ଭୁବନେଶ୍ବର/ପୁରୀ: ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ ମେଳା ୨୦୨୫ରେ ସାମିଲ ହେବାକୁ ଓଡ଼ିଶାରୁ ଅଯୋଧ୍ୟାକୁ ଆରମ୍ଭ ହେଲା ବସ୍ ସେବା । ୪ଟି ଅତ୍ୟାଧୁନିକ ବସ୍କୁ ପତାକା ଦେଖାଇ ଭିଡିଓ କନଫରେସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ବସ୍ ସେବା ଆରମ୍ଭ ହୋଇଛି । ଆସନ୍ତାକାଲି ଠାରୁ ପ୍ରୟାଗରାଜରେ କୁମ୍ଭ ମେଳା ଆରମ୍ଭ ହେବାକୁ ଥିବା ବେଳେ ଓଡ଼ିଶାରୁ ଏହି ବସ୍ ସେବା ଆରମ୍ଭ ହୋଇଛି । ବାରଣାସୀ ଏବଂ ପ୍ରୟାଗରାଜ ହୋଇ ଆଯୋଧ୍ୟାରେ ପହଞ୍ଚିବ ଏହି ବସ ।
କୁମ୍ଭମେଳାରେ ସାମିଲ ହେବାକୁ ଓଡ଼ିଶାରୁ ବାହାରିଲେ 200 ଯାତ୍ରୀ:
ଆଜି ପ୍ରଥମ ଦିବସରେ 200 ରୁ ଅଧିକ ଯାତ୍ରୀ ମହାକୁମ୍ଭ ମେଳା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରିବ ବସ୍ । ଆଜିଠୁ ଯାତ୍ରା ଆରମ୍ଭ କରିଥିବା ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ତୀର୍ଥଯାତ୍ରାରେ ସେମାନେ ଅଶେଷ ପୂଣ୍ୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆବଶ୍ୟକ ହେଲେ ଅଧିକ ବସ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ଭୁବନେଶ୍ବର ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେସିଂ ମାଧ୍ୟମରେ 4ଟି ଯାକ ବସ୍ର ଶୁଭାରମ୍ଭ କରିଥିଲେ । ବ୍ରହ୍ମପୁରରୁ ପରବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମ୍ବଲପୁରରେ ବିଧାୟକ ଜୟନାରାୟଣ ମିଶ୍ର, ପୁରୀରୁ ସାଂସଦ ସମ୍ବିତ ପାତ୍ର, ଭବାନୀପାଟଣାରୁ କଳାହାଣ୍ଡି ସାଂସଦ ମାଳବିକା କେଶରୀ ଦେଓ ପତାକା ଦେଖାଇ ବସ୍ ଶୁଭାରମ୍ଭ କରିଥିଲେ ।
ବସ୍ରେ ଯାତ୍ରୀଙ୍କ ପାଇଁ କଣ ରହିଛି ସୁବିଧା ?
ଗୋଟିଏ ବସ୍ରେ 46 ଜଣ ଯାତ୍ରୀ ବସିବାର କ୍ଷମତା ରହିଛି । ବସରେ ଲାଇଟ ଭେଇକିଲ ଟ୍ରାକିଂ ଏବଂ ଅନ୍ୟାନ୍ୟ ସୁବିଧା କରାଯାଇଛି । ପ୍ୟାନିକ ବଟନ୍ ଏବଂ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ ମଧ୍ୟ ରହିଛି । ମହିଳା ଯାତ୍ରୀଙ୍କ ପାଇଁ ଟିକେଟ ମୂଲ୍ୟ 50 ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ 4ଟି ବସ୍ର ଚଳାଚଳ କରାଯାଉଛି । ଆବଶ୍ୟକ ହେଲେ ଆହୁରି ଅଧିକ ବସ୍ର ବ୍ୟବସ୍ଥା କରାଯିବ । ପ୍ରଥମ ଥର ପାଇଁ 2500 କିଲୋମିଟରରୁ ଅଧିକ ଲମ୍ବା ଯାତ୍ରାର ଶୁଭାରମ୍ଭ କରାଗଲା । ବସ୍ ଗୁଡିକର ରହଣି ସ୍ଥାନରେ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବସ୍ରେ ଶୋଇକି ଯାତ୍ରା କରିପାରିବେ ଯାତ୍ରୀ । ଯାତ୍ରୀଙ୍କ ଆରାମ ଦାୟକ ଯାତ୍ରା ପାଇଁ ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର ।
ଏହା ମଧ୍ୟ ପଢନ୍ତୁ-ତେଲେଙ୍ଗାନାରେ ଓଡ଼ିଶା ବସ ଦୁର୍ଘଟଣା, ଡ୍ରାଇଭର ସମେତ ୫ ଓଡ଼ିଆ ମୃତ - BUS ACCIDENT
'ଆବଶ୍ୟକ ହେଲେ ଆହୁରି ଅଧିକ ବସ୍ର ବ୍ୟବସ୍ଥା କରାଯିବ':
ବିଶ୍ୱ ପ୍ରସିଦ୍ଧ 'ମହାକୁମ୍ଭ ମେଳା ୨୦୨୫’ ର ଭବ୍ୟ ଆୟୋଜନରେ ଯୋଗଦେବା ନିମନ୍ତେ ଓଡ଼ିଶାର ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବସ୍ ସେବାର ଶୁଭାରମ୍ଭ କଲି।
— Mohan Charan Majhi (@MohanMOdisha) January 12, 2025
ପୁରୀ, ଭବାନୀପାଟଣା, ବ୍ରହ୍ମପୁର ଓ ସମ୍ବଲପୁରରୁ ସିଧାସଳଖ ଅଯୋଧ୍ୟା ପାଇଁ ବସ୍ ଚଳାଚଳ ହେବ। ଯଦ୍ୱାରା ଶ୍ରଦ୍ଧାଳୁମାନେ ସୁବିଧାରେ ଯାତାୟାତ କରିପାରିବେ।#MahaKumbh2025 pic.twitter.com/fg3s06ENy7
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଚଳିତ ବର୍ଷ ପୌଷ ପୂର୍ଣ୍ଣିମାରୁ ମହାଶିବରାତ୍ରୀ (ଜାନୁଆରୀ 13 ରୁ ଫେବୃଆରୀ 26) ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ଅବସରରେ ଦେଶର ବିଭିନ୍ନ ରାଜ୍ୟ ତଥା ବିଦେଶରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ପ୍ରୟୋଗରାଜକୁ ଆଗମନ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଶାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ପ୍ରୟାଗରାଜ ଯାଉଛନ୍ତି । ସେଥିପାଇଁ ଏହି ବସ୍ ସୁବିଧା କରାଗଲା । ଆଜି ପ୍ରଥମ ଦିନରେ ଓଡ଼ିଶାରୁ 200 ଶ୍ରଦ୍ଧାଳୁ ମହାକୁମ୍ଭ ମେଳା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ମହିଳା ଯାତ୍ରୀଙ୍କ ପାଇଁ ଟିକେଟ ମୂଲ୍ୟରେ 50 ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି ପ୍ରଥମ ପର୍ଯ୍ୟାୟରେ 4ଟି ବସର ଚଳାଚଳ କରାଯାଉଛି । ଆବଶ୍ୟକ ହେଲେ ଆହୁରି ଅଧିକ ବସ୍ର ବ୍ୟବସ୍ଥା କରାଯିବ । ପ୍ରଥମ ଥର ପାଇଁ 2500 କିଲୋମିଟରରୁ ଅଧିକ ଲମ୍ବା ଯାତ୍ରାର ଶୁଭାରମ୍ଭ କରାଗଲା ।
ଯାତ୍ରୀ ଏହି ନମ୍ବରରେ ସମସ୍ତ ତଥ୍ୟ ପାଇପାରିବେ:
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ''ଯାତ୍ରୀ ମାନଙ୍କ ଆରାମଦାୟକ ଯାତ୍ରା ପାଇଁ ସମସ୍ତ ସୁବିଧା କରାଯାଇଛି । ଏହା ସହିତ ମହାକୁମ୍ଭ ମେଳା ଯାତ୍ରୀ ମାନଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ମଧ୍ୟ ଖୋଲା ଯାଇଛି । ଯାତ୍ରୀମାନେ 1800 345 1122କୁ କଲ୍ କରିପାରିବେ କିମ୍ବା 78490 52205 ନମ୍ବରରେ ହ୍ୱାଟସଆପ୍ ମାଧ୍ୟମରେ ହେଲ୍ପ ଡେସ୍କର ସୁବିଧା ନେଇପାରିବେ । ପ୍ରୟାଗରାଜରେ ମଧ୍ୟ ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ OSRTCର କର୍ମଚାରୀମାନଙ୍କୁ ମଧ୍ୟ ଅବସ୍ଥାପିତ କରାଯାଇଛି । ''
ଏହି ଅବସରରେ ବ୍ରହ୍ମପୁରରେ ଉପସ୍ଥିତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯାତ୍ରୀମାନଙ୍କୁ ଶୁଭକାମନା ଜଣାଇ କହିଥିଲେ, ସଡକ ପରିବହନ କ୍ଷେତ୍ରରେ ଅଧିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ମାସ ବ୍ୟାପି ସଡକ ସୁରକ୍ଷା କାର୍ଯ୍ୟକ୍ରମ କରୁଛନ୍ତି । ଗାଡି ଚଳାଚଳ ବେଳେ ସମସ୍ତେ ବାହନ ଚଳାଚଳର ନିୟମ ମାନି ସୁରକ୍ଷିତ ରହିବାକୁ ସେ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ଭବାନୀପାଟଣାରେ କଳାହାଣ୍ଡି ସାଂସଦ ମାଳବିକା କେଶରୀ ଦେଓ, ସମ୍ବଲପୁରରେ ବିଧାୟକ ଜୟନାରାୟଣ ମିଶ୍ର, ପୁରୀଠାରେ ସାଂସଦ ସମ୍ବିତ ପାତ୍ର,ବିଧାୟିକା ଉପାସନା ମହାପାତ୍ର ଏବଂ ଲୋକସେବା ଭବନରେ ଏକାମ୍ର ବିଧାୟକ ବାବୁ ସିଂ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀ ଉପସ୍ଥିତ ଥିଲେ।
ଫେବୃଆରୀ 26 ଯାଏଁ ଚାଲିବ ମହାକୁମ୍ଭ ମେଳା:
ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଏକ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ଅଯୋଧ୍ୟା । ରାମ ଲାଲାଙ୍କୁ ବିଶେଷ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ଚଳିତ ବର୍ଷ ଜାନୁଆରୀ 13 ତାରିଖରୁ ଫେବ୍ରୁଆରୀ 26 ପର୍ଯ୍ୟନ୍ତ କୁମ୍ଭ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ପ୍ରତି 12 ବର୍ଷରେ ଥରେ କୁମ୍ଭ ମେଳା ଅନୁଷ୍ଠିତ ହୁଏ । ଚଳିତ ବର୍ଷ ପ୍ରାୟ 40 କୋଟି ଶ୍ରଦ୍ଧାଳୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଶ୍ରୀକ୍ଷେତ୍ରରୁ-ଅଯୋଧ୍ୟା-ବନାରସ-ପ୍ରୟାଗରାଜ ଯିବ ବସ:
ପୁରୀ ସାଂସଦ ସମ୍ବିତ ପାତ୍ର ପ୍ରତିକ୍ରିୟାରେ କହିଛନ୍ତି, ''ଏହି ସ୍ଵତନ୍ତ୍ର ବସ୍ ସେବା ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅଶେଷ କୃତଜ୍ଞତା ପ୍ରକାଶ କରୁଛୁ । ଶ୍ରୀକ୍ଷେତ୍ର ଧାମରୁ ଦୁଇଟି ବସ୍ ଭକ୍ତଙ୍କୁ ନେଇ ଅଯୋଧ୍ୟା ରାମ ମନ୍ଦିର, ବନାରସ ବିଶ୍ବନାଥ ମନ୍ଦିର ଓ ପ୍ରୟାଗରାଜ୍ କୁମ୍ଭମେଳାକୁ ଯିବ । ଭକ୍ତ ମାନେ ଏହି ବସ୍ରେ ଯାଇ ପ୍ରଭୁ ରାମଙ୍କୁ ଦର୍ଶନ କରି ବନାରସରେ ପ୍ରଭୁ ବିଶ୍ଵନାଥଙ୍କୁ ଦର୍ଶନ ସହ କୁମ୍ଭମେଳାରେ ବୁଡ ପକାଇବେ । ଓଡ଼ିଶା ସରକାର ଧାର୍ମିକ ପର୍ଯ୍ୟଟନ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ସେଥି ପାଇଁ ବହୁତ୍ ବହୁତ୍ ସାଧୁ ବାଦ ଜଣାଉଛୁ । ଭକ୍ତ ମାନେ କିଭଳି ସୁରୁଖୁରୁରେ ଯାତ୍ରା କରିବେ ସେ ନେଇ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଛନ୍ତି । ଆମେ ମଧ୍ୟ ଭଲ ଯାତ୍ରା ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ । ଯାତ୍ରୀଙ୍କ ଯାତ୍ରାରେ କୌଣସି ଯେପରି ଅସୁବିଧା ନହୁଏ ବସ ଯାଉଥିବା ରାଜ୍ୟ ଗୁଡିକର ସରକାରଙ୍କ ସହ ସବୁ ଆଲୋଚନା ହୋଇଛି। ''
ମହିଳାଙ୍କ ପାଇଁ 50 ପ୍ରତିଶତ ରିହାତି:
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ''ପୁରୀ ଜଗନ୍ନାଥ୍ ଧାମ ଓ ପ୍ରୟାଗରାଜ ଦୁଇଟି ପ୍ରମୁଖ ତୀର୍ଥ କ୍ଷେତ୍ର । ଏହି ବସ ସେବାଦ୍ବାରା ଭକ୍ତ ମାନେ ସିଧା ଅଯୋଧ୍ୟା, ବନାରସ ଓ କୁମ୍ଭ ମେଳା ଯାଇପାରିବେ । ଦୁଇ ପ୍ରମୁଖ ତୀର୍ଥ ସ୍ଥଳୀକୁ ଏହି ବସ ସେବା ଏକ ବ୍ରିଜ ଭଳି କାର୍ଯ୍ୟ କରିବ। ଭକ୍ତ ମାନେ ବହୁତ୍ କମ ଦରରେ ଯାଇ ପାରିବେ । ମହିଳାଙ୍କ ପାଇଁ 50 ପ୍ରତିଶତ ରିହାତି ରହିଛି । ନିଶ୍ଚିତ ଭାବେ ସରକାରଙ୍କ ପକ୍ଷରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।''
ଇଟିଭି ଭାରତ, ଭୁବନେଶ୍ବର ଓ ପୁରୀ