ସମ୍ବଲପୁର: ସମ୍ବଲପୁର ଦେବ୍ରିଗଡ଼ ଅଭୟାରଣ୍ୟରୁ ରେଢ଼ାଖୋଲର ଭୀମମଣ୍ଡଳୀକୁ ଚାଲିଲା ସଫାରୀ l ଗତକାଲି(ମଙ୍ଗଳବାର)ଠୁ ଏହି ସଫାରୀ ସର୍କିଟ ସେବା ଆରମ୍ଭ ହୋଇଛି l ରେଢ଼ାଖୋଲର ଭୀମମଣ୍ଡଳୀକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସ୍ଥାନକୁ ପରିଦର୍ଶନ କରିଛନ୍ତି । ଏଥି ସହ ସଫାରୀ ସେବା ଆରମ୍ଭ ହୋଇଥିବା ହୀରାକୁଦ ବନ୍ୟପ୍ରାଣୀ ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ ଏହି ସୂଚନା ଦେଇଛନ୍ତି l କେମିତି ଯିବେ କଣ ଦେଖିବେ ଜାଣନ୍ତୁ ।
ଭୀମମଣ୍ଡଳୀ ସମ୍ପର୍କରେ...
ଏହି ସ୍ଥାନରେ ପ୍ରାୟ 600ଟି ପ୍ରାକୃତିକ ଗୁମ୍ଫା ଥିବା ବେଳେ ଏଠାରେ ଥିବା ଗୁମ୍ଫା ଗୁଡିକରେ ପ୍ରାୟ 30 ହଜାର ବର୍ଷ ପୁରୁଣା ମାନବ ସଭ୍ୟତାର ଶିଳାଲିପି ଓ ଶୈଳଚିତ୍ର ରହିଛି l ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ଏଗୁଡିକ ସବୁ ନଷ୍ଟ ହେବାରେ ଲାଗିଛି l ତେଣୁ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ସହ ଏହାର ରକ୍ଷଣା ବେକ୍ଷଣ ପାଇଁ ଦାବି ହୋଇ ଆସୁଥିଲା l ବର୍ତ୍ତମାନ ଏହି ସ୍ଥାନଟି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ଏହାର ପ୍ରଚାର ପ୍ରସାର ହେବା ସହ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ଏହି ସ୍ଥାନକୁ ଆସିବେ ବୋଲି ସ୍ଥାନୀୟ ଲୋକ ଆଶା ରଖିଛନ୍ତି l ଏହା ଦ୍ୱାରା ଏହି ସ୍ଥଳୀର ପ୍ରାଚୀନ ଶିଳାଲିପି ଓ ଶୈଳଚିତ୍ର ସଂରକ୍ଷଣ ମଧ୍ୟ ହୋଇପାରିବ । ଏହା ସହ ସ୍ଥାନୀୟ ଲୋକେ ପ୍ରତ୍ୟେକ୍ଷ ବା ପରୋକ୍ଷରେ ଲାଭବାନ ହୋଇ ପାରିବେ l

ଭୀମମଣ୍ଡଳୀକୁ କେମିତି ଯିବେ ?
- ସମ୍ବଲପୁରରୁ କଟକ 55 ନମ୍ବର ଜାତୀୟ ରାଜପଥରେ ଯିବା ବେଳେ ପ୍ରାୟ 1 ଘଣ୍ଟା 15ର ଯାତ୍ରା କଲା ପରେ 67 କିମି ଅତିକ୍ରମ କରି ଆସିଥାଏ ରେଢ଼ାଖୋଲ ସହର l
- ରେଢ଼ାଖୋଲ ସହର ଟିକିଏ ଆଗକୁ ବାମ ପଟ ରାସ୍ତା ଯାହା ନାକଟିଦେଉଳ ଆଡକୁ ଯାଇଥିବା ରାସ୍ତା ଯାହାକୁ ରାଞ୍ଚି ରୋଡ଼ ବୋଲି କୁହାଯାଏ
- ସେହି ରାସ୍ତାରେ 20 କିମି ଅତିକ୍ରମ କଲେ ଆସିଥାଏ ଶିମିଳିପାଳ ଗାଁ l
- ସେହି ଶିମିଳିପାଳ ଗାଁରୁ ଡାହାଣ ପଟକୁ ଯାଇଥିବା ଅଣ ଓସାରିଆ ରାସ୍ତାରେ ପ୍ରାୟ ସାଢେ 7 କିମି ଗଲା ପରେ ଆସିଥାଏ ଘୋଷରାମାଲ ଗାଁ l
- ଘୋଷରାମାଲ ଗ୍ରାମ ପଞ୍ଚାୟତ ଅଫିସରୁ ପ୍ରାୟ 5 କିମି ଅଣ ଓସାରିଆ ଜଙ୍ଗଲି ରାସ୍ତା ଅତିକ୍ରମ କଲା ପରେ ଲାଣ୍ଡିମାଲ ସଂରକ୍ଷିତ ଜଙ୍ଗଲ ଭିତରେ ରହିଛି ଭୀମମଣ୍ଡଳୀ l
- ଏହି ପାହାଡିଆ ଅଞ୍ଚଳକୁ ଚମ୍ପାଲି ନଦୀ ଘେରିକି ରହିଛି l

ସଫାରୀରେ କଣ ଦେଖିବେ ?
- ସମ୍ବଲପୁର ଚିଡିଆଖାନା
- ସମଲେଶ୍ବରୀ ମନ୍ଦିର
- ସମ୍ବଲପୁର ହ୍ୟାଣ୍ଡଲୁମ ମାର୍କେଟ

ସଫାରୀ ପାଇଁ କେତେ ଖର୍ଚ୍ଚ କରିବାକୁ ପଡିବ ?
- ଦେବ୍ରିଗଡ଼ ଅଭୟାରଣ୍ୟରୁ ଭୀମମଣ୍ଡଳୀକୁ ସଫାରୀରେ ଯିବାକୁ ଚାହୁଁଥିଲେ ଆପଣଙ୍କୁ 6000 ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
- 10 ସିଟର ସଫାରୀ ଗାଡି ବୁକ କରିବାକୁ କରିବ ।
- ଏଥିରେ ଆପଣଙ୍କୁ ଭୋଜନ, ସ୍ନାକ୍ସ ମଧ୍ୟ ମିଳିବ
- ଦେବ୍ରିଗଡରୁ ଭୀମମଣ୍ଡଳକୁ 2 ଘଣ୍ଟାର ରାସ୍ତା
- ପରେ 1 କିଲୋମିଟର ଚାଲିବାକୁ ପଡିବ
- ସଫାରୀରେ ଜଣେ ଯାଆନ୍ତୁ କି 10 ଜଣ ପୂରା ଟିକେଟ ରହିଛି 6000 ଟଙ୍କା
- ସମ୍ବଲପୁର ଚିଡିଆଖାନା, ସମ୍ବଲପୁର ମନ୍ଦିର, ସମ୍ବଲପୁରୀ ହ୍ୟାଣ୍ଡଲୁମ ମାର୍କେଟ ଏହି ସଫାରୀରେ ଆପଣ ଦେଖି ପାରିବେ

ଭୀମମଣ୍ଡଳୀ ବୁଲିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ:
ଗତକାଲି(ମଙ୍ଗଳବାର) କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଘୋଷରାମାଲ ପଞ୍ଚାୟତର ଐତିହାସିକ ସ୍ଥଳୀ ଭୀମମଣ୍ଡଳୀ ପରିଦର୍ଶନ କରିଛନ୍ତି l ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କ ସହ କେନ୍ଦ୍ରମନ୍ତ୍ରୀ 30 ହଜାର ବର୍ଷ ପୁରୁଣା ଶିଳାଲେଖ ଓ ଶୈଳଚିତ୍ର ଥିବା ଭୀମମଣ୍ଡଳୀର ଐତିହାସିକ ସ୍ଥଳ ପରିଦର୍ଶନ କରିଥିଲେ l
ନିକଟରେ ଭୀମମଣ୍ଡଳୀକୁ ମିଳିଛି ମାନ୍ୟତା:
ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ସ୍ଥାନୀୟ ଲୋକ ଦୀର୍ଘ ବର୍ଷରୁ ଦାବି କରି ଆସୁଥିବା ବେଳେ ଗତ କିଛି ଦିନ ତଳେ ରାଜ୍ୟ ସରକାର ସମ୍ବଲପୁର ଜିଲ୍ଲାର ଭୀମମଣ୍ଡଳୀ ଓ ଜୁଯୁମୁରାର ଦେବଝରଣକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି l ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବହୁ ପୂର୍ବରୁ ଏହି ସ୍ଥଳୀକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଚେଷ୍ଟା କରି ଆସୁଥିଲେ l ତେବେ ରାଜ୍ୟ ସରକାର ଏହି ସ୍ଥାନକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ପରେ ଗତକାଲି(ମଙ୍ଗଳବାର) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଭୀମ ମଣ୍ଡଳୀ ପରିଦର୍ଶନ କରିଥିଲେ l

ଆଗାମୀ ଦିନରେ ବିଶ୍ବସ୍ତରୀୟ ପରିଚୟ ତିଆରି ହେବ: ଧର୍ମେନ୍ଦ୍ର ପ୍ରଧାନ
ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଭୀମମଣ୍ଡଳୀ ନଦୀ କୂଳରେ ବହୁ ପ୍ରାଚୀନ ପାହାଡ଼ ଓ ଗୁମ୍ଫା ସବୁ ରହିଛି l ଏହାର ପ୍ରତ୍ନତାତ୍ୱିକ ବୟସ ପ୍ରସ୍ତର ଯୁଗର ଅଟେ ବୋଲି ଜଣାପଡୁଛି l ଏଠାରେ ପାହାଡ଼ ଗୁମ୍ଫାରେ ଚିତ୍ରକଳା, ସାଂକେତିକ ଭାଷା, ହାତ ହତିଆର ସବୁ ରହିଛି l ପ୍ରତ୍ନତ୍ଵବିତଙ୍କ କାର୍ବନ ଡେ଼ଟିଙ୍ଗ ହିସାବରେ ଏହି ସ୍ଥାନଟି 30 ହଜାର ବର୍ଷ ପୁରୁଣା ଅଟେ l ଏହା ଅତି ଗୌରବର କଥା ଯେ ଆମ ସଭ୍ୟତା ଏତେ ପ୍ରାଚୀନ l ବର୍ତ୍ତମାନ ଏହି ସ୍ଥାନକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି l ଆଗାମୀ ଦିନରେ ଏହି ସ୍ଥାନର ବିଶ୍ୱସ୍ତରୀୟ ପରିଚୟ ତିଆରି ହେବ l ଏଥିପାଇଁ ଆମକୁ ଏହାର ପ୍ରସିଦ୍ଧି କରିବାକୁ ହେବ l ଏଥିପାଇଁ ଆଗାମୀ ଦିନରେ ଜିଏମ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଏକ ଉଚ୍ଚସ୍ତରୀୟ ଅନ୍ତର୍ଜାତୀୟ କର୍ମଶାଳାର ଆୟୋଜନ କରାଯିବ l ଏହା ସହ ଆଗାମୀ ଦିନରେ ଦେବ୍ରିଗଡ଼ ଅଭୟାରଣ୍ୟ ସହ ଭୀମମଣ୍ଡଳୀ ତଥା ଆଖ ପାଖର ପର୍ଯ୍ୟଟନ ସ୍ଥଳ ଗୁଡିକୁ ଯୋଡ଼ା ଯିବ l

ଭୀମମଣ୍ଡଳୀରେ ରହିଛି 600 ପ୍ରାକୃତିକ ଗୁମ୍ଫା:
ସମ୍ବଲପୁର ଇତିହାସକାର ଦୀପକ ପଣ୍ଡା କହିଛନ୍ତି, ‘ଭୀମ ମଣ୍ଡଳୀରେ ଯେଉଁ ଶିଳଚିତ୍ର ବା ଗୁମ୍ଫା ରହିଛି ଏହା ପୃଥିବୀରେ ଅନନ୍ୟ, କିନ୍ତୁ ଏହା ଲୁଚିକି ରହିଥିଲା l ଏହା ଜଙ୍ଗଲ ଭିତରେ ଲୁଚିକି ରହିଥିଲା l କିଛି ସ୍ଥାନୀୟ ଲୋକ ଓ କିଛି ଐତିହାସିକ ହିଁ ଏହା ବିଷୟରେ ଜାଣିଥିଲେ l ଆମେ ଏଠାକୁ ଆସିଲୁ ଆଉ ଯେତେବେଳେ ଅନୁସନ୍ଧାନ କଲୁ ଆମେ ପାଇଲୁ ଯେ ଏଠାରେ 600ଟି ରକ ସେଲଟର ବା ପ୍ରାକୃତିକ ଗୁମ୍ଫା ରହିଛି l ଏହା ସାମାନ୍ୟ କଥା ନୁହେଁ l ସାରା ପୃଥିବୀରେ ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ Rock shelter ଦେଖିବାକୁ ମିଳେନାହିଁ l ଏଥିରୁ ଆମେ ମାତ୍ର 100ଟି Rock shelter ପାଖକୁ ପହଞ୍ଚି ପାରିଛୁ l ସେହି 100 ଟିରୁ 42ଟିରେ ଶୈଳଚିତ୍ର ରହିଛି l
ରେଢାଖୋଲର ପ୍ରତ୍ୟେକ ଗାଁ ଏକ ଐତିହ୍ୟ ଗାଁ:
ଏନେଇ ଜିଏମ ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ପ୍ରଫେସର ଅତୁଲ ପ୍ରଧାନ କହିଛନ୍ତି,‘ଏହା ବିଶ୍ୱର ଅନ୍ୟତମ ଶୈଳଚିତ୍ର ଅଟେ ତେବେ ଏହାକୁ ସନ୍ଧାନ କରାଯାଇ ପାରୁନଥିଲା l ଆମେ ରେଢ଼ାଖୋଲ ଅଞ୍ଚଳରେ 2022 ମସିହାରୁ ସର୍ବେକ୍ଷଣ କରି ଆସୁଛୁ l ରେଢ଼ାଖୋଲ ଅଞ୍ଚଳର ପ୍ରତ୍ୟେକ ଗାଁ ଐତିହ ଗାଁ କାରଣ ପ୍ରତ୍ୟେକ ଗାଁରେ ଆମକୁ ଶୈଳଚିତ୍ର, ପ୍ରାକ ଐତିହାସିକ ଯୁଗର ହାତ ହତିଆର ଆମକୁ ମିଳିଛି l ଆଉ ଭୀମ ମଣ୍ଡଳୀରେ ଯାହା ଆମେ ଦେଖୁଛେ ତାହା କେବଳ 10% ଅଟେ l ଆଉ 90% ଅବହେଳିତ ହୋଇ ପଡିଛି l 2022ରେ ଆମେ ଜିଏମ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏକ ଶୈଳଚିତ୍ର ସେମିନାର କରିଥିଲୁ ଯେଉଁଥିରେ ଦେଶ ବିଦେଶର ବିଦ୍ୱାନ ମାନେ ଆସିଥିଲେ ତାଙ୍କୁ ଆମେ ଏହି ଅଞ୍ଚଳ ପରିଦର୍ଶନ କରେଇଥିଲୁ l ତେଣୁ ଆମରର ମୁଖ୍ୟ ପ୍ରୟାସ ହେବା ଦରକାର ଯେ ରେଢ଼ାଖୋଲର ଗୁମ୍ଫା ସବୁ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ପ୍ରତିପାଦିତ ହେବା ଦରକାର l
ଇଟିଭି ଭାରତ, ସମ୍ବଲପୁର