେଳେ ୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କାରବାର ନେଇ ତଥ୍ୟ ତଦନ୍ତକାରୀ ସଂସ୍ଥାର ହାତରେ ଲାଗିଥିବା ଚର୍ଚ୍ଚା ହେଉଛି । ତେବେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ମାମଲାର ତଦନ୍ତ କରିପାରେ ବୋଲି ଚର୍ଚ୍ଚା ହେଉଛି । ସେମାନଙ୍କର କ’ଣ କାରବାର ରହିଥିଲା ? କିଭଳି ଏତେ ଟଙ୍କାର କାରବାର କରୁଥିଲେ ? ଘର, ଗାଡି ଓ ବ୍ୟାଙ୍କ ବାଲାନ୍ସ ସହ ଏତେ ଟଙ୍କାର ସୋର୍ସ କଣ ? ସେନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରିପାରେ ।
ଇଟିଭି ଭାରତ, ଭୁବନେଶ୍ବର