ପୁରୀ: ବଡଦାଣ୍ଡରେ ଧାରଣାରେ ବସିଥିବା ଉଠା ଦୋକାନୀମାନେ ନିଜର ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କର ଥାଇଥାନ ନେଇ କୌଣସି ସହଯୋଗ ନମିଳିବାରୁ ବଡଦାଣ୍ଡ ମିଳିତ ଉଠା ଦୋକାନୀ ସଂଘ ଆଇନଗତ ଲଢେଇ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଯେହେତୁ ମାମଲା ହାଇକୋର୍ଟରେ ପହଞ୍ଚିଛି, ତେଣୁ ନ୍ୟାୟାଳୟକୁ ସମ୍ମାନ ଦେଇ ଉଠା ଦୋକାନୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ପୁରୀ ଜିଲ୍ଲାପାଳ ଉଠା ଦୋକାନୀଙ୍କୁ ଥଇଥାନ ଦିଗରେ ପ୍ରତାରଣା କରିଥିବା ଅଭିଯୋଗ ନେଇ ଆସନ୍ତା ସୋମବାର ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ମିଳିତ ଉଠା ଦୋକାନୀ ସଂଘ ସୂଚନା ଦେଇଛି ।
ଦୀର୍ଘ 77 ଦିନ ହେବ ବଡଦାଣ୍ଡରେ ଥଇଥାନ ଦାବିରେ ଧାରଣା ଦେଇଥିଲେ ଉଠା ଦୋକାନୀ । ତେବେ ଗତ ତିନି ଦିନ ହେବ ଆମରଣ ଅନଶନ ଆରମ୍ଭ କରିଥିଲେ । ଫଳରେ 20ରୁ ଅଧିକ ଉଠା ଦୋକାନୀ ଅସୁସ୍ଥ ହୋଇ ପୁରୀ ମେଡିକାଲରେ ଭର୍ତ୍ତି ହୋଇଥିବା ସଂଘ ଅଭିଯୋଗ କରିଛି । ତେବେ ଗରିବ ଉଠା ଦୋକାନୀଙ୍କୁ ପ୍ରଶାସନ ଉଚ୍ଛେଦ କରି ନିଘୋଡ଼ ନିଦରେ ଶୋଇବାକୁ ନେଇ ଉଠା ଦୋକାନୀ ପୁରୀ ଜିଲ୍ଲାପାଳଙ୍କୁ କଡା ସମାଲୋଚନା କରିଛନ୍ତି ସଂଘର କାର୍ଯ୍ୟକର୍ତ୍ତା ।
- ପ୍ରଶାସନ ଯେଉଁଠି ଜାଗା ଦେଇଛି, ସେଠାରେ ବ୍ୟବସାୟ ସମ୍ଭବ ନୁହେଁ: ସଂଘ
ଜଣେ ଉଠା ଦୋକାନୀ ହରେକୃଷ୍ଣ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି," ବଡଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀଙ୍କ ଥାଇଥାନ ନେଇ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆମେ 77 ଦିନ ହେବ ବଡ ଦାଣ୍ଡରେ ଧାରଣା ଦେଲୁ । ହେଲେ ଦୁଃଖର ବିଷୟ ପ୍ରଶାସନର ନିଦ ଭାଙ୍ଗିଲା ନାହିଁ । ଆମର ତିନୋଟି ଦାବି ରହିଛି । ବନ୍ଦ ରହିଥିବା ମାସିକ ସହାୟତା ରାଶି ପ୍ରଦାନ କରିବା, ଯେଉଁ ସ୍ଥାନରେ ବ୍ୟବସାୟ ହୋଇପାରିବ ସେହି ସ୍ଥାନରେ ଆମକୁ ଥାଇଥାନ କରାଯାଉ । ଯେଉଁ ସ୍ଥାନରେ ଆମକୁ ଥଇଥାନ ପାଇଁ କୁହାଯାଇଛି ଉକ୍ତ ସ୍ଥାନରେ ଭିତ୍ତିଭୂମି ଉନ୍ନତି ନହେଲା ଯାଏଁ, ଆମକୁ ବଡ ଦାଣ୍ଡରେ ବ୍ୟବସାୟ ନେଇ ସୁଯୋଗ ଦିଆଯାଉ । ଶ୍ରୀସେତୁ ତଳେ ଆମକୁ ଯେଉଁ ବ୍ୟବସାୟ ପାଇଁ କୁହାଯାଇଛି । ସେଠାରେ ବ୍ୟବସାୟ ସମ୍ଭବ ନୁହେଁ । ସେଠାକୁ ଲୋକଙ୍କ ଚଳପ୍ରଚଳ ନାହିଁ । ଆମେ ସେଠାକୁ ଗଲେ କିଭଳି ବ୍ୟବସାୟ କରିବୁ । ଆମର ଦାବି ହେଉଛି ଆମକୁ ସହାୟତା ରାଶି ଯେଉଁ ଦିଆଯାଇଥିଲା । ତାହା ଗତ ଅଗଷ୍ଟ ମାସରୁ ବକେୟା ସବୁ ଦିଆଯାଉ । ଯେଉଁ ସ୍ଥାନକୁ ଭକ୍ତ ଓ ସାଧାରଣ ଲୋକଙ୍କ ଯାତାୟାତ ଥିବ ସେହି ସ୍ଥାନକୁ ଅମକୁ ବ୍ୟବସାୟ ପାଇଁ ବ୍ୟବସ୍ଥା କରାଯାଉ । "
'ଉଠା ଦୋକାନୀଙ୍କ ଦୁଃଖ ପ୍ରଶାସନ ଶୁଣିଲା ନାହିଁ'
ଉଠା ଦୋକାନୀ ସଂଘର ନେତା ପ୍ରିୟର୍ଶୀ ପଟ୍ଟନାୟକ କହିଛନ୍ତି," ବଡ଼ ଦାଣ୍ଡ ଗତ 4 ଦିନ ହେବ ଉଠା ଦୋକାନୀମାନେ ଆମରଣ ଅନଶନରେ ବସିଲେ । ହେଲେ ଉଠା ଦୋକାନୀଙ୍କ ଦୁଃଖ ପ୍ରଶାସନ ଶୁଣିଲା ନାହିଁ । ପ୍ରଶାସନ ଠାରୁ କୌଣସି ସହଯୋଗ ମିଳିବା ସମ୍ଭାବନା ନ ଥିବାରୁ ଆମେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛୁ । କୋର୍ଟକୁ ମାମଲା ଯାଇଥିବାରୁ କୋର୍ଟଙ୍କ ଉପରେ ଆମର ବିଶ୍ବାସ ରହିଛି । ଏଣୁ କୋର୍ଟଙ୍କୁ ସମ୍ମାନ ଜଣାଇ ଆମେ ଆନ୍ଦୋଳନ ପ୍ରତ୍ୟାହାର କଲୁ । ହେଲେ କିନ୍ତୁ ପ୍ରଶାସନ ଓ ନେତାଙ୍କ ବିରୋଧରେ ରାଜ୍ ରାସ୍ତାରେ ଲଢେଇ ହେବ । ଆଗାମୀ ସୋମବାର ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ହେବ । ଦାବି ପୂରଣ ପାଇଁ ବ୍ୟାପକ ଆନ୍ଦୋଳନ ହେବ । "
'ବିରାଟ ଆନ୍ଦୋଳନକୁ ଓହ୍ଲାଇବୁ '
ସେ ଆହୁରି ମଧ୍ୟ କହିଛନ୍ତି," ଆମକୁ 2 ମାସ ଭିତରେ ଥଇଥାନ ପାଇଁ କହି 14 ମାସ ସମୟ ନେଲେ । ହେଲେ ଏ ପର୍ଯ୍ୟନ୍ତ କାହାରିକୁ ଥଇଥାନ କରାଗଲା ନାହିଁ । ଯେଉଁ ସ୍ଥାନରେ ଥଇଥାନ ପାଇଁ କୁହାଯାଇଥିଲା, ସେଠାରେ ଭିତ୍ତିଭୂମି ନାହିଁ । ତେବେ ଥଇଥାନ ହେବା ଯାଏ, ପ୍ରତିମାସ ଦିଆଯାଉଥିବା ଆର୍ଥିକ ସହାୟତା ରାଶିକୁ ବନ୍ଦ କରାଯାଇଥିବା ବେଳେ ବକେୟା ଟଙ୍କା ତୁରନ୍ତ ପ୍ରଦାନ କରୁ ପ୍ରଶାସନ । ନହେଲେ ଗରିବ ଉଠା ଦୋକାନୀମାନେ ବିରାଟ ଆନ୍ଦୋଳନକୁ ଓହ୍ଲାଇବେ । ଦାବି ପୂରଣ ପାଇଁ ଆମେ ପ୍ରଶାସନର ନିଦ ହଜେଇ ଦବୁ ।"
ଶ୍ରୀସେତୁ ତଳେ ଭେଣ୍ଡିଂ ଜୋନ ନିର୍ମାଣ:
ଶ୍ରୀମନ୍ଦିରକୁ ଭକ୍ତଙ୍କ ଆଗମନ ବଢ଼ି ଚାଲିଥିବା ବେଳେ ବଡ଼ ଦାଣ୍ଡରେ ଉଠା ଦୋକାନୀଙ୍କ ଦ୍ଵାରା ରାସ୍ତା ସଙ୍କୁଚିତ ହୋଇ ଯାଇଥିଲା । ବଡ ଦାଣ୍ଡରେ ଭିଡ ନିୟନ୍ତ୍ରଣ, ଯାତ୍ରୀ ଯାତାୟାତ ସୁଗମ ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିରଠାରୁ ମେଡିକାଲ ଛକ ଯାଏ ଉଠା ଦୋକାନୀଙ୍କୁ ଉଚ୍ଛେଦ କରିଥିଲେ ତତ୍କାଳୀନ ବିଜେଡି ସରକାର । ଶ୍ରୀସେତୁ ତଳେ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇ, ସେଠାରେ ଉଚ୍ଛେଦ ଉଠା ଦୋକାନୀଙ୍କୁ ଥାଇଥାନ ପାଇଁ କୁହାଯାଇଥିଲା । ଥାଇଥାନ୍ ନହେବା ଯାଏଁ ଉଠା ଦୋକାନୀଙ୍କୁ ମାସିକ 15 ହଜାର ଟଙ୍କା ସରକାରଙ୍କ ପକ୍ଷରୁ ଦିଆଯାଉଥିଲା । ଦୋକାନ ଖୋଲିବା ପାଇଁ 50 ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବାର ବ୍ୟବସ୍ଥା ହୋଇଥିଲା ।
12 ଶହ ଉଠା ଦୋକାନୀ ଉଚ୍ଛେଦ ହୋଇଥିଲେ:
ସରକାରଙ୍କ ପକ୍ଷରୁ 12ଶହ ଉଠା ଦୋକାନୀ ବଡଦାଣ୍ଡରୁ ଉଚ୍ଛେଦ ହୋଇଥିଲେ । ତେବେ ଇତି ମଧ୍ୟରେ ନୂଆ ସରକାର ଗଠନ ହୋଇଥିବା ବେଳେ ବଡ଼ ଦାଣ୍ଡ ରୁ ଉଚ୍ଛେଦଉଠା ଦୋକାନୀ ଙ୍କ ପାଇଁ ଶ୍ରୀସେତୁ ନିକଟରେ କୌଣସି ଭିତ୍ତିଭୂମି ବ୍ୟବସ୍ଥା ହୋଇନଥିବା ଉଠା ଦୋକାନୀ ଅଭିଯୋଗ କରିଛନ୍ତି । ଏଣୁ ଆମେ ଗତ 6 ମାସ ହେବ ବିନା ରୋଜଗାରରେ ଅଛୁ । ଆମେ ଆମ ପିଲାଙ୍କୁ କିଭଳି ପାଠ ପଢା ସହ ବୃଦ୍ଧ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବୁ ସେ ନେଇ ଆମେ ଚିନ୍ତାରେ ଅଛୁ । ରାଜ୍ୟ ସରକାର ଗରିବ ଉଠା ଦୋକାନୀଙ୍କ ସମସ୍ୟା ଦୂର କରିବାକୁ ଆଗେଇ ଆସନ୍ତୁ ।"
ଏମିତି କହିଲେ ଜିଲ୍ଲାପାଳ:
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନିଜ ପ୍ରତିକ୍ରିୟାରେ କହିଛନ୍ତି," ବଡଦାଣ୍ଡରୁ ଉଚ୍ଛେଦ ହୋଇଥିବା 12 ଶହ ଉଠା ଦୋକାନୀଙ୍କ ଥଇଥାନ ଶ୍ରୀସେତୁ ତଳେ ହେବ । ତେବେ 8ଶହ ଉଠା ଦୋକାନୀ ପ୍ରଶାସନ ଓ ସରକାରଙ୍କ ଆର୍ଥିକ ସହାୟତା ରାଶିରେ ନେଇ ସାରିଲେଣି । ଶ୍ରୀସେତୁ ତଳେ ବିଭିନ୍ନ ବ୍ୟବସାୟ ପାଇଁ 8 ଶହରୁ ଅଧିକ ବ୍ୟବସାୟୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ଅଳ୍ପ କିଛି ଉଠା ଦୋକାନୀ ବଡ ଦାଣ୍ଡରେ ବସିବା ପାଇଁ ଜିଦ୍ ଧରିଛନ୍ତି । ଯାହାକି ସମ୍ଭବ ନୁହେଁ । ତାଙ୍କୁ ବୁଝାଇବା ପାଇଁ ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯାଇଛି । ସବୁ ବକେୟା ରାଶି ପ୍ରଦାନ କରାଯିବ । ଯାହା ପୂର୍ବରୁ ନିଷ୍ପତ୍ତି ହୋଇଥିଲା ତାହା ଉଠା ଦୋକାନୀ ଭାଇମାନେ ମାନିନେବା ଉଚିତ୍ ।
ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା:
ପୁରୀ ଗସ୍ତରେ ଆସିଥିବା ଆଇନ ମନ୍ତ୍ରୀ ପୃଥିବୀରାଜ୍ ହରିଚନ୍ଦନ କହିଛନ୍ତି, "ଉଠା ଦୋକାନୀଙ୍କୁ ଥଇଥାନ ପାଇଁ ସବୁ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି । ଦିଲ୍ଲୀର ହାଟ ବଜାର ଭଳି ଏକ ବଜାର ପୁରୀରେ କରାଯିବ । ସେଠାରେ ସବୁ ପାରମ୍ପରିକ ଜିନିଷ ବିକ୍ରି ହେବ । ତେବେ ଧର୍ଯ୍ୟ ରଖିବାକୁ ମୁଁ ବ୍ୟବସାୟୀଙ୍କୁ କହୁଛି । ସରକାର ସବୁ ପ୍ରକାର ପଦକ୍ଷେପ ନେବେ ।"
ଇଟିଭି ଭାରତ,ପୁରୀ